ଭୁବନେଶ୍ବର: ଚାଷ ଏବଂ ଚାଷୀଙ୍କ ଉନ୍ନତି ହେବ କେମିତି? ଯଦି କୃଷି କଲେଜ ବିଦ୍ୟାର୍ଥୀ ଚାଷ କେମିତି ହୁଏ ଜାଣିବେ ନାହିଁ, ଘାସ ଚାଷ ଦେଖିବାକୁ ଚାହିଁଲେ ତାଙ୍କୁ ବାହାରୁ ଘାସ ଛିଡ଼ାଇ ଦେଖାଇ ଦିଆଯିବ? ହରଡ଼ ଚାଷ ପ୍ରାକ୍ଟିକାଲ ବନ୍ଦ କରି ଦିଆଯିବ? ଏହିଭଳି ଅଭିଯୋଗ କରିଛନ୍ତି ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ ପରିଚାଳିତ କୃଷି କଲେଜ ବିଦ୍ୟାର୍ଥୀ। ସେମାନଙ୍କୁ ପ୍ରାକ୍ଟିକାଲ ପାଇଁ ଜମି ମିଳୁନଥିବାରୁ ଏହିଭଳି ସ୍ଥିତି ହୋଇଥିବା କହିଛନ୍ତି। ସୂଚନା ଅନୁଯାୟୀ, ୧୯୬୨ ମସିହାରେ ଦେଶର ଦ୍ବିତୀୟ ସର୍ବପୁରାତନ ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ ୫୯୯.୩୪ ଏକର ଜମି ଉପରେ ପରିବ୍ୟାପ୍ତ ଥିଲା। ମାତ୍ର ଆଜି ଏହା ସଙ୍କୁଚିତ ହୋଇ ୨୦୩ ଏକରରେ ପହଞ୍ଚିଛି। ଓୟୁଏଟିର ଏହି ଜମି ସଙ୍କୋଚନ ଯୋଗୁଁ ଚାଷୀଙ୍କ ନୂତନ ବିହନ ତିଆରି ସଂକ୍ରାନ୍ତ ଗବେଷଣା ନୁହେଁ ବିଦ୍ୟାର୍ଥୀଙ୍କ ପ୍ରାକ୍ଟିକାଲ ପାଠ ସର୍ବାଧିକ ପ୍ରଭାବିତ ହେଉଥିବା ନେଇ କଲେଜ ବିଦ୍ୟାର୍ଥୀମାନେ ଗୁରୁତର ଅଭିଯୋଗ କରିଛନ୍ତି। ଜଣେ ବିଦ୍ୟାର୍ଥୀ କହିଛନ୍ତି, ଓୟୁଏଟି ଜମି ଅନ୍ୟତ୍ର ବ୍ୟବହାର ଯୋଗୁଁ ଅନେକ ଫସଲ ଚାଷ ବନ୍ଦ ହୋଇ ସାରିଲାଣି।
ସେହି ଅନୁଯାୟୀ ପ୍ରାକ୍ଟିକାଲ ହୋଇ ପାରୁ ନାହିଁ। ଉଦାହରଣ ସ୍ବରୂପ, ପୂର୍ବରୁ ଯେଉଁ ପ୍ଲଟରେ ହରଡ଼ ଚାଷ ହେଉଥିଲା, ସେଠାରେ ଧଳା କୋଠାର ଏକ ବଡ଼ ପ୍ରଶିକ୍ଷଣ କେନ୍ଦ୍ର ଯୋଗୁଁ ତାହା ବନ୍ଦ ହୋଇ ଯାଇଛି। ହରଡ଼ ଚାଷ କେବଳ ଢିପଜମିରେ ହେଉଥିବାରୁ ତାର ପ୍ରାକ୍ଟିକାଲ ପାଇଁ ବିକଳ୍ପ ବ୍ୟବସ୍ଥା ହୋଇ ପାରୁ ନାହିଁ। ସୋରିଷ, ମକା, ଧାନ ଭଳି ଅନେକ ଚାଷ ସଙ୍କୁଚିତ ହୋଇସାରିଲାଣି। ପୂର୍ବରୁ ପ୍ରାକ୍ଟିକାଲ ପାଇଁ ୧ ଏକର ଜମିରେ ୧୦ ଜଣ ବିଦ୍ୟାର୍ଥୀ ପାଠପଢୁଥିଲେ। ବର୍ତ୍ତମାନ ୨୦ ଜଣ ପଢୁଛନ୍ତି। ତେଣୁ ଅନେକ ବିଷୟରେ ବିସ୍ତୃତ ଭାବରେ ଜାଣିବାର ସୁଯୋଗ ନାହିଁ। କେବଳ ସ୍ମାର୍ଟବୋର୍ଡରେ କ୍ଲାସ ହେଉଛି ସିନା ଫିଲ୍ଡ ଯିବାର ସୁଯୋଗ ନାହିଁ। ସ୍ଥିତି ଏଭଳି ଯେ ଘାସ ଚାଷ କେମିତି ହୁଏ ଦେଖିବାକୁ ଚାହିଁଲେ ବାହାରୁ ଘାସ ଆଣି ଦେଖାଇ ଦେଉଛନ୍ତି। ଏଥିଯୋଗୁଁ ପ୍ରକୃତ ପାଠ ବାଧାପ୍ରାପ୍ତ ହେଉଛି। ଆଉ ଜଣେ ବିଦ୍ୟାର୍ଥୀଙ୍କ ମତରେ, କୃଷି ପାଠ ପ୍ରାକ୍ଟିକାଲ ଭିତ୍ତିକ ଅଟେ। କିନ୍ତୁ କିଛି ବ୍ୟାଚ୍ ହେଲା ଏହା ଥିଓରିରେ ସୀମିତ ହୋଇ ଯାଇଛି। ପୂର୍ବ ବିଦ୍ୟାର୍ଥୀଙ୍କ ଭଳି ସେମାନଙ୍କ ପାଖରେ ଫସଲ ଉତ୍ପାଦନର ପ୍ରତିଟି କାର୍ଯ୍ୟ ଜମିରେ ଦେଖି ଜାଣିବାର ସୁଯୋଗ ନାହିଁ। ବରଂ କ୍ରପ୍ ପ୍ରଡକ୍ସନ ଭଳି ପାଠ ମଧ୍ୟ ବହି ପଢି ଜାଣୁଛନ୍ତି। କେବଳ ତଳି ପକାଇବା, ମଞ୍ଜି ବୁଣିବା ଆଦିର ପ୍ରାକ୍ଟିକାଲ୍ କରିବା ସମ୍ଭବ ହୋଇଛି। ମକା ଏବଂ ହରଡ଼ ଡାଲି ଗବେଷଣା କ୍ଷେତ୍ର ଜମିରେ ଅଡିରୋଟିୟମ୍ ଏବଂ ହଷ୍ଟେଲ୍ ନିର୍ମାଣ ପରେ ବର୍ତ୍ତମାନ ମକା, ହରଡ଼ ଚାଷ ପ୍ରାକ୍ଟିକାଲ ପାଇଁ ବିଦ୍ୟାର୍ଥୀମାନଙ୍କୁ ବରମୁଣ୍ଡା ଯିବାକୁ ପଡ଼ୁଛି। ଏଣେ ଓୟୁଏଟି କ୍ୟାମ୍ପସ୍ ଜବରଦଖଲ ହେବା ଯୋଗୁଁ ଅସମାଜିକ ବ୍ୟକ୍ତିଙ୍କ ପ୍ରଭାବ ବଢୁଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଗୁରୁତ୍ବ ଦେବା ଉଚିତ ବୋଲି ଅଭିଯୋଗ ହୋଇଛି। ଚେଷ୍ଟା କରାଯାଇଥିଲେ ମଧ୍ୟ ଏହାକୁ ନେଇ ଓୟୁଏଟି କର୍ତ୍ତୃପକ୍ଷଙ୍କ ମତାମତ ମିଳି ପାରି ନାହିଁ।