ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ବିରୋଧରେ ଅଭିଯୋଗ ଘଟଣା: ପରିବାର ଲୋକଙ୍କ ଅଭିଯୋଗକୁ ସୁଧାଙ୍କ ଖଣ୍ଡନ

‘ମୁଁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ମୋ ଉପରେ କିଏ ଚାପ ପକାଇବ...?’

କଟକ : ସ୍ବାମୀ ମୁକୁନ୍ଦାନନ୍ଦଙ୍କ ଆଶ୍ରମରେ ବ୍ରହ୍ମପୁରର କେ.ସୁଧା ନାମକ ଜଣେ ଯୁବତୀଙ୍କୁ ଅଟକ ରଖାଯିବା ଏବଂ ପରିବାର ଲୋକଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇ ପାରୁନଥିବା ଅଭିଯୋଗକୁ ନିଜେ ସୁଧା ଆଜି ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗରେ କୌଣସି ପ୍ରକାର ସତ୍ୟତା ନଥିବା ସୁଧା କହିଛନ୍ତି। ସେ ନିଜ ଇଚ୍ଛାରେ ଆଶ୍ରମରେ ସେବା ଉଦ୍ଦେଶ୍ୟରେ ରହିଥିବାବେଳେ ତାଙ୍କୁ କେହି ଆଶ୍ରମ ପକ୍ଷରୁ ରହିବାକୁ ଚାପ ପକାଉ ନଥିବା ସୁଧା ସ୍ପଷ୍ଟ କରିଛନ୍ତି।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଲୋଚପଡ଼ା ରୋଡର ବ୍ୟାଙ୍କ କଲୋନିରେ ରହୁଥିବା ବାପା କେ.କାନ୍ତା ରାଓ ଓ ମା କେ. ପୁଷ୍ପାବତୀ ରାଓଙ୍କ ଝିଅ କେ. ସୁଧାଙ୍କୁ କଟକ ଜିଲ୍ଲା ବାଙ୍କୀର ବାଆଁରା ଅଞ୍ଚଳରେ ଥିବା ଜଗଦ୍‌ଗୁରୁ କ୍ରିପାଳୁ ଯୋଗ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ଅଟକ ରଖା ଯାଇଥିବା ଅଭିଯୋଗ ନେଇ ଗଲା ୨୦ ତାରିଖରେ ତାଙ୍କ ପରିବାର ଲୋକ ବ୍ରହ୍ମପୁର ଏସ୍‌ପିଙ୍କୁ ଭେଟିଥିଲେ। କିନ୍ତୁ ଏବେ ଟ୍ରଷ୍ଟ୍‌ରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା କେ. ସୁଧା କହିଛନ୍ତି ଯେ ସେ ୨୦୨୧ ଜାନୁଆରି ୧୧ ତାରିଖରୁ ଆସି ଆଶ୍ରମରେ କାମ କରୁଛନ୍ତି। ତାଙ୍କ ପରିବାର ଲୋକେ ଏଠାକୁ ବହୁତଥର ଆସିଛନ୍ତି। ତାଙ୍କୁ ଭେଟିଛନ୍ତି। ଗଲାବର୍ଷ ମାର୍ଚ୍ଚରେ ତାଙ୍କ ପରିବାର ଲୋକେ ଆଶ୍ରମକୁ ଆସି ତାଙ୍କୁ ନେବାପାଇଁ କହିଥିଲେ। ‘ ମୁଁ କିନ୍ତୁ ସେମାନଙ୍କୁ ‌ମନା କରିଥିଲି। ପରେ କିନ୍ତୁ ବ୍ରହ୍ମପୁର ବଡ଼ଖେମୁଣ୍ଡି ବଙ୍ଗଳା ନିକଟରେ ଥିବା ଆଶ୍ରମକୁ ଯାଇଥିଲି। ପରିବାର ଲୋକଙ୍କୁ ଫୋନ୍ କରି ସେଠାକୁ ଡାକିଥିଲି। କିନ୍ତୁ ସେମାନେ ଆସି ନଥିଲେ। ମୋତେ ଏବେ ୨୭ ବର୍ଷ। ମୁଁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ମୋତେ କିଏ କେମିତି ଚାପ ପକାଇ ଜବରଦସ୍ତ ରଖି ପାରିବ,’ ବୋଲି ସୁଧା ପ୍ରଶ୍ନ କରିଛନ୍ତି।

ସୁଧା କହିଛନ୍ତି ଯେ ପୂର୍ବରୁ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗଲା ମାର୍ଚ୍ଚ ମାସରେ ବ୍ରହ୍ମପୁର ଟାଉନ ଥାନାର ଜୟଶ୍ରୀ ମ୍ୟାଡାମ ଏଠାକୁ ଆସି ତାଙ୍କ ବୟାନ ରେକର୍ଡ କରିଥିଲେ। ଘର ଲୋକେ କ୍ରାଇମବ୍ରାଞ୍ଚରେ ପିଟିସନ୍ ଦାଖଲ କରିଥିବାରୁ ଦୁଇମାସ ପୂର୍ବରୁ ବି କ୍ରାଇମବ୍ରାଞ୍ଚର ତିନି ଅଧିକାରୀ ଆସି ତାଙ୍କୁ ଭେଟି ବୟାନ ରେକର୍ଡ କରିଥିଲେ। ଏ ସମ୍ପର୍କରେ କେ ସୁଧା କହିଛନ୍ତି, ‘ ମୁଁ ଘରକୁ ଯିବାକୁ ଚାହୁଁ ନଥିବା ବେଳେ ମୋ ଘର ଲୋକେ କିନ୍ତୁ ଜବରଦସ୍ତି କରୁଛନ୍ତି ଘରକୁ ନେବାକୁ। ସମ୍ପର୍କକୁ ଭିନ୍ନ ରୂପ ଦେଉଛନ୍ତି। ଆଶ୍ରମ ବିରୋଧରେ ଯେଉଁ ଅଭିଯୋଗ ଅଣାଯାଉଛି, ତାହାର ସତ୍ୟତା ନାହିଁ। ମୋତେ ଆମେରିକା ନିଆ ଯାଇଥିବା କଥା ବି ମିଛ। ଗଲା ବର୍ଷ ଅଗଷ୍ଟରେ ୪ ମାସ ପାଇଁ ଆଶ୍ରମର ଅନ୍ୟ ସଦସ୍ୟଙ୍କ ସହିତ ଦିଲ୍ଲୀର ସାଉଥ୍ ପଟେଲ୍ ନଗରରେ ଥିବା ଆମର ରେଜିଷ୍ଟର୍ଡ ଅଫିସକୁ ଯାଇଥିଲୁ। ନଭେମ୍ବରରେ ଏଠାକୁ ଫେରି ଆସିଥିଲି ।’

ଏଠାରେ ସୂଚନାଯୋଗ୍ୟ ଯେ କେ. ସୁଧାଙ୍କର କିଛି ବର୍ଷ ତଳେ ମସ୍ତିଷ୍କରେ ଅପରେସନ୍ ହୋଇଥିଲା। ଅପରେସନ୍ ପରେ ବି ମୁଣ୍ଡ ବିନ୍ଧା ନ କମିବାରୁ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ପାଖରେ ଛାଡ଼ି ଦେଲେ କମିଯିବା ସମ୍ପର୍କରେ ବ୍ରହ୍ମପୁର ବଡ଼ଖେମୁଣ୍ଡି ବଙ୍ଗଳା ନିକଟ ଆଶ୍ରମର ମହନ୍ତ ପରିବାର ଲୋକଙ୍କୁ କହିଥିଲେ। ୨୦୨୧ ଜାନୁଆରି ୫ ତାରିଖରେ ମୁକୁନ୍ଦାନନ୍ଦ ଫୋନ୍ କରି ଝିଅକୁ ବାଙ୍କୀ ବାଆଁରା ଆଶ୍ରମରେ ଛାଡ଼ି ଦେବାକୁ କହିଥିଲେ। ତା’ପରଠାରୁ ଝିଅ ସହିତ ଆଉ ଯୋଗାଯୋଗ ହୋଇପାରୁନଥିବା କେ.ସୁଧାଙ୍କ ମା ପୁଷ୍ପାବତୀ ବ୍ରହ୍ମପୁର ପୁଲିସ ଓ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର