କୋଟଗଡ଼: ପ୍ରେମ କରି ଚର୍ଚ୍ଚ ଓ ପରେ କୋର୍ଟରେ ବିବାହ କଲେ। ହେଲେ ଏବେ ୨ ବର୍ଷ ପରେ ପତ୍ନୀଙ୍କୁ ଗ୍ରହଣ କରିବାକୁ ଅମଙ୍ଗ ହେଉଛନ୍ତି ସ୍ବାମୀ। ନ୍ୟାୟ ପାଇଁ ଅସହାୟ ପତ୍ନୀ ଥାନା ଦ୍ବାରସ୍ଥ ହୋଇଥିଲେ ହେଁ, ପୁଲିସ ଅଭିଯୋଗ ଗ୍ରହଣ ନକରି ଓଲଟି ଧମକ ଦେବା ସହ ୩୦ ହଜାର ଟଙ୍କା ଦାବି କରୁଛି। ଆଉ ବାଧ୍ୟହୋଇ ପୀଡ଼ିତା ଥାନାଧିକାରୀଙ୍କ ବିରୋଧରେ ଏସ୍.ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହା ହେଉଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଇଲାକାର ଘଟଣା।
କୋଟଗଡ଼ ଥାନା ସାଲକିବୁଡ଼ାଗୁଡ଼ା ସାଙ୍ଗଡ଼ମାହା ଗ୍ରାମର ରିଣ୍ଟୁ ଉଠାଣସିଂ ଓ ମାଦାଗୁଡ଼ା ସାର୍ତୁଲର ସରିତା ସାନସେଟ୍ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଉଭୟ ବାଲିଗୁଡ଼ା ନେଟାରିଙ୍କ ନିକଟରେ ୨୦୨୧ ଜୁଲାଇ ୧୪ରେ ବିବାହ କରିଥିଲେ। ପରେ ଉଭୟ କେରଳ ଚାଲିଯିବା ପରେ ସେଠାରେ ୨୦୨୨ ଜୁନ ୧୫ରେ ଓଟପାଲାମ ସ୍ଥିତ ଏକ ଚର୍ଚ୍ଚରେ ବିବାହ କରିଥିଲେ। ସେଠାରେ କିଛି ଦିନ ରହିବା ପରେ ଡିସେମ୍ବର ୨୫ରେ ଘରକୁ ଫେରିଥିଲେ। ହେଲେ ରିଣ୍ଟୁଙ୍କ ପରିବାର ଲୋକେ ସରିତାଙ୍କୁ ବୋହୂ ଭାବେ ଗ୍ରହଣ କରି ନଥିଲେ। ଏପରିକି ସରିତାଙ୍କୁ ମାଡ଼ ମାରି ଘରୁ ତଡ଼ି ଦେବା ସହ ରିଣ୍ଟୁଙ୍କୁ ଅନ୍ୟଆଡ଼େ ପଠାଇ ଦେଇଥିଲେ। ସୁନା ଗହଣା ସହ ଅଧିକ ଯୌତୁକ ଆଣିଲେ ବୋହୂ ଭାବେ ଗ୍ରହଣ କରିବୁ ବୋଲି କହିଥିଲେ।
ନ୍ୟାୟ ଆଶାରେ ସରିତା କୋଟଗଡ଼ ଥାନାରେ ଗତ ଜାନୁଆରି ୨୩ରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଘଟଣାକୁ ମାସେରୁ ଅଧିକ ଦିନ ବିତିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରି ନଥିଲା। ଏନେଇ ସରିତା ଥାନାଧିକାରୀଙ୍କୁ ପଚାରିବାରୁ ସେ ତାଙ୍କୁ ବିଭିନ୍ନ ଧମକ ଦେବା ସହ ୩୦ ହଜାର ଟଙ୍କା ମାଗିଥିଲେ ବୋଲି ସରିତା ଅଭିଯୋଗ କରିଛନ୍ତି। ପରେ ସରିତାଙ୍କ ବାପା ବହୁ କଷ୍ଟରେ ୧୫ ହଜାର ଟଙ୍କା ଯୋଗାଡ଼ କରି ଥାନାଧିକାରୀଙ୍କୁ ଦେଇଥିବା ସରିତା ଏସ୍.ପିଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି। ହେଲେ ଏହା ପରେ ମଧ୍ୟ ଥାନାଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି। ଆଉ ପୁଣିଥରେ ପଚାରିବାରୁ ଥାନାଧିକାରୀ 'ସେ ପିଲାକୁ ଭୁଲି ଯା, ମୁଁ ଆଉ ଗୋଟିଏ ପିଲା ବୁଝି ଦେବି' ବୋଲି କହୁଥିବା ସରିତା ସଙ୍ଗିନ ଅଭିଯୋଗ ଆଣିଛନ୍ତି।
ଶେଷରେ ନ୍ୟାୟ ଆଶାରେ ସରିତା ଫୁଲବାଣୀ ଏସ୍.ପି. ଶୁଭେନ୍ଦୁ ପାତ୍ରଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏସ.ପିଙ୍କୁ ସେ ଉପରୋକ୍ତ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇଛନ୍ତି। ତେବେ ଏ ନେଇ କୋଟଗଡ଼ ଥାନାଧିକାରୀ ଓମ୍ ନାରାୟଣ ପାତ୍ରଙ୍କୁ ପଚାରିବାରୁ କିଏ ପଇସା ଦେଇଛି, ନ ଦେଇଛି ତାହା ଆମର ସିସି କ୍ୟାମେରା କହିବ। ମୁଁ ସେ କେସ୍ ବୁଝୁ ନଥିଲି, ଆଉ ଜଣେ ବୁଝୁ ଥିଲେ। ମୋତେ ସେମାନେ କୌଣସି ରିପୋର୍ଟ କି ଟଙ୍କା ଦେଇ ନାହାନ୍ତି। ସେ ଅଭିଯୋଗ ପାଇଁ ଆସିଥିବା ବେଳେ ମୁଁ ଛୁଟିରେ ଥିଲି ବୋଲି ଶ୍ରୀ ପାତ୍ର ସଫେଇ ଦେଇଛନ୍ତି।