ସରିଲା ମାଟ୍ରିକ୍ ପରୀକ୍ଷା: ଏପ୍ରିଲ୍ ୩ରୁ ମୂଲ୍ୟାୟନ

୫୬ମୂଲ୍ୟାୟନ କେନ୍ଦ୍ର, ଗଣିତ ଅବ୍‌ଜେକ୍ଟିଭ୍‌ ପ୍ରଶ୍ନପତ୍ରରେ ତ୍ରୁଟି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ମାସ ୧୦ତାରିଖରୁ ଆରମ୍ଭ ହୋଇଥିବା ହାଇସ୍କୁଲ ସାର୍ଟିଫ‌ିକେଟ୍‌(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍)ର ଦ୍ବିତୀୟ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌‌ଏ-୨) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍(ଓପନ୍ ସ୍କୁଲ) ସୋମବାର ଶେ‌ଷ ହୋଇଛି।

ସୋମବାର ଦିନ ଗଣିତ ବିଷୟ ପରୀକ୍ଷା ‌ହୋଇଥିଲା। ଗଣିତ ପରୀକ୍ଷାରେ ୩୦ ଜଣ ମାଲ୍‌ପ୍ରାକ୍ଟିସ୍ ହୋଇଥିବା ବେଳେ ଆଜି ମାଟ୍ରିକ୍‌ ପରୀକ୍ଷାରେ ୧୬ହଜାରରୁ ଅଧିକ, ମଧ୍ୟମା ଓ ଓପନ୍‌ ସ୍କୁଲରେ ୫ଶହରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। ଗଣିତ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ ପିଲାଙ୍କୁ ଅବ୍‌ଜେକ୍ଟିଭ୍ ବିଭାଗରେ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିଥିଲା। ଅର୍ଥାତ୍‌ ଗଣିତ ପରୀକ୍ଷା ୧୨ଟା ୧୫ମିନିଟ୍‌ରେ ଶେଷ ହୋଇଥିଲା। କିନ୍ତୁ, ଗଣିତ ପ୍ରଶ୍ନପତ୍ରରେ ମଧ୍ୟ ତ୍ରୁଟି ରହିଥିବା ଜଣାପଡ଼ିଛି। ଗଣିତ ଅବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ରର ୪୪ ନମ୍ବର ପ୍ରଶ୍ନରେ ଦିଆଯାଇଥିବା ୪ଟି ବିକଳ୍ପ ଉତ୍ତର ମଧ୍ୟରୁ କେଉଁ ଗୋଟିଏ ଠିକ୍ ଉତ୍ତର ନୁହେଁ। ଏହାର ଠିକ୍ ଉତ୍ତର ୮୮୦ ଟଙ୍କା ହୋଇଥିବା ବେଳେ ଏହି ଉତ୍ତରଟି କିନ୍ତୁ ଏ, ବି, ସି, ଡି ଅପ୍‌ସନ୍‌ରେ ନଥିଲା। ଏନେଇ ବହୁ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ିଥିଲେ। କିଛି ଭଲପଲା ଏହି ପ୍ରଶ୍ନଟିକୁ ଛ‌ାଡ଼ିଦେଇଥିବା ସୂଚନା ମିଳିଛି। ସେହିପରି ଅବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ରର ୧୨ନଂ ପ୍ରଶ୍ନରେ ଓଡ଼ିଆ ଉତ୍ତର ଓ ଏହାର ଇଂରାଜୀ ଅନୁବାଦ ମଧ୍ୟରେ ଫରକ୍ ଥିବା ସୂଚନା ମିଳିଛି। ଏହି କ୍ଷେତ୍ରରେ ପିଲାଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି।

ସୋମବାର ଦିନ ପରୀକ୍ଷା ସରିଥିବା ବେଳେ ବିଭିନ୍ନ ବିବସରେ ମୋଟ ୨୨୫ଜଣ ପରୀକ୍ଷାର୍ଥୀ ମାଲ୍‌ପ୍ରାକ୍ଟିସ୍ ହୋଇଥିବା ଜଣାପଡ଼ିଛି। ସେହିପରି ପ୍ରଥମଦିନ ପ୍ରଥମ ଭାଷା ପରୀକ୍ଷାରେ ୧୮ହଜାରରୁ ଅଧିକ ମାଟ୍ରିକ୍ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ଅବଶିଷ୍ଟ ପ୍ରତି ପରୀକ୍ଷାରେ ୧୬ହଜାରରୁ୍ ଅଧିକ ମାଟ୍ରିକ୍‌ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡ଼ିଛି। ‌ସେହିପରି ମଧ୍ୟମା ଓ ମୁକ୍ତବିଦ୍ୟାଳୟରେ ପ୍ରତି ଦିନ ପାଖାପାଖି ୫ଶହରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି। ଆସନ୍ତା ଏପ୍ରିଲ୍ ୩ତାରିଖରୁ ଖାତା ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ ସୂଚନା ମିଳିଛି।

ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ କହିବା ଅନୁସାରେ, ଶେଷ ଦିନ ଗଣିତ ପରୀକ୍ଷା ସମେତ ସମସ୍ତ ପରୀକ୍ଷା ଶାନ୍ତିଶୃଙ୍ଖଳାରେ ସମାପ୍ତ ହୋଇଛି। ଆସନ୍ତା ୩ତାରିଖରୁ ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ଖାତା ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ତିଆରି ହୋଇଛି। ମୂଲ୍ୟାୟନ ପ୍ରକ୍ରିୟା ୧୨ଦିନରେ ଶେଷ କରିବାକୁ ଯୋଜନା ରହିଛି। ପରୀକ୍ଷା ମଧ୍ୟରେ ଯେଉଁ ପ୍ରଶ୍ନପତ୍ରରେ କିଛି ମୁଦ୍ରଣଜନିତ ତ୍ରୁଟି ରହିଛି, ସେ କ୍ଷେତ୍ରରେ ପିଲାଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯିବ। ତେଣୁ ଏବିଷୟରେ ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ବ୍ୟସ୍ତ ନ ହେବାକୁ ସଭାପତି ଶ୍ରୀ ହାଜରା ପରାମର୍ଶ ଦେଇଛନ୍ତି।
ସୂଚନା ଯୋଗ୍ୟ, ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପାଇଁ ମୋଟ ୫ଲକ୍ଷ ୪୧ହଜାର ୨୪୭ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ର ପରୀକ୍ଷା ଅନୁ‌ଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ସାଇତି ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା। ।

ସମ୍ବନ୍ଧିତ ଖବର