ସିମୁଳିଆ: ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ସିମୁଳିଆ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା। ଲୋକଙ୍କୁ ସେବା ଯୋଗାଇବା ବଦଳରେ ପରସ୍ପରଙ୍କ ଉପରେ ଦୋଷ ଲଦାଲଦି ହେଉଛନ୍ତି କାର୍ଯ୍ୟରତ ଦୁଇ ଯନ୍ତ୍ରୀ। ଫଳରେ ବସୁଧା ଯୋଜନାରେ ଅଣ୍ଡରାଇ ପଞ୍ଚାୟତରେ ନିର୍ମିତ ପାଣି ଟାଙ୍କି କାର୍ଯ୍ୟକ୍ଷମ ହୋଇପାରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ବିଭାଗୀୟ ଯନ୍ତ୍ରୀ ରଘୁନାଥ ତ୍ରିପାଠୀ କେତେବେଳେ ଅଫିସ ଆସନ୍ତି ଆଉ କେତେବେଳେ ଯାଆନ୍ତି ତାହା କେହି ଜାଣିବା କଷ୍ଟକର। କାର୍ଯ୍ୟାଳୟକୁ କେହି କୌଣସି ଅଭିଯୋଗ ନେଇ ଆସିଲେ ସେ ଯନ୍ତ୍ରୀ-୨ କିଶୋର କୁମାର ବେହେରାଙ୍କ ସହ ଯୋଗାଯୋଗ କରିବାକୁ କହୁଛନ୍ତି। ସେପଟେ ଯନ୍ତ୍ରୀ ଶ୍ରୀ ବେହେରା ଅଧିକାଂଶ ସମୟ ଫିଲଡ୍ ଦାୟିତ୍ବରେ ରହୁଥିବାରୁ ଅଭିଯୋଗକାରୀଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି। ବିଶେଷ କରି ବସୁଧା ଯୋଜନାରେ ସରକାର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ପଞ୍ଚାୟତରେ ପାଣିଟାଙ୍କି ନିର୍ମାଣ କରିଥିଲେ ବି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ପାଇଁ ସେସବୁ କାର୍ଯ୍ୟକ୍ଷମ ହୋଇପାରୁନି।
କେବଳ ଅଣ୍ଡାରାଇ ପଞ୍ଚାୟତ ନୁହେଁ, ଅଧିକାଂଶ ପଞ୍ଚାୟତରେ ସମାନ ଅବସ୍ଥା। ଗତ ବର୍ଷେ ହେବ ବିଭାଗ ସ୍ଥାଣୁ ପାଲିଟି ଯାଇଥିବା ବେଳେ ଲୋକେ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରଘୁନାଥ ତ୍ରିପାଠୀଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହିବା ସହ ତାଙ୍କୁ କିଛି କାମ ଦିଆ ଯାଇନଥିବା କହିଥିଲେ। ଅନ୍ୟତମ ଯନ୍ତ୍ରୀ କିଶୋର କୁମାର ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସମସ୍ତ ୨୨ଟି ପଞ୍ଚାୟତର ଦାୟିତ୍ବ ଏକୁଟିଆ ତୁଲାଇବା ସମ୍ଭବ ନୁହେଁ, ତେଣୁ ଅଧା ପଞ୍ଚାୟତ ଦାୟିତ୍ବରେ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ ରହିଥିବା ସେ କହିଛନ୍ତି।
ନିର୍ବାହୀଯନ୍ତ୍ରୀ ସମୀର ଦେଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବାରୁ ସେ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ କୌଣସି କାମ କରୁନଥିବା ଅଭିଯୋଗର ତଦନ୍ତ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦିଆଯାଇଥିବା କହିଛନ୍ତି। ଅଣ୍ଡାରାଇ ପଞ୍ଚାୟତ ସମେତ ସମସ୍ତ ପଞ୍ଚାୟତରେ ବସୁଧା ଯୋଜନା ଅନ୍ତର୍ଗତ ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।