ସହରର ବିବିଧ ସମସ୍ୟାକୁ ନେଇ ଥାନା ଅଧିକାରୀଙ୍କୁ ଦାବିପତ୍ର

ଜୟପୁର: ସହରର ବିବିଧ ସମସ୍ୟାକୁ ନେଇ ନୂଆରେ ଟାଉନଥାନା ଆଇଆଇସି ଭାବେ ଯୋଗ ଦେଇଥିବା ସମ୍ବିତ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସ୍ମାରକପତ୍ର ପ୍ରଦାନ କରିଛି ‘ସାହାଯ୍ୟ- ଦି-ହେଲଫିଂ ହ୍ୟାଣ୍ଡ ’’। ସ୍ମାରକପତ୍ରପ୍ରଦାନ ବେଳେ କାର୍ତ୍ତିକ ରାଉତ, ପବିତ୍ର ମୋହନ ପାତ୍ର, ରାମପ୍ରସାଦ ପାଣିଗ୍ରାହୀ, ସୁଶାନ୍ତ କୁମାର ପଣ୍ଡା, ଶ୍ରୀକାନ୍ତ ଦାଶ, ଜୟନ୍ତ ଦାଶ, ବି.ରମେଶ ରସ, ସତ୍ୟନାରାୟଣ ତ୍ରିପାଠୀ, ଜୟନ୍ତ କୁମାର ସାନ୍ତ୍ରା, ସୁଧାଂଶୁ ରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ନିଜେ ଥାନା ଆଇଆଇସି ଶ୍ରୀ ବେହେରା ଏହାକୁ ଗ୍ରହଣ କରିଥିଲେ।

ଏହି ସ୍ମାରକପତ୍ରରେ ସହରର ମୁଖ୍ୟଛକରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଗୁଡିକ ଅଚଳ ରହିଥିବାରୁ ତାହାକୁ ତୁରନ୍ତ ସଚଳ କରିବାକୁ ଦାବି କରାଯାଇଛି। ସିସିଟିଭି କ୍ୟାମେରା କାମ କରୁ ନଥିବାରୁ ଗାଡ଼ି ଚୋରୀ ଓ ଲୁଟ ତରାଜ ବୃଦ୍ଧି ପାଇଥିବା ଅବଗତ କରାଯାଇଥିଲା। ମୁଖ୍ୟଟ୍ରାଫିକ ଛକରୁ ରାଜନହର ପର୍ଯ୍ୟନ୍ତ ‌ଦୈନିକ ବଜାର, ୱେଲକମ୍ ଛକ ଆଦି ସ୍ଥାନରେ ରାସ୍ତାର ଦୁଇ ପାର୍ଶ୍ବରେ ଶହ ଶହ ଗାଡ଼ି ପାର୍କିଂ ହୋଇ ରହିବାରୁ ବହୁ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଗାନ୍ଧୀଛକରୁ ଟ୍ରାଫିକ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ଶହ ଶହ ଗାଡ଼ି ଦିନ ରାତି ପାର୍କିଂ କରି ରହୁଥିବାରୁ ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ସଂଘଟିତ ହେଉଛି।

ସେଭଳି ରାତି ସମୟରେ ନୂଆ ବସଷ୍ଟାଣ୍ଡ, ସରକାରୀ ବସଷ୍ଟାଣ୍ଡ, ହାନାଗୁଡା ପଡ଼ିଆ, ପ୍ରାଥମିକ ବିଦ୍ୟାଳୟ ପରିସର,ପୁରୁଣାଗଡ଼ ଅଙ୍ଗନୱାଡୀ କେନ୍ଦ୍ର, ଭୁତନାଥ ମନ୍ଦିର, ସୂର୍ଯ୍ୟମହଲ ଆଦି ସ୍ଥାନରେ ଜୁଆଡ୍ଡି, ନିଶାଖୋର ଓଅସାମାଜିକ ମାନେ ଜମା ହୋଇ ରହୁଥିବା ଅଭିଯୋଗ କରାଯାଇଥିଲା। ଏସବୁ ସ୍ଥାନରେ ବ୍ୟାପକ ଭାବେ ପାଟ୍ରୋଲିଂ କରାଯିବାକୁ ଦାବି କରାଯାଇଥିଲା। ଦାବି ଗୁଡିକୁ ନେଇ ଆଇଆଇସି ଶ୍ରୀ ବେହେରା ଆଲୋଚନା କରିବା ସହ ସେ ଏ ଗୁଡିକର ସମାଧାନ ଦିଗରେ ପ୍ରୟାସ କରିବେ ଏବଂ ଏଥିରେ ଜନସାଧାରଣଙ୍କ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର