ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର, ତାଲିକା ପ୍ରସ୍ତୁତ କଲା ପୂର୍ତ୍ତ ବିଭାଗ

ପ୍ରଥମ ପର୍ଯ୍ୟାୟରେ ‘ଗ୍ରୁପ୍‌ ଏ’ର ୧୯୩ ଜଣ ଯନ୍ତ୍ରୀ

ଭୁବନେଶ୍ୱର : ପୂର୍ତ୍ତ ବିଭାଗରେ ଥିବା ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ଯନ୍ତ୍ରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ବିଭାଗ ପକ୍ଷରୁ ୧୯୩ଜଣ ନିର୍ବାହୀ ଯନ୍ତ୍ରୀରୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗ୍ରୁପ୍‌-ଏ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କ ଚାକିରି ଜୀବନର କାର୍ଯ୍ୟଶୈଳୀ, ଦୁର୍ନୀତି ରିପୋର୍ଟକୁ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ବିଭାଗକୁ ଏହିଭଳି ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଥିଲା ବେଳେ ପୂର୍ତ୍ତ ବିଭାଗ ପ୍ରଥମେ ଏହି ତାଲିକା ପ୍ରସ୍ତୁତ କରିଛି।

ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ୫୦ ଓ ୫୫ବର୍ଷରେ ପହଞ୍ଚୁଥିବା ବା ଅତିକ୍ରମ କରିଥିବା ଏବଂ ୩୦ବର୍ଷରୁ ଅଧିକ ଚାକିରି କରିଥିବା ଯନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଯେଉଁମାନଙ୍କର ଚାକିରି ଜୀବନର ରେକର୍ଡ ବିଭାଗୀୟ ଅଧିକାରୀ ସମୀକ୍ଷା କରିବେ। ଏହି ତାଲିକା ପ୍ରସ୍ତୁତ ହୋଇଥିବା ଜଣାପଡ଼ିବା ପରେ ବିଭାଗୀୟ ଅଧିକାରୀଙ୍କ ମହଲରେ ଭା‌ଳେଣି ପଡ଼ିଗଲାଣି।

ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଭିତ୍ତିରେ ଆମେ ଏହି ତାଲିକା ପ୍ରସ୍ତୁତ କରିଛୁ। କେଉଁ ଅଧିକାରୀଙ୍କ ନାମରେ ଭିଜିଲାନ୍ସ ମାମଲା ଅଛି, କାହାର ଷ୍ଟାଟସ୍ କ’ଣ ଅଛି, କାହା ଘରେ କେତେ ଥର ‌ଚଢ଼ଉ ହୋଇଛି, କେତେ ସମ୍ପତ୍ତି ଜବତ ହୋଇଛି, କେତେ ଥର ନିଲମ୍ବିତ ହୋଇଛନ୍ତି, କାହିଁକି ହୋଇଛନ୍ତି, କାହା ନାମରେ କେତେ ପିଟିସନ୍ ପଡ଼ିଛି, ଯେଉଁ ଅଭିଯୋଗ ଆସିଛି ସେଥିରେ କେତେ ‌ସତ୍ୟତା ଅଛି, କେଉଁ ଯନ୍ତ୍ରୀଙ୍କ ନାମରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି ସବୁ ରେକର୍ଡ ଏବେ ସଂଗ୍ରହ କରାଯାଉଛି। ଯାହାକୁ ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା କମିଟି ସମୀକ୍ଷା କରିବ। ଏହି ୧୯୩ଜଣଙ୍କ ମଧ୍ୟରୁ କେତେ ଜଣ ପୂରା ଦୁର୍ନୀତିଗସ୍ତ ଏବଂ ଅପାରଗ ଅଛନ୍ତି ବଛାଯିବ। ସେମାନଙ୍କୁ ତୁରନ୍ତ ଚାକିରିରୁ ବିଦା କରିବାକୁ ସୁପାରିସ୍‌ କରାଯିବ। ଉଚ୍ଚସ୍ତରୀୟ କମିଟି ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏହି ତାଲିକା ପଠାଇବ। ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ମୋହର ମାରିବେ। ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ତାଲିକାରେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୫୫ବର୍ଷ ବୟସରୁ ଊର୍ଦ୍ଧ୍ବ ଏବଂ ୩୦ବର୍ଷର ଚାକିରି କରିଥିବା ୫ଜଣ ସର୍ବୋଚ୍ଚ ଯନ୍ତ୍ରୀ, ୧୪ଜଣ ମୁଖ୍ୟ ଯନ୍ତ୍ରୀ, ୧୨ଜଣ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଅଛନ୍ତି। ୩୦ବର୍ଷ ଚାକିରି କରିନଥିଲେ ବି ୫୫ବର୍ଷ ବୟସରୁ ଉର୍ଦ୍ଧ୍ବ ହେଉଥିବା ୩୦ଜଣ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ୫୦ବର୍ଷ ବୟସରୁ ଉର୍ଦ୍ଧ୍ବ ୪ଜଣ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଅଛନ୍ତି। ସେହିପରି ୫୫ବର୍ଷ ବୟସରୁ ଉର୍ଦ୍ଧ୍ବ ୭୩ଜଣ ଅଧୀକ୍ଷଣ ଯନ୍ତ୍ରୀ ଥିବାବେଳେ ୫୫ବର୍ଷ ବୟସରୁ ଉର୍ଦ୍ଧ୍ବ ଏବଂ ୩୦ବର୍ଷ ଚାକିରି କରିଥିବା ୧୦ଜଣ ନିର୍ବାହୀ ଯନ୍ତ୍ରୀ ଅଛନ୍ତି। ଏହି ତାଲିକାରେ ୨୮ଜଣ ୫୫ବର୍ଷ ବୟସରୁ ଉର୍ଦ୍ଧ୍ବ ନିର୍ବାହୀ ଯନ୍ତ୍ରୀ, ୫୦ବର୍ଷ ବୟସରୁ ଉର୍ଦ୍ଧ୍ବ ୧୨ଜଣ ଅଧୀକ୍ଷଣ ଯନ୍ତ୍ରୀ, ୫୦ବର୍ଷ ବୟସରୁ ଉର୍ଦ୍ଧ୍ବ ୫ଜଣ ନିର୍ବାହୀ ଯନ୍ତ୍ରୀ ଅଛନ୍ତି।

ପୂର୍ତ୍ତ ବିଭାଗ ଏହି ତାଲିକା ପ୍ରସ୍ତୁତ କରିଥିଲେ ହେଁ ଏହାକୁ ସଂପୂର୍ଣ୍ଣ ଗୁପ୍ତ ରଖାଯାଇଛି। ଯେପରି କୌଣସି ଯନ୍ତ୍ରୀ ବାଧ୍ୟତାମୂଳକ ଅବସର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରୁ ବାଦ୍‌ ପଡ଼ିବା ପାଇଁ ଲବି କରିବେନି ସେନେଇ ଯଥାସମ୍ଭବ ପଦକ୍ଷେପ ନିଆଯାଇଛି।

ଅପରପକ୍ଷେ ସରକାରଙ୍କ ଏହି ନିଷ୍ପତ୍ତି ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କାରଣ ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରି ପରେ ସରକାର ପୁନଃ ନିଯୁକ୍ତି ଦେଉଛନ୍ତି। ଲୋକସେବା ଭବନରୁ ଆରମ୍ଭ କରି ଅଧିକାଂଶ କାର୍ଯ୍ୟାଳୟରେ ଏବେ ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ସବୁ ସରକାରୀ ନିୟମକୁ ଉଲ୍ଲଂଘନ କରି ନିଯୁକ୍ତି ଦିଆଯାଉଛି। ସେମାନେ ଯେଉଁ ଦୁର୍ନୀତି କରୁଛନ୍ତି ତାହା ଉପରେ ‌କିଏ ଓ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ?

ସମ୍ବନ୍ଧିତ ଖବର