ପେଟୁଆ ପୁଲିସ୍‌ଙ୍କ ପାଇଁ ଜାଗା ନାହିଁ, ଶାରୀରିକ ଫୂର୍ତ୍ତି ନଥିଲେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର

କଡ଼ା ଆଦେଶନାମା ଜାରି କଲେ ପୁଲିସ୍‌ କମିସନର୍

ଭୁବନେଶ୍ୱର : ଶାରୀରିକ ଫୂର୍ତ୍ତି ନଥିବା ପୁଲିସ୍ କର୍ମଚାରୀଙ୍କୁ ଆଉ କମିସନରେଟ୍‌ ପୁଲିସ୍‌ରେ ଜାଗା ମିଳିବନି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନେ ନିଜ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆଣିବେ। ନଚେତ୍‌ ସେମାନଙ୍କର ଇନ୍‌କ୍ରିମେଣ୍ଟ ବନ୍ଦ କରାଯିବ କିମ୍ବା ବାଧ୍ୟତାମୂଳକ ଅବସର ଦିଆଯିବ। ଦ୍ବୈତନଗରୀରେ କାର୍ଯ୍ୟରତ ପୁଲିସ୍‌ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏଭଳି ଏକ କଡ଼ା ଆଦେଶନାମା ଜାରି କରିଛନ୍ତି ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ। ପୂର୍ବରୁ ଓଡ଼ିଶା ପୁଲିସ ପକ୍ଷରୁ ଏଭଳି ଏକ ପ୍ରୟାସ କରାଯାଇଥିଲା। କିନ୍ତୁ ତାହା ସଫଳ ହୋଇନଥିଲା। ବିଭିନ୍ନ ସଂଘର ଅସମର୍ଥନ ସହ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଏହାକୁ ସଫଳ ହେବାକୁ ଦେଇନଥିଲା।

ପୁଲିସ କମିସନର କହିଛନ୍ତି ଯେ ଆସନ୍ତା ସପ୍ତାହକ ମଧ୍ୟରେ କମିସନରେଟ୍‌ ପୁଲିସ୍‌ ଅଧୀନରେ କାର୍ଯ୍ୟରତ ସମସ୍ତ ପୁଲିସ୍‌ କର୍ମଚାରୀଙ୍କ ଉଚ୍ଚତା‌ ଓ ଓଜନ ମପାଯିବ। ବୟସ ଓ ଉଚ୍ଚତା ଅନୁସାରେ ଓଜନ (ବିଏମ୍‌ଆଇ) ନେଇ ଅବଗତ କରି ଦିଆଯିବ। ବିଏମ୍‌ଆଇର ସ୍ତର ୧୯ରୁ ୨୫ ପର୍ଯ୍ୟନ୍ତ ରହିଲେ ଠିକ୍‌, ଏଥିରୁ ଅଧିକା ରହିଲେ ବା ୩୦ ବିଏମ୍‌ଆଇକୁ ମେଦବହୁଳତା ଧରାଯିବ। ଏହି ତଥ୍ୟ ପୁଲିସ ଡାକ୍ତରଖାନାରେ ରଖାଯିବ। ଯେଉଁମାନଙ୍କର ସମସ୍ୟା ଥିବ, ବ୍ୟାୟାମ କରି ସଂଶୋଧନ କରିବାକୁ ସୁଯୋଗ ଦିଆଯିବ। ଠିକ୍‌ ତିନି ମାସ ପରେ ଅର୍ଥାତ୍‌ ନଭେମ୍ବରରେ ପୁଣି ଥରେ ସେମାନଙ୍କର ବିଏମ୍‌ଆଇ ରେକର୍ଡ କରାଯିବ। ଯେଉଁମାନଙ୍କର ୩୦ ଉପରେ ରହିବ ବା ବ୍ୟାୟାମ କରୁନଥିବା ପ୍ରମାଣ ହେବ, ସେମାନେ ସକାଳୁ ବ୍ୟାୟାମ ଆସିବା ପାଇଁ ବାଧ୍ୟ ହେବେ ବା ୬ ସପ୍ତାହର ରିଫ୍ରେସର୍‌ କୋର୍ସରେ ଯୋଗ ଦେବେ। ତେବେ ୬ ସପ୍ତାହ ପରେ ଯଦି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହୁଏ, ସେମାନଙ୍କର ଇନ୍‌କ୍ରିମେଣ୍ଟ ବନ୍ଦ କରାଯିବ କିମ୍ବା ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ଆଦେଶନାମାରେ ସ୍ପଷ୍ଟ କରାଯାଇଛି।

ଏହି ଆଦେଶନାମା ପ୍ରକାଶ ପାଇବା ପରେ ପେଟୁଆ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ି ଯାଇଛି। ଦୀର୍ଘ ଦିନ ହେବ କୌଣସି ପ୍ରକାରର ଶାରୀରିକ ପରିଶ୍ରମ ବା ବ୍ୟାୟାମ ଅଭାବରୁ ଅନେକ କର୍ମଚାରୀ ରକ୍ତଚାପ, ମଧୁମେହ, ମେଦ ବହୁଳତା ଭଳି ସ୍ବାସ୍ଥ୍ୟଗତ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। କିଛି ଥାନାରେ କର୍ମଚାରୀ ଅଭାବରୁ କାମର ଅତ୍ୟଧିକ ଚାପ ରହିଛି। ଏଭଳି ସ୍ଥିତିରେ କମିସନର୍‌ଙ୍କ ଏହି ଆଦେଶନାମା ସେମାନଙ୍କ ନିଦ ହଜାଇ ଦେଇଛି।

କମିସନର୍‌ ଶ୍ରୀ ଷଡ଼ଙ୍ଗୀଙ୍କ ଆଦେଶନାମାରେ ଉଲ୍ଲେଖ ରହିଛି ଯେ ପ୍ରାରମ୍ଭିକ ପ୍ରଶିକ୍ଷଣ ସମୟରେ ପୁଲିସ୍‌ କର୍ମଚାରୀମାନେ ବ୍ୟାପକ ଖେଳକୁଦ କରନ୍ତି ଓ ବେଶ୍‌ ସ୍ବାସ୍ଥ୍ୟବାନ୍‌ ହୋଇ ବିଭାଗରେ ଯୋଗ ଦିଅନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ନିଜର ସ୍ବାସ୍ଥ୍ୟର ଯତ୍ନ ନେଉନାହାନ୍ତି। ଫଳରେ ସମୟକ୍ରମେ ସେମାନେ ଅତ୍ୟଧିକ ମେଦ, ମଧୁମେହ, ରକ୍ତଚାପ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଶାରୀରିକ ଅବସ୍ଥା ଥିବା ବ୍ୟକ୍ତିମାନଙ୍କୁ ସଂକ୍ରମଣର ବିପଦ ଅଧିକ ରହିଥାଏ। କରୋନା ସମୟରେ ଏମାନେ ଆହୁରି ସମ୍ବେଦନଶୀଳ ହୋଇପଡ଼ିଛନ୍ତି। ଆଗରୁ ମୋଟା ହେବା ନ ହେବା ଜନ୍ମ ମୃତ୍ୟୁର ପ୍ରଶ୍ନ ନଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବେପରୁଆ ହୋଇ ନିଜ ସ୍ବାସ୍ଥ୍ୟର ଯତ୍ନ ନ ନେବା ଘାତକ ସିଦ୍ଧ ହୋଇପାରେ। ତେଣୁ ଏହି ନିର୍ଦ୍ଦେଶକୁ ସମସ୍ତେ ନିଜ ହିତ ଦୃଷ୍ଟିରୁ କଡ଼ାକଡ଼ି ଭାବେ ପାଳନ କରିବାକୁ କମିସନର୍‌ ଶ୍ରୀ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର