କଟକ/ ବଲାଙ୍ଗୀର: ଓଡ଼ିଆ ଚଳଚ୍ଚିତ୍ର ‘ରାମ୍‌’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବଂ ଏ ପ୍ରସଙ୍ଗରେ ଓଲିଉଡ୍‌ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ମୁହାଁମୁହିଁ ହେବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ଏ ପ୍ରସଙ୍ଗରେ ବରିଷ୍ଠ ଅଭିନେତା ତଥା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ ମୁହଁ ଖୋଲି ଦୁଇ ତିନି ଦିନ ଭିତରେ ବିବାଦର ସମାଧାନ ହୋଇଯିବ ବୋଲି ଆଶା ପ୍ରକାଶ କରିଛନ୍ତି। କିନ୍ତୁ ତାଙ୍କର ବକ୍ତବ୍ୟ ଓ ଭୂମିକାକୁ ବରିଷ୍ଠ ଅଭିନେତା ମନୋଜ ମିଶ୍ର ପ୍ରଶ୍ନ କରିଛନ୍ତି।

Advertisment

ଆଜି କୁନା ତ୍ରିପାଠୀ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି, ନରସିଂହ ମିଶ୍ର ଜଣେ ଅତ୍ୟନ୍ତ ଜ୍ଞାନୀ ବ୍ୟକ୍ତି। ତାଙ୍କର ଅନେକ ବର୍ଷର ରାଜନୈତିକ ଅଭିଜ୍ଞତା ରହିଛି। ସେ ଜଣେ ପରିପକ୍ବ ମଣିଷ, ଅତ୍ୟନ୍ତ ଚମତ୍କାର ଆଇନଜ୍ଞ। ତେଣୁ ତାଙ୍କଠାରୁ ଏଭଳି କଥା ଆଶା କରାଯାଏ ନାହିଁ। ଦୁଇ ଜଣ ଅଭିନେତାଙ୍କ ଭିତରେ ବା ସିନେ ଜଗତରେ କଣ ହେଲା, ତାକୁ ନେଇ ଓଡ଼ିଶା ଭାଗ କରିବା ଭଳି କଥାଟେ ଗ୍ରହଣୀୟ ନୁହେଁ। ସେ ଯାହା ପୂର୍ବ ଓଡ଼ିଶା, ପଶ୍ଚିମ ଓଡ଼ିଶା ଭାଗଭାଗ କଥା ଉଠାଇଛନ୍ତି, ଯଦି ବାସ୍ତବରେ ସେମିତି କିଛି ଥାନ୍ତା, ତେବେ ଗଙ୍ଗାଧର ମେହେର ସ୍ବଭାବ କବି ଭାବେ ସାରା ଓଡ଼ିଶାରେ ପ୍ରାତଃସ୍ମରଣୀୟ ହୋଇ ନଥାନ୍ତେ। ଚଳଚ୍ଚିତ୍ର ଜଗତ କଥା ଦେଖିଲେ ପଶ୍ଚିମାଞ୍ଚଳରୁ ଆସିଥିବା ଶରତ ପୂଜାରୀ, ଅପରାଜିତା ମହାନ୍ତି ଆଜି ଏଡ଼େ ବଡ଼ ଷ୍ଟାର ହୋଇ ନଥାନ୍ତେ କି ସବ୍ୟସାଚୀ ମହାପାତ୍ର ଏତେ ବଡ଼ ନିର୍ଦ୍ଦେଶକ ହୋଇ ନଥାନ୍ତେ। ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଓ ଲେଖକ ନିର୍ମଳ ନାୟକ ତିଷ୍ଠି ନଥାନ୍ତେ। ପଶ୍ଚିମ ଓଡ଼ିଶା ପୂର୍ବ ଓଡ଼ିଶା ପ୍ରସଙ୍ଗ ଓଡ଼ିଆ ଚଳଚ୍ଚିତ୍ର ଫୋରମରେ ଆଲୋଚନା ହେବାର ଆବଶ୍ୟକତା ନାହିଁ। ଓଡ଼ିଶା ସିନେମାର ଅଭିନେତା ଓ ଅଭିନେତ୍ରୀଙ୍କ ସଂଘ ମାଧ୍ୟମରେ ଏ କଥାର ସମାଧାନ ହେବାର ଆବଶ୍ୟକତା ଥିଲା। ଏହା ଆଗକୁ ଯେ ସମାଧାନ ‌ହେବ ନାହିଁ, ତାହା ଭାବିବା ଭୁଲ। ଦୁଇ ଜଣଙ୍କୁ ଅନୁରୋଧ କରିବି, ସେମାନେ ଆସିବେ ଆଉ ଦୁଇ ତିନି ଦିନ ଭିତରେ ଏହି କଥାର ନିଶ୍ଚିତ ଭାବେ ସମାଧାନ ହେବ। ଯେଉଁମାନେ ପର ଘର କଜିଆରେ ଘିଅ ପକାଇବାକୁ ବନ୍ଦୋବସ୍ତ କରୁଛନ୍ତି ଦୟା କରି ସେମିତି କରନ୍ତୁ ନାହିଁ। ମନୋଜ ମିଶ୍ର, ଅରିନ୍ଦମ କି ଅନୁଭବ ହୁଅନ୍ତୁ, ଏମାନେ ପୁଣି ଏକାଠି ହୋଇଯିବେ। କଳାକାରମାନେ ପରସ୍ପରର ଭାଇ ଭାଇ। ଆମ ଭିତରେ ପାରିବାରିକ ସଂପର୍କ। ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରିରେ ଏ ପର୍ଯ୍ୟନ୍ତ ସାର୍ ମ୍ୟାଡମ ଚାଲି ନାହିଁ। ଭାଇ, ଦାଦା, ଭାଇନା, ଅପା ସମ୍ପର୍କରେ ଏଠି ସମସ୍ତେ ବନ୍ଧା। ମନୋଜ ମିଶ୍ର ପଶ୍ଚିମାଞ୍ଚଳର ଅଭିନେତା ନୁହେଁ, ସେ ଓଡ଼ିଶାର ଅଭି‌ନେତା। ମନୋଜ ମିଶ୍ର କେତେକ ନିଚ୍ଛକ କଥା ଉଠାଇଛନ୍ତି। ସେ କଥାଗୁଡ଼ିକୁ ନେଇ ଆମେ ଆଗକୁ ଆଲୋଚନା କରିବୁ, ସମାଧାନ କରିବୁ।

ବରିଷ୍ଠ ଅଭିନେତା ଶ୍ରୀତମ ଦାସ କହିଛନ୍ତି, କଳାକୁ ନେଇ ରାଜନୀତି ହେବା କଥା ନୁହେଁ। ଏଇଟା ହେଉଛି ଆମ ପରିବାରିକ କଥା। ଏ ମ​ନମାଳିନ୍ୟ ଦୂର ହେବ ଓ ସମସ୍ତେ ମିଶି ଏକ ସଙ୍ଗେ କାମ କରିବେ। ପଶ୍ଚିମ ଓଡ଼ିଶାର ବହୁତ କଳାକାର ଆସି ଏଠି ବହୁତ ବଡ଼ ବଡ଼ ଜାଗାରେ ଅଛନ୍ତି। କେତେକ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। ଅଭିଜିତ ମଜୁମଦାର, ହ୍ୟୁମାନ ସାଗର, ନିର୍ମଳ ନାୟକ ହେଉଛନ୍ତି ତାହାର ଉଦାହରଣ। ଯେଉଁ କଥାକୁ ନେଇ ଗଣ୍ଡଗୋଳ ଚାଲିଛି, ସେମାନେ ସମସ୍ତେ ଓଡ଼ିଶାର ସୁପୁତ୍ର। ଆମ କଥାଟା ଯେତେବେଳେ ବାହାରକୁ ଚାଲିଆସିଛି ଟିକେ ବଡ଼ ଭଳି ଲାଗୁଛି। ଦୁଇ ଚାରି ଦିନ ପରେ ସବୁ ସମାଧାନ ହୋଇଯିବ। ଏହାକୁ ନେଇ ରାଜନୀତି ହେବା କଥା ନୁହେଁ। ସବୁ ରାଜେନେତା ଏହାକୁ ନେଇ ରାଜନୀତି ନ କରିବାକୁ ଶ୍ରୀତମ ଅନୁରୋଧ କରିଛନ୍ତି।
ଏଠାରେ ଉଲ୍ଲେଖଥାଉକି, ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୁକ୍ରବାର ସନ୍ଧ୍ୟାରେ ଆଗଲପୁର ବ୍ଲକ ଭରସୁଜାଠାରେ ଛେଲିଆପାଟ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମନୋଜ ମିଶ୍ରଙ୍କ ପ୍ରସଙ୍ଗରେ ମତ ରଖିଥିଲେ। ସେ କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ବୋଲି ଯେଉଁମାନେ ମନୋଜଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛନ୍ତି ତାଙ୍କୁ ମୁଁ ନିନ୍ଦା କରୁଛି। ଏହି ଘଟଣା ପଶ୍ଚିମ ଓଡ଼ିଶାବାସୀଙ୍କୁ ଏକଜୁଟ କରିବା ସହିତ ଆବଶ୍ୟକ ହେଲେ ଓଡ଼ିଶାକୁ ଦୁଇଭାଗ ମଧ୍ୟ କରିବ। ତେଣୁ ବନ୍ଧୁମାନଙ୍କୁ ଅନୁରୋଧ କରୁଛି, ସେମାନେ ତାଙ୍କର ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ଓ ଉଚିତ ସମ୍ମାନ ଦେଇ ସମସ୍ୟାର ସାମଧାନ କରନ୍ତୁ।