ସରିଲା ଟିକାକରଣ ଅବଧି : ଟିକା ନେଲେନି ୧୫% ସ୍ବାସ୍ଥ୍ୟକର୍ମୀ

ସୋମବାରରୁ ଦ୍ବିତୀୟ ଡୋଜ୍ ଟିକାକରଣ

ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ନେବା ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ଅବଧି ଆଜି ଶେଷ ହୋଇଛି। ଏହି ସମୟ ଭିତରେ ୮୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ଆହୁରି ୧୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ନାହାନ୍ତି। ତୃତୀୟବାର ଏହି ଅବଧିକୁ ରାଜ୍ୟ ସରକାର ବଢ଼ାଇବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଯାହାଫଳରେ ୫୧ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ ସରକାରୀ ଟିକା ଦିଆଯିବ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।

ଚଳିତମାସ ୧୦ତାରିଖ ସୁଦ୍ଧା ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ମାତ୍ର ଏହି ସମୟ ଭିତରେ ବହୁ ସଂଖ୍ୟାରେ ସ୍ବାସ୍ଥ୍ୟକର୍ମୀ ଟିକା ନେଇପାରି ନ ଥିଲେ। ବାଧ୍ୟହୋଇ ସରକାର ପ୍ରଥମ ଡୋଜ୍ ଟିକାକରଣରୁ ୩ଦିନ ଅର୍ଥାତ୍ ୧୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ଏହି ଅବଧି ଶେଷ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ୨ଲକ୍ଷ ୮୭ହଜାର ୪୪୨ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ପଞ୍ଜୀକୃତ ହୋଇଥିବା ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଆହୁରି ୫୧,୨୫୮ଜଣ ଟିକା ନେଇନାହାନ୍ତି। ଆସନ୍ତା ସୋମବାରଠାରୁ ରାଜ୍ୟରେ ଦ୍ବିତୀୟ ଡୋଜ୍ ଟିକାକରଣ ଆରମ୍ଭ ହେଉଥିବା ବେଳେ ସେମାନଙ୍କୁ ଟିକା ଦେବା ଆଉ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରେ ସର୍ବାଧିକ ୯୪.୪ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଏହାଛଡ଼ା ସମ୍ବଲପୁର ଓ ପୁରୀରେ ୯୧ ପ୍ରତିଶତ, ଢେଙ୍କାନାଳ ଓ କେନ୍ଦୁଝରରେ ୯୦ ପ୍ରତିଶତ ଟିକାକରଣ ହୋଇଛି। କଟକରେ ସବୁଠାରୁ କମ୍ ମାତ୍ର ୭୦ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଖୋର୍ଧାରେ ୮୨ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆ ଯାଇଥିବା ବେଳେ ଭୁବନେଶ୍ବରରେ ୮୯ ପ୍ରତିଶତଙ୍କୁ ଟିକାଦାନ ସମ୍ଭବ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟରେ ୧୭୪ ଅଧିବେଶନରେ ୧୫,୯୯୩ ସ୍ବାସ୍ଥ୍ୟକର୍ମୀ/ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକା ପ୍ରଦାନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ୭୭ ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିଛି। ଗୋଟିଏ ଦିନରେ ୧୨,୨୬୯ ଜଣ ଟିକା ନେଇଛନ୍ତି। ୯ଟି ଜିଲ୍ଲାରେ ଶତ ପ୍ରତିଶତରୁ ଅଧିକ ଟିକାକରଣ ହୋଇଥିବା ବେଳେ ଯାଜପୁରରେ ସର୍ବାଧିକ ୨୫୧ ପ୍ରତିଶତ ଟିକା ଦିଆଯାଇଛି। ବରଗଡ଼ରେ ସବୁଠାରୁ ନୈରାଶ୍ୟଜନକ ଭାବେ ୨୦ ପ୍ରତିଶତ ଟିକାକରଣ ହୋଇଛି। ସେହିପରି ପଞ୍ଜୀକୃତ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୧ଲକ୍ଷ ୨୪ହଜାର ୪୯୭ଜଣ ଟିକା ନେଇଛନ୍ତି। ଟିକାକରଣ ହାର ୬୧ ପ୍ରତିଶତ ରହିଛି।

ରାଜ୍ୟ ‌ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଦ୍ବିତୀୟବାର ବୃଦ୍ଧି ଅବଧି ଶେଷ ହୋଇଥିବା ବେଳେ ବଳକା ରହିଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଆଉ ତାରିଖ ବଢ଼ିବ କି ନାହିଁ ତାହା ନିଷ୍ପତ୍ତି ହୋଇନାହିଁ। ଯେଉଁମାନେ ଟିକା ନେଇ ନାହାନ୍ତି‌ ସେମାନଙ୍କୁ ଆଉ ଟିକା ଦିଆଯିବ ନାହିଁ। ଶତ ପ୍ରତିଶତ ଟିକାକରଣ ହାସଲ କରିବା ଏକପ୍ରକାର ଅସମ୍ଭବ ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର