ସାଂସଦ ପିନାକୀ ମିଶ୍ରଙ୍କ ନାମରେ ସଙ୍ଗିନ୍‌ ଅଭିଯୋଗ : ବିଭିନ୍ନ ନିଯୋଗରୁ ନେଇଛନ୍ତି ୨୫ ଲକ୍ଷ

ପୁରୀ : ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ନାମରେ ଆସିଛି ଏକ ସାଂଘାତିକ ଅଭିଯୋଗ। ସାଂସଦ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀ ମିଶ୍ର ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂପର୍କିତ ମାମଲାରେ ସେବକଙ୍କୁ ସୁହାଇଲା ଭଳି ରାୟ ଦେବାକୁ ବିଭିନ୍ନ ନିଯୋଗରୁ ୨୫ ଲକ୍ଷ ଟଙ୍କା ନେଇଛନ୍ତି। ଏ ସଂପର୍କରେ ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗର ସଭ୍ୟ ସୋମନାଥ ଖୁଣ୍ଟିଆ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରି ସାଂସଦଙ୍କ ନାମରେ ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି। ତେବେ ଏହି ଅଭିଯୋଗକୁ ସାଂସଦ ଶ୍ରୀ ମିଶ୍ର ଖଣ୍ଡନ କରିବା ସହିତ ଏହାର କୌଣସି ସତ୍ୟତା ନଥିବା କହିଛନ୍ତି। ସୋମନାଥ ଖୁଣ୍ଟିଆ ଦାଖଲ କରିଥିବା‌ ସତ୍ୟପାଠକୁ ମାନ୍ୟବର ସୁପ୍ରିମ୍ କୋର୍ଟ ଖାରଜ୍‌ କରି ଦେଇଥିବା ସାଂସଦ ଶ୍ରୀ ମିଶ୍ର ‘ସମ୍ବାଦ’କୁ କହିଥିବାବେଳେ ସେ କୌଣସି ନିଯୋଗରୁ ଟଙ୍କାଟିଏ ବି ନେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ସାଂସଦ ଶ୍ରୀ ମିଶ୍ର ତାଙ୍କ ଜୁନିଅର ଓକିଲଙ୍କ ଦ୍ବାରା ଏହି ମାମଲା ପରିଚାଳନା କରିବା ସହ ସେମାନଙ୍କ ନାମ ‌ଯେମିତି ପ୍ରଘଟ ନ ହେବ ସେଥିପ୍ରତି ସତର୍କ ରହିବାକୁ କହିଥିବା ଶ୍ରୀ ଖୁଣ୍ଟିଆ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ଏ ବାବଦରେ ସାଂସଦ ଶ୍ରୀ ପ୍ରତିହାରୀ ନିଯୋଗରୁ ୫ ଲକ୍ଷ, ସୁପକାର ନିଯୋଗରୁ ୫ ଲକ୍ଷ, ଭିତର ସେବାୟତ ନିଯୋଗରୁ ୫ ଲକ୍ଷ, ପୁଷ୍ପାଳକ ନିଯୋଗରୁ ୫ ଲକ୍ଷ ଓ ଖୁଣ୍ଟିଆ ନିଯୋଗରୁ ୫ ଲକ୍ଷ ଟଙ୍କା ନେଇଥିବା ସେ ତାଙ୍କ ସତ୍ୟପାଠ‌ରେ ଉଲ୍ଲେଖ କରିଛନ୍ତି। ଶ୍ରୀ ଖୁଣ୍ଟିଆଙ୍କ ସତ୍ୟପାଠକୁ ନେଇ ବିଭିନ୍ନ ନିଯୋଗ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅଭିଯୋଗର ସତ୍ୟତା ସଂପର୍କରେ ତଦନ୍ତ କରିବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ସଂସ୍କାର ପାଇଁ ଆଇନଜୀବୀ ମୃଣାଳିନୀ ପାଢୀ ସୁପ୍ରିମ୍ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିବା ପରେ ସେବକମାନେ ଅକଳରେ ପଡିଥିଲେ। ସୁପ୍ରିମ‌କୋର୍ଟ ଦା‌ନ ଦକ୍ଷିଣା ଉପ‌ରେ କଟକଣା ଲଗାଇବା ସହିତ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ, ଅନ୍ନଦାନ ଆଟିକା ସମେତ ୧୨ଟି ଆଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ସେବାୟତମାନେ ଆଇନ ଯୁଦ୍ଧ ଲଢିବା ପାଇଁ ସାହାରା ଖୋଜୁଥିବା ବେଳେ ସେବକମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ସାଂସଦ ପିନାକୀ ମିଶ୍ରଙ୍କୁ ଆଇନଗତ ପରାମର୍ଶ ଓ ସହାୟତା ପାଇଁ ପୁରୀ ଓ ଭୁବନେଶ୍ବରରେ ଏକାଧିକ ବାର ଭେଟିଥିଲେ। ପ୍ରକାଶଥାଉକି, ସାଂସଦଙ୍କ ନାମରେ ଅଭିଯୋଗ ଆଣିଥିବା ସୋମନାଥ ଖୁଣ୍ଟିଆ ପୁରୀ ହିଂସା ଘଟଣାରେ ଅନ୍ୟତମ ଅଭିଯୁକ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର