ପୁରୀ : ପୂର୍ବତନ ମନ୍ତ୍ରୀ ତଥା ‌ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ବିରୋଧରେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଆଜି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ଦାସବର୍ମା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଥିବା ସମୟରେ ନିଜ କ୍ଷମତାର ଅପବ୍ୟବହାର କରିଥିବା ଉପାସନା ଅଭିଯୋଗ କରିଛନ୍ତି।

Advertisment

ଜିଲ୍ଲାପାଳଙ୍କୁ ହୋଇଥିବା ଅଭିଯୋଗରେ ଉପାସନା ଦର୍ଶାଇଛନ୍ତି, କୃଷ୍ଣପ୍ରସାଦ ବ୍ଲକ୍‌ରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା(ଜିଜିୱାଇ) କାମରେ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଅର୍ଥ ଶ୍ରୀ ଦାସବର୍ମା ନିଜ ବିଳାସବ୍ୟସନ ପାଇଁ ଗଞ୍ଜାମ ସ୍ଥିତ ପାଞ୍ଚ ତାରକା ହୋଟେଲରେ ବିନିଯୋଗ କରିଛନ୍ତି। ଏ ବାବଦକୁ ୩୨ହଜାର ୨୪୯ ଟଙ୍କା ଖର୍ଚ୍ଚ କରାଯାଇଛି। ଯେଉଁ ଅର୍ଥ ୨୦୨୨ ଜାନୁଆରି ୨୫ ତାରିଖରେ କୃଷ୍ଣପ୍ରସାଦ ବ୍ଲକ କର୍ତ୍ତୃପକ୍ଷ ଜିଜିୱାଇ ଅର୍ଥରୁ ସଂପୃକ୍ତ ହୋଟେଲକୁ ପ୍ରଦାନ କରିଛନ୍ତି। ସେହିଭଳି ୨୦୨୨ ଏପ୍ରିଲ ୨୨ ତାରିଖରେ ଛତ୍ରପୁର ସର୍କିଟ୍‌ ହାଉସରେ ରହଣୀ ସମୟରେ ଖାଦ୍ୟପେୟ ପାଇଁ ୬ହଜାର ୯ଶହ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅର୍ଥ ବି କୃଷ୍ଣପ୍ରସାଦ ବ୍ଲକ୍‌ କର୍ତ୍ତୃପକ୍ଷ ଛତ୍ରପୁର ସର୍କିଟ୍‌ ହାଉସ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି। ଜିଲ୍ଲାକୁ ଆସୁଥିବା ସରକାରୀ ଅର୍ଥର ଏଭଳି ବିନିଯୋଗକୁ ଆମେ ଦୃଢ଼ ବି‌ରୋଧ କରୁଛୁ। ଏହାର ବିଧିବଦ୍ଧ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଉପାସନା ଦାବି କରିଛନ୍ତି। ଉପାସନାଙ୍କ ସହ ଉତ୍ତମ ‌କୁମାର ଜେନା, ମଳୟ କୁମାର ଜେନା, ପ୍ରଦୀପ କୁମାର ଜେନା, ପ୍ରଦୀପ୍ତ କୁମାର ବେହେରା, ସଂଗ୍ରାମ କେଶରୀ ଜେନା ପ୍ରମୁଖ ଆଜି ଜିଲ୍ଲାପାଳଙ୍କୁ ଭେଟି ଏହି ଲିଖିତ ଅଭି ଯୋଗ ଦେଇଛନ୍ତି।

ଏ ସମ୍ପର୍କରେ ଶ୍ରୀ ଦାସବର୍ମାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଅଭିଯୋଗ ପଛରେ କୌଣସି ବାସ୍ତବତା ନାହିଁ। ଅଭିଯୋଗ କରିବା ନାଁରେ ଜଣେ ଯାହା ବି ଅଭିଯୋଗ କରିପାରେ। ତେବେ ଯେଉଁ ଅଭିଯୋଗ ହୋଇଛି, ତାହା ବିଡିଓଙ୍କ ବିରୋଧରେ। ଟଙ୍କା ପ୍ରକୃତରେ ଖର୍ଚ୍ଚ ହୋଇଛି କିମ୍ବା ନାହିଁ, ସେ ସମ୍ପର୍କରେ କୃଷ୍ଣପ୍ରସାଦ ବିଡିଓ ଠିକ୍‌ ଉତ୍ତର ଦେଇପାରିବେ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।