ଭୁବନେଶ୍ବର : ଲକ୍ଡାଉନ୍ ହଟିବା ପରେ ଅନ୍ୟ ରାଜ୍ୟରେ ଅଟକି ରହିଥିବା ପ୍ରାୟ ୫ଲକ୍ଷ ଓଡ଼ିଆ ରାଜ୍ୟକୁ ଫେରିବେ। ଏହାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟର ଫେରାନ୍ତଙ୍କ ପାଇଁ ରାଜ୍ୟ ସରକାର ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି। ତେବେ ପଞ୍ଜୀକରଣ ସମୟରେ ଆଧାର ଓ ମୋବାଇଲ ନମ୍ବରକୁ ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି।
ଆଜି ଏ ସଂପର୍କରେ ସୂଚନା ଦେଇ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ ସିଂ କହିଲେ, ଗତକାଲିଠାରୁ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ପଞ୍ଜୀକରଣ ବ୍ୟବସ୍ଥାକୁ ଅତ୍ୟନ୍ତ ସରଳ କରାଯାଇଛି। ରାଜ୍ୟ ସରକାରଙ୍କ covid19.odisha.gov.in ପୋର୍ଟାଲରେ ଲୋକମାନେ ପଞ୍ଜୀକରଣ କରିପାରବେ। ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ଲୋକ ନିଜେ, ସେମାନଙ୍କର ସଂପର୍କୀୟ କିମ୍ବା ସଂପୃକ୍ତ ଅଞ୍ଚଳର ନୋଡାଲ ଅଧିକାରୀଙ୍କ ସହାୟତା ନେଇପାରିବେ। ପଞ୍ଜୀକରଣ ଫର୍ମରେ ବ୍ୟକ୍ତିଗତ ବିବରଣୀ ଯଥା ଛାତ୍ର, ପର୍ଯ୍ୟଟକ, ଶ୍ରମଜୀବୀ ଓ ଅନ୍ୟାନ୍ୟ ସଂପର୍କରେ ଉଲ୍ଲେଖ କରିବାକୁ ହେବ। ଓଡ଼ିଶାରେ ନିଜ ଘରର ଠିକଣା, ଯୋଗାଯୋଗ ପାଇଁ ନିଜ ସଂପର୍କୀୟଙ୍କ ନାମ ଓ ମୋବାଇଲ ନମ୍ବର ଦେବାକୁ ହେବ। ଫର୍ମପୂରଣ ପରେ ସବମିଟ୍ ବଟନ କ୍ଲିକ୍ କରିବା ପରେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ। ଏହି ଓଟିପିକୁ ୱେବସାଇଟର ଡିସପ୍ଲେ ବକ୍ସରେ ପୂରଣ କରିବା ପରେ ଆପଣଙ୍କ ମୋବାଇଲକୁ ଏକ କନଫରମେସନ୍ ମେସେଜ୍ ଆସିବ। ଏହି ମେସେଜ୍ ଆସିବା ପରେ ପଞ୍ଜୀକରଣ ସଂପୂର୍ଣ୍ଣ ହୋଇଛି ବୋଲି ସ୍ପଷ୍ଟ ହେବ। ଓଡ଼ିଶାକୁ ଫେରିବା ପରେ ଗ୍ରାମ ପଞ୍ଚାୟତ କିମ୍ବା ସହରରେ ରହିଥିବା ସଙ୍ଗରୋଧ ବା କ୍ବାରାଣ୍ଟିନ୍ରେ ୧୪ଦିନ ରହିବା ବାଧ୍ୟତମୂଳକ କରାଯାଇଛି। ଯଦି ଏହି ସମୟରେ କୌଣସି ବ୍ୟକ୍ତି ସୁସ୍ଥ ଥିବା ସ୍ପଷ୍ଟ ହେବ ତା’ହେଲେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳିବ। ରାଜ୍ୟ ସରକାର ବାହାରେ ଥିବା ଓଡ଼ିଆ ଭାଇ ଭଉଣୀଙ୍କ ପ୍ରତି ବେଶ ସମ୍ବେଦନଶୀଳ ରହିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି।
ପଞ୍ଜୀକରଣ ପାଇଁ ଆଧାର କାର୍ଡ ଏବଂ ମୋବାଇଲ ନମ୍ବରକୁ ବାଧ୍ୟତାମୂଳକ କରା ନଯାଉ
ଭୁବନେଶ୍ୱର : ତାଲାବନ୍ଦ ପରେ ଓଡ଼ିଶାକୁ ଫେରିବାକୁ ଚାହୁଥିବା ପ୍ରବାସୀ ଶ୍ରମିକ, ବିଦ୍ୟାର୍ଥୀ, ତୀର୍ଥଯାତ୍ରୀ, ପେସାଦାର ଚାକିରିଆ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ କିଭଳି ପଦକ୍ଷେପ ନିଆଯାଇଛି, ରାଜ୍ୟ ସରକାର ଆଜି ତାହା ସ୍ପଷ୍ଟ କରିଛନ୍ତି। ଓଡ଼ିଶା ଫେରିବାକୁ ହେଲେ ସେମାନେ ନିଜକୁ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ଏପରି ପଦକ୍ଷେପକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସ୍ବାଗତ କରୁଥିଲେ ହେଁ ପଞ୍ଜୀକରଣ ପାଇଁ ଆଧାର କାର୍ଡ ଓ ମୋବାଇଲ ନମ୍ବରକୁ ବାଧ୍ୟତାମୂଳକ କରାଯିବା ଉଚିତ ନୁହେଁ ବୋଲି କହିଛି।ଦଳୀୟ ନେତା ସୁଦର୍ଶନ ଦାସ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ଏମିତି କିଛି ଲୋକ ଥିବେ ବିଶେଷକରି ଦାଦନ ଶ୍ରମିକଙ୍କ ପାଖରେ ଆଧାରକାର୍ଡ କିମ୍ବା ମୋବାଇଲ ନ ଥାଇପାରେ। ଏଭଳି ଲୋକଙ୍କୁ ପଞ୍ଜୀକରଣରୁ ବାଦ୍ ଦେବା ଅର୍ଥ ହେଉଛି ସେମାନଙ୍କୁ ତାଙ୍କ ଭିଟାମାଟିକୁ ଆସିବାକୁ ନଦେବା। ମାସାଧିକ କାଳ ଲକ୍ଷଲକ୍ଷ ଓଡ଼ିଆ ଲକ୍ଡାଉନ୍ ପାଇଁ ବାହାରେ ଫସି ରହି ଅତ୍ୟନ୍ତ ଦୁର୍ବିଷହ ଜୀବନଯାପନ କରୁଛନ୍ତି। ଓଡ଼ିଶା ଆସିବାର ସୁଯୋଗରୁ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବି ବଞ୍ଚିତ କରାଯିବା ଉଚିତ ନୁହେଁ। ତେଣୁ ପଞ୍ଜୀକରଣ ପାଇଁ ଆଧାରକାର୍ଡ ଓ ମୋବାଇଲ ନମ୍ବର ବାଧ୍ୟତାମୂଳକ କରାନଯାଉ। ଅପରପକ୍ଷେ ଏହି ଲୋକମାନେ ଓଡ଼ିଶା ଫେରିବା ପରେ ବିକଳ୍ପ ଜୀବିକା ଅନୁସନ୍ଧାନ କରିବେ। ଏମାନଙ୍କ ଭିତରୁ ଅଧିକାଂଶ ଓଡ଼ିଶାରେ ରହି ଜୀବିକାର ମାଧ୍ୟମ ଖୋଜିବେ। ସେମାନଙ୍କ ସରକାର ଏବେଠୁ ଏଥିପାଇଁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ପଞ୍ଚାୟତ ଏବଂ ସହରାଞ୍ଚଳରେ ତୃଣମୂଳସ୍ତରରେ ଏଥିପାଇଁ ଅଣୁସ୍ତରୀୟ ଯୋଜନା ହେବା ଦରକାର। ମିସନ୍ ଶକ୍ତି, ଓଡ଼ିଶା ଜୀବିକା ମିସନ୍, ସହରାଞ୍ଚଳ ଜୀବିକା ମିସନ୍ ଇତ୍ୟାଦି ସଂସ୍ଥାଗୁଡ଼ିକୁ ଏବେଠୁ ସରକାର ଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ ବୋଲି ଶ୍ରୀ ଦାସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/sundargarh-labours.jpg)