ଭୁବନେଶ୍ବର: ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ପୂର୍ବ ସରକାରଙ୍କ ୧୨ ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ। ବିଜେଡି ସରକାର ଆରମ୍ଭ କରିଥିବା ବିକାଶମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା। ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି। ସେମାନେ ଆମ୍ବଟାକୁଆ ଖାଉଛନ୍ତି। ଏହା ବହୁତ ଦୁଃଖର କଥା। ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି। ଏହା ଅତି ଗମ୍ଭୀର ପ୍ରସଙ୍ଗ କହି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ବିଜୁ ଛାତ୍ର ଜନତା ଦଳର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ କର୍ମଶାଳାକୁ ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ବିଜେଡି ସରକାର ଲୋକଙ୍କ ପାଇଁ ବହୁତ ଭଲ କାମ କରିଛି। ଆମ ଯୋଜନା ଅନ୍ୟମାନଙ୍କ ପାଇଁ ମଡେଲ ସାଜିଛି। କେନ୍ଦ୍ର ସରକାର ମଧ୍ୟ ଏହାକୁ ଅନୁକରଣ କରିଛନ୍ତି। ଭୋଟ ରାଜନୀତି କେବେ ବି ଦଳର ଲକ୍ଷ୍ୟ ନୁହେଁ। ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ବହୁତ ଯୋଜନା ବିଜେପି ସରକାର ବନ୍ଦ କରି ଦେଇଛନ୍ତି। ବିକାଶ ଓ କଲ୍ୟାଣ ହେଉଛି ଦଳର ଫୋକସ୍‌। ବିଜେଡି ଓଡ଼ିଶାର ଏକ ନମ୍ବର ଦଳ। ଗତ ନିର୍ବାଚନରେ ଦଳ ଅଧିକ ଭୋଟ ପାଇଛି। ତେଣୁ ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ରହିଛି। ଆଜିର ଯୁବ ଓ ଛାତ୍ରମାନେ ହେଉଛନ୍ତି ବିଜେଡିର ଭବିଷ୍ୟତ। ସୋସିଆଲ ମିଡିଆରେ ସକ୍ରିୟ ରହି ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ। ଓଡ଼ିଆ ସ୍ୱାଭିମାନର ସୁରକ୍ଷା କରିବାକୁ ସମସ୍ତେ କାମ ଜାରି ରଖିବାକୁ ସେ ଆହ୍ବାନ ଦେଇଛନ୍ତି। ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ ଦଳରେ ସାମିଲ ‌ହେଉଛନ୍ତି। 

ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଲେ, ସଙ୍ଗଠନ ପକ୍ଷରୁ ପ୍ରତି ଶିକ୍ଷାନୁଷ୍ଠାନରେ ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବ। ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦଳରେ ଯୋଡ଼ାଯିବ। ଏହି କାର୍ଯ୍ୟକ୍ରମରେ ବିଜେଡି ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଦସ୍ୟତା ଅଭିଯାନ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ, କାର୍ଯ୍ୟକ୍ରମ ସମନ୍ବୟ କମିଟି ଆବାହକ ସଞ୍ଜୟ ଦାସବର୍ମା, ବରିଷ୍ଠ ନେତା ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଅଶୋକ ପଣ୍ଡା ଓ ବିଜୟ ନାୟକ ଉପସ୍ଥିତ ରହି ଛାତ୍ରନେତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସଦସ୍ୟତା ଅଭିଯାନ କର୍ମଶାଳାରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷନୁଷ୍ଠାନ ଛାତ୍ରଛାତ୍ରୀ ସାମିଲ ହୋଇ ମତ ରଖିଥିଲେ।

କିଛି ତପସ୍ୟା କରୁନଥିଲେ; ରାଜ୍ୟକୁ ଲୁଟୁଥିଲେ: କୃଷ୍ଣ ପାତ୍ର

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜବାବ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଯଦି ୧୨ବର୍ଷ ତପସ୍ୟା କରିଥା’ନ୍ତେ ତେବେ ଓଡ଼ିଆ ଠିକ୍‌ରେ କହିପାରିଥା’ନ୍ତେ। ସେ ଆଦୌ ତପସ୍ୟା କରିନାହାନ୍ତି। ତାଙ୍କ ସରକାର ସମୟରେ ମନ୍ତ୍ରୀ, ବିଧାୟକମାନେ କେବେଳ ରାଜ୍ୟକୁ ଲୁଟିଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ତାଙ୍କ ସରକାର ଥିବାବେଳେ ଟିକିରି ଓ କାଶୀପୁରରେ ଆମ୍ବ ଟାକୁଆ ଖାଇ ୧୬ଜଣ ଲୋକ ମରିଥିଲେ।  ସେତେବେଳେ କ’ଣ ଚାଉଳ ଦେଇପାରି ନଥି‌ଲ? ସେତେବେଳେ କି ତପସ୍ୟା କରୁଥି‌ଲ? ନା ତା’ ପରେ ତପସ୍ୟା କଲ? ଯଦି ତପସ୍ୟା କରୁଥିଲେ ବୋଲି କହୁଛନ୍ତି ‌ତେବେ ମନ୍ତ୍ରୀ ନବ ଦାସ ମୃତ୍ୟୁ, କୁନ୍ଦୁଲି, ବେବିନା, ପରୀ ଘଟଣା କ’ଣ ତପସ୍ୟାର ଫଳ ଥିଲା? ରାଜନୈତିକ ଫାଇଦା ଉଠାଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ୟମ କରୁଛନ୍ତି ତାହା ସଫଳ ହେବନି। ସ୍ବାସ୍ଥ୍ୟ ବିଭାଗ ତଦନ୍ତ‌ କରି କହିଛି ଯେ ବିଷାକ୍ତ ଖାଦ୍ୟ ଖାଇ ତାଙ୍କର ମୃତ୍ୟୁ ହୋଇଛି। ଚାଉଳ ଅଭାବ ଯୋଗୁ ତାଙ୍କର ମୃତ୍ୟୁ ହୋଇନି।