ଆଉ ୫ ଦୁର୍ନୀତିଗ୍ରସ୍ତ ଓ ଅପାରଗ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଉ ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ୫ ଦୁର୍ନୀତିଗ୍ରସ୍ତ ଓ ଅପାରଗ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଏହି ୫ ଜଣଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ଆଇ.ଟି.ଡି.ଏର ଆସିଷ୍ଟାଣ୍ଟ ଇଂଜିନିୟର ସନ୍ତୋଷ କୁମାର ଦାସଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ତାଙ୍କ ବିରୋଧରେ ୨.୮୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରହିଛି । ସେଥିପାଇଁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ଆୟ ବହିର୍ଭୁତ ସମ୍ପତ୍ତି ମଧ୍ୟରେ ୪୧.୭୭ ଲକ୍ଷ ଟଙ୍କା ତାଙ୍କ ଘରୁ ନଗଦ ଜବତ କରାଯାଇଥିଲା । ତାଙ୍କର ଭୁବନେଶ୍ବର ବରଗଡରେ ଏକ ଦୁଇତାଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ୍, କଳିଙ୍ଗ ବିହାରରେ ଏକ ଅର୍ଦ୍ଧନିର୍ମିତ ବିଲ୍ଡିଂ ରହିଛି । ଏହା ସହିତ ବାଲେଶ୍ବରରେ ୩ଟି ପ୍ଲଟ୍ ମଧ୍ୟ ଅଛି। ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଏଣେ ଜଗତସିଂହପୁର ଜିଲ୍ଲା ବାଲିକୁଦାର ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସରଳା ଦେଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ। ଦୁର୍ନୀତି ନିବାରଣ ବିଭାଗର ଅନୁସଂଧାନରୁ ଜଣାଯାଇଛି ଯେ ତାଙ୍କର ଭୁବନେଶ୍ବରରେ ୫ଟି ପ୍ଲଟ, ପିପିଲିରେ ଗୋଟିଏ ପ୍ଲଟ ଓ ଜଗତସିଂହପୁରରେ ଦୁଇଟି ପ୍ଲଟ ରହିଛି। ତା ସହିତ ଜଗତସିଂପୁରରେ ଗୋଟିଏ ଦୁଇତାଲା ବିଲ୍ଡିଂ ଅଛି। ଏହାସହିତ ଟଙ୍କା ଓ ସୁନାଗହଣା ଜବତ କରାଯାଇଛି। ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଜଗତସିଂହପୁର ବାଲିକୁଦାର ଅଙ୍ଗନବାଡି ସୁପରଭାଇଜର ପ୍ରତିମା ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ଅଛି। ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡ଼ିଥିଲେ। ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ପୁଲିସ ଇନ୍‌ସପେକ୍ଟର ରାମଚନ୍ଦ୍ର ବେହେରାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ଅପାରଗତା ଓ ବିଶୃଙ୍ଖଳ ଆଚରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେହିପରି କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଜମିଜମା ମାପଚୁପ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ, ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡ଼ିଥିଲେ। ଅସାଧୁ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ନିକଟରେ ଜଣେ ବରିଷ୍ଠ ଭାରତୀୟ ବନସେବା ଅଧିକାରୀ ଓ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସମ୍ବନ୍ଧିତ ଖବର