ଏସ୍‌ସିବିରେ ଜଟିଳ ଅସ୍ଥିମଜ୍ଜା ପ୍ରତିରୋପଣ, ବାହାର ରାଜ୍ୟରେ ୧୫ ଲକ୍ଷ ଖର୍ଚ୍ଚ; ଓଡ଼ିଶାରେ ମାଗଣା

କଟକ : ଏସ୍‌ସିବି ମେଡିକାଲ୍‌ର ହେମାଟୋଲୋଜି ବିଭାଗରେ ଅସ୍ଥିମଜ୍ଜା ପ୍ରତିରୋପଣ (ବିଏମ୍‌ଟି) କରାଯାଇଛି। ଯାଜପୁର ରୋଡ୍‌ ପଦ୍ମପୁରର ରମାକାନ୍ତ ପ୍ରଧାନ (୫୧)ଙ୍କର ଶରୀରରେ ଷ୍ଟେମ୍‌ ସେଲ୍‌ ସଫଳତାର ସହ ପ୍ରତିରୋପଣ କରାଯାଇଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଆର‌୍‌.କେ. ଜେନା ସୂଚନା ଦେଇଛନ୍ତି। ବର୍ତ୍ତମାନ ରୋଗୀ ଜଣକ ସୁସ୍ଥ ଥିବାବେଳେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣରେ ରଖାଯିବ। ତେବେ ପ୍ରତିରୋପଣ ପାଇଁ ଷ୍ଟେମ୍‌ ସେଲ୍‌ ସ˚ଗ୍ରହ ଓ ପ୍ରତିରୋପଣ ପର୍ଯ୍ୟାୟ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା ବୋଲି ପ୍ରଫେସର ଜେନା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ରମାକାନ୍ତ ‘କ୍ଲାସିକାଲ ହଜକିନ୍‌ସ ଲିମ୍ଫୋମା’ ବା ଏକପ୍ରକାରର ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ପରେ ସେ ବେଙ୍ଗାଲୁରୁସ୍ଥିତ କିଡ୍‌ଵାଇ କର୍କଟ ରୋଗ ପ୍ରତିଷ୍ଠାନରେ ୬ଟି କେମୋଥେରାପି ନେଇଥିଲେ। କିନ୍ତୁ, କିଛିଦିନ ପରେ ରୋଗ ପୁଣିଥରେ ଲେଉଟି ଥିଲା। ଫଳରେ ସେ ପୁଣିଥରେ ବେଙ୍ଗାଲୁରୁ ଯାଇ ୩ମାସ ପର୍ଯ୍ୟନ୍ତ କେମୋ ଥେରାପି ନେଇଥିଲେ। ଏଥିରେ ତାଙ୍କର ପାଖାପାଖି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ସାରିଥିଲା। ପରେ ଡାକ୍ତର ତାଙ୍କୁ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। ପ୍ରତିରୋପଣ ପାଇଁ ମେଡିକାଲ ପକ୍ଷରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିଲାବେଳେ ୬ମାସରୁ ବର୍ଷେ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ରହିବାକୁ ହେବ ବୋଲି କୁହାଯାଇଥିଲା। କିନ୍ତୁ, ଏତେ ଟଙ୍କା ପାଖରେ ନଥିବାରୁ ସେ ଅସହାୟ ହୋଇ ପଡ଼ିଥିଲେ। ପରେ କଟକ ବଡ଼ ଡାକ୍ତରଖାନାରେ ଅସ୍ଥିମଜ୍ଜା ପ୍ରତିରୋପଣ ହେଉଥିବା ଜାଣିବା ପରେ ସେ ହେମାଟୋଲୋଜି ବିଭାଗ ସହିତ ଯୋଗାଯୋଗ କରିଥିଲେ। ଗଜ ଜୁନ୍‌ ୨୧ ତାରିଖରେ ରମାକାନ୍ତ ହେମାଟୋଲୋଜି ବିଭାଗର ବିଏମ୍‌ଟି ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ବିଭାଗରେ ଭର୍ତ୍ତି ହେବାପରେ ଏହି ଜଟିଳ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ଚିକିତ୍ସା ପାଣ୍ଠି ସମସ୍ତ ସହାୟତା ଯୋଗାଇ ଦେଇଥିଲା।

ପ୍ରଫେସର ଜେନାଙ୍କ କହିବା ଅନୁଯାୟୀ, ଏକ ନୂତନ ପଦ୍ଧତିରେ ରମାକାନ୍ତଙ୍କ ଶରୀରରୁ ଷ୍ଟେମ୍‌ ସେଲ୍‌ ସ˚ଗ୍ରହ କରାଯାଇଥିଲା। ଏହାକୁ ସ˚ରକ୍ଷିତ କରିବା ପାଇଁ କଲିକତାରୁ ସ୍ବତନ୍ତ୍ର ସାମଗ୍ରୀ ମଗା ଯାଇଥିଲା। ଷ୍ଟେମ୍‌ ସେଲକୁ (-)୮୦ ଡିଗ୍ରି ତାପମାତ୍ରାରେ ୬ଦିନ ପର୍ଯ୍ୟନ୍ତ ସ˚ରକ୍ଷିତ ରଖା ଯାଇଥିଲା। ଗତ ୬ଦିନ ଧରି ତାଙ୍କୁ ହାଇଡୋଜ୍‌ କେମୋ ଦିଆଯିବା ପରେ ଗୁରୁବାର ୩ଘଣ୍ଟାର ଅସ୍ତ୍ରୋପଚାର ପରେ ସଫଳତାର ସହ ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ କରାଯାଇଥିବା ପ୍ରଫେସର ଜେନା ସୂଚନା ଦେଇଛନ୍ତି। ଓଡ଼ିଶାରେ ଏଭଳି ରକ୍ତ କର୍କଟ ଏକ ସାଧାରଣ ରୋଗ ହୋଇଗଲାଣି। ଏହାର ଚିକିତ୍ସା ଅସ୍ଥିମଜ୍ଜା ପ୍ରତିରୋପଣ ଜରିଆରେ ସମ୍ଭବ ହୋଇପାରୁଛି। ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ହେଲେ, ସଚେତନତାର ଅଭାବ ଯୋଗୁଁ ରୋଗୀମାନେ ଘରୋଇ ହସ୍‌ପିଟାଲକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ସେ କହିଛନ୍ତି।

ଏସ୍‌ସିବିର ଏହି ୧୦୫ତମ ଅସ୍ଥିମଜ୍ଜା ପ୍ରତିରୋପଣରେ ପ୍ରଫେସର ଜେନାଙ୍କୁ ଡାକ୍ତର ସୁଧା ସେଠୀ, ଡାକ୍ତର ଆର‌୍‌.କେ. ନାୟକ, ଡାକ୍ତର ଏମ୍‌.ଏମ୍‌. ବିଶ୍ବାଳ, ଡାକ୍ତର ଡି.ଜେ. ପୃଷ୍ଟି ସହାୟତା କରିଥିଲେ। ଏମାନଙ୍କ ବ୍ୟତୀତ ପ୍ରଫେସର ଡାକ୍ତର ସ୍ମିତା ମହାପାତ୍ର, ପ୍ରଫେସର ଡାକ୍ତର ଏମ୍‌.ଆର‌୍‌. ପଟ୍ଟନାୟକ, ଡାକ୍ତର ଶରତ କୁମାର ପରିଡ଼ା ଅନ୍ୟାନ୍ୟ ପରୀକ୍ଷା କ୍ଷେତ୍ରରେ ସହଯୋଗ କରିଥିଲେ। ବିଭାଗର ନର୍ସି˚ କର୍ମଚାରୀ ସ୍ନେହଲତା ମଙ୍ଗରାଜ, ଅନ୍ନପୂର୍ଣ୍ଣା ସାମଲ, ର˚ଜିତା ଜେନା, ମନ୍ଦାକିନୀ ବେହେରା, ଲ୍ୟାବ ଟେକ୍ନିସିଆନ୍‌ ଆର‌୍‌.ଏନ୍‌. ସାହୁ, ଦେବୀପ୍ରସାଦ ଜେନା, ରଶ୍ମୀର˚ଜନ ଭୋଇ, ଲୋକନାଥ ବାରିକ, ସ˚ଗ୍ରାମ ବାରିକ ପ୍ରମୁଖ ପ୍ରତିରୋପଣ ପର୍ଯ୍ୟାୟରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର