କୁଣହାଁ ଜାତି ସମାବେଶରେ ବ୍ୟାନରକୁ ନେଇ ବିବାଦ: ବିଶାଳ, ଦୀପାଳିଙ୍କ ବିରୋଧରେ ଅଭିଯୋଗ

ଲଇକେରା : ୫୫୦ କୁଣହାଁ ଜାତି ସମାଜ ଜିଲ୍ଲାସ୍ତରୀୟ ଜନସମାବେଶ ପୂର୍ବରୁ ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କ ଫ‌ଟୋ ଥିବା ବ୍ୟାନର୍‌କୁ ନେଇ ବିବାଦ ସୃଷ୍ଟିହୋଇଛି। ସମାଜର କର୍ମକର୍ତ୍ତା ଏନେଇ ଲଇକେରା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ରବିବାର ଦିନ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ୍‌ ଭାତଲଇଡ଼ାଠାରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ଏଥିରେ ଉଭୟ ବିଶାଳ ଓ ଦୀପାଳି ଯୋଗଦେଇଥିଲେ। ତେବେ, ସମାବେଶ ପୂର୍ବରୁ ଅର୍ଥାତ୍‌ ଶନିବାର ଦିନ ୫୫୦ କୁଣହାଁ ଜାତି ସମାଜ ଜିଲ୍ଲା କମିଟି ପକ୍ଷରୁ ଅଶୋକ ମାଝୀ, ପଦ୍ମଲୋଚନ ବୁଦୁଲା, ବିନୋଦ ବିହାରୀ ବାଗ, ନିରଞ୍ଜନ ପ୍ରଧାନ, ତ୍ରିଲୋଚନ ଡନସେନା, ନିରଞ୍ଜନ ମାଝୀ, ରସାନନ୍ଦ କିସାନ ପ୍ରମୁଖ ଲଇକେରା ଥାନାରେ ଭାଇଭଉଣୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ସମାଜର ସମାବେଶରେ ବିଭିନ୍ନ ସ୍ଥାନରେ ବ୍ୟାନର ଆଦି ଲଗାଯାଇଥିବା ବେଳେ ଏଥିରେ ଅତିଥି ଭାବେ ବିଶାଳ ଦାସ ଓ ଦୀପାଳି ଦାସଙ୍କ ବଡ଼ବଡ଼ ଫଟୋ ଲାଗିଛି। ଆବାହକ ଭାବେ ୫୫୦ ଜାତି କିସାନ (କୁଣହାଁ) ସମାଜ, ଝାରସୁଗୁଡା ଜିଲ୍ଲା ଓ କିଛି ବ୍ୟାନରରେ କିସାନ, ମିର୍ଧା, କୁଣହାଁ, ମାଟିଆ ଦର୍ଶାଯାଇଥିବା ଏବଂ ନାମ ଓ ଲୋଗୋକୁ ବ୍ୟବହାର କରାଯାଇଥିବା ଅଭିଯୋଗ କରାଯାଇଛି। ଏଥିସହିତ, ବ୍ୟାନର୍‌ରେ ସମାଜର କର୍ମକର୍ତ୍ତାଙ୍କ ଫଟୋ ନଥିବା ବେଳେ ଲୋଗୋ ବ୍ୟବହାର କରାଯାଇଛି। ଆହୁରି ମଧ୍ୟ, ଭାଇଭଉଣୀଦ୍ୱୟ କେବେଠାରୁ କିସାନ ସମାଜରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି।
ତେବେ, ଏହାକୁ ନେଇ ଗତ ୧୭ ତାରିଖ ସମାଜର ଉପସଭାପତି ଅଶୋକ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଶାଳ ଦାସଙ୍କ ସହ ଆପୋସ ବୁଝାମଣା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର, ତାହା ସଫଳ ହୋଇନାହିଁ।

ଏ ନେଇ ଦୀପାଳିଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ହେଁ ସମ୍ଭବ ‌ହୋଇନଥିବାରୁ ତାଙ୍କ ପ୍ରତିକ୍ରୟା ମିଳିପାରିନାହିଁ। ଅନ୍ୟପକ୍ଷରେ, ଆୟୋଜକ କମିଟି ମୁଖ୍ୟ ଉମାଶଙ୍କର ପ୍ରଧାନ କହନ୍ତି, କିସାନ ସମାଜ କାହାରି ପୈତୃକ ସମ୍ପତ୍ତି ନୁହେଁ। ହଜାର ହଜାର ସମାଜ ଭାଇ ଆୟୋଜନ କରିଥିଲୁ। ବିଶାଳ ଓ ଦୀପାଳିଙ୍କୁ ଅତିଥି ଭାବେ ଆମେ ନିମନ୍ତ୍ରଣ କରିଥିଲୁ। ଏଥିରେ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ନିଜର ଉଦ୍ଦେଶ୍ୟ ସାଧିତ ନ ହେଉଥିବାରୁ ଏପରି ଅଭିଯୋଗ କରିଥିବା ସେ କହିଛନ୍ତି।

ଏସମ୍ପର୍କ‌ରେ ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀ କହିଛନ୍ତି, ଅଭିଯୋଗ ପାଇଛୁ। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର