କମ୍ପ୍ୟୁଟର ଆଇପି ଆଡ୍ରେସ୍‌ ଜାଲ୍‌ : ମାସ୍କି˚ ପଛରେ ପାକିସ୍ତାନର ‘ହାଵାଲା ଗ୍ୟାଙ୍ଗ’

୩ ବର୍ଷରେ ୯୦ ପ୍ରତିଶତ ନକଲି ଆଇପି, ଚିନ୍ତାରେ କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ୍

କଟକ : ଜାଲ୍‌ ହେଉଛି ଇଣ୍ଟର‌୍‌ନେଟ୍‌ ବ୍ୟବହାରକାରୀଙ୍କୁ ମିଳୁଥିବା ଆଇପିି ଆଡ୍ରେସ୍‌ (ଇଣ୍ଟର‌୍‌ନେଟ୍‌ ପ୍ରୋଟକଲ)। ଅନ୍‌ଲାଇନ୍‌ରେ ଅପରାଧ ଘଟାଉଥିବା ସାଇବର‌୍‌ ଅପରାଧୀ ନିଜ କମ୍ପ୍ୟୁଟର ବା ମୋବାଇଲ୍‌ ଫୋନ୍‌ର ଆଇପି ଠିକଣାକୁ ସହଜରେ ମାସ୍କି˚ ବା ଲୁଚାଇ ଦେଉଛନ୍ତି। ସର୍ଭିସ ପ୍ରୋଭାଇଡର‌୍‌ଙ୍କ ନିକଟରୁ ମିଳିଥିବା ମୂଳ ଆଇପିକୁ ସଫଟଓୟାର ମାଧ୍ୟମରେ ସାଇବର‌୍‌ ଅପରାଧୀମାନେ ମାସ୍କି˚ କରି ଅନ୍ୟ ଦେଶର ଜାଲ୍‌ ଆଇପି ଆଡ୍ରେସ୍‌ ବ୍ୟବହାର କରୁଛନ୍ତି। ଦିଲ୍ଲୀରେ ରହୁଥିବା ନାଇଜେରୀୟ ଏବ˚ ପାକିସ୍ତାନର ହାଵାଲା ଗ୍ୟାଙ୍ଗ୍‌ ଆଇପି ଆଡ୍ରେସ୍‌ ମାସ୍କି˚ କୌଶଳରେ ଏକ ପ୍ରକାର ମାହିର‌୍‌ ବୋଲି ଓ଼ଡ଼ିଶା ପୁଲିସର କ୍ରାଇମ୍‌ବ୍ରାଞ୍ଚ ସୂଚନା ପାଇଛି। କ୍ରାଇମ୍‌ବ୍ରାଞ୍ଚ ସାଇବର‌୍‌ ସେଲ୍‌ରେ ୨୦୧୬-୧୭ ବର୍ଷ ଏବ˚ ୨୦୧୭-୧୮ ବର୍ଷରେ ରୁଜୁ ହୋଇଥିବା ମୋଟ ଠକେଇ ମାମଲାରେ ୯୦ ପ୍ରତିଶତ କମ୍ପ୍ୟୁଟରର ଆଇପି ଆଡ୍ରେସ ଜାଲ୍‌ ବୋଲି ଜଣାପଡ଼ିଛି। ଯଦ୍ବାରା ପ୍ରକୃତ ଅପରାଧୀଙ୍କ ନିକଟରେ କ୍ରାଇମ୍‌ବ୍ରାଞ୍ଚ ପହଞ୍ଚିବାରେ ବିଫଳ ହେଉଛି। ଅପରାଧୀଙ୍କ ଏଭଳି କୌଶଳ କ୍ରାଇମ୍‌ବ୍ରାଞ୍ଚ ସାଇବର‌୍‌ ସେଲ୍‌କୁ ଅକଳରେ ପକାଇଲାଣି। ନୂଆ ଜ୍ଞାନ କୌଶଳକୁ କିଭଳି ମୁକାବିଲା କରାଯିବ, ତାହା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ନାଇଜେରୀୟ ‘ଟେକ୍ସଟ୍‌ ମି’ ଆପ୍ଲିକେସନ୍‌ରେ ଅନ୍ୟ ରାଷ୍ଟ୍ରର ନକଲି ମୋବାଇଲ୍‌ ନମ୍ବର ବ୍ୟବହାର କରି ଅପରାଧ ଘଟାଉଛନ୍ତି। ଠିକ୍‌ ସେହିପରି ଏବେ ୧୯୫ ରାଷ୍ଟ୍ରର ନକଲି ଆଇପି ଆଡ୍ରେସ୍‌(ଇଣ୍ଟରନେଟ୍‌ ପ୍ରୋଟକଲ୍‌) ବି ମିଳିଯାଉଛି। ଅନ୍‌ଲାଇନ୍‌ରେ କେଉଁ କମ୍ପ୍ୟୁଟର ବା ମୋବାଇଲ୍‌ରେ ଇଣ୍ଟର‌୍‌ନେଟ୍‌ର ଅପବ୍ୟବହାର କରାଯାଉଛି, ତାକୁ ଠାବ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ସାଇବର‌୍‌ ସେଲ୍‌ ଆଇପି ଆଡ୍ରେସ୍‌ର ସାହାଯ୍ୟ ନେଉଥିଲା। ଏବେ ଆଇପି ଆଡ୍ରେସ୍‌ ବି ଜାଲ୍‌ ବୋଲି ଜଣାପଡ଼ିଛି। କ୍ରାଇମ୍‌ବ୍ରାଞ୍ଚ ନିକଟରେ ଏକ ଅପରାଧ ମାମଲାରେ ଦିଲ୍ଲୀରେ ଯେଉଁ ବ୍ୟକ୍ତିଙ୍କ କମ୍ପ୍ୟୁଟର ଜବତ କରିଥିଲା, ପ୍ରକୃତରେ ସେହି କମ୍ପ୍ୟୁଟରରୁ ଅପରାଧ ଘଟାଯାଇନଥିବା ଜଣାପଡ଼ିଥିଲା। ପରେ ଅନ୍‌ଲାଇନ୍‌ରେ ଏଭଳି ସା˚ଘାତିକ କାରବାର ସାମ୍‌ନାକୁ ଆସିଥିଲା। ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଏବେ ଦିଲ୍ଲୀରେ ଚଢ଼ଉ ପରେ କିଛି ଆଇପି ଆଡ୍ରେସ୍‌ ଋଷିଆ, ଚାଇନା, ଆମେରିକାରୁ ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ମୁଖ୍ୟତଃ ସାଇବର‌୍‌ ଘୋଷ୍ଟ ଭିପିଏନ୍‌, ହଟ୍‌ସ୍ପଟ ସିଲ୍ଡ, ରିଅଲ୍‌ ହାଇଡ୍‌ ଆଇପି, ଆଇପି ହାଇଡ୍‌ ପ୍ରୋ, ହାଇଡ୍‌ ମାଇଁ ଆଇପି, ମାସ୍କ ମାଇଁ ଆଇପି ଭଳି ସପ୍‌ଟଓୟାର ଅନ୍‌ଲାଇନ୍‌ରେ ନକଲି ଆଇପି ଆଡ୍ରେସ୍‌ ଯୋଗାଉଥିବା କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଆଇପି ଆଡ୍ରେସ୍‌ କ’ଣ?
ଗାଡ଼ି ଚାଳକଙ୍କୁ ଯେମିତି ସ୍ବତନ୍ତ୍ର ପଞ୍ଜିକରଣ ନମ୍ବର ମିଳିଥାଏ, ସେଭଳି ପ୍ରତ୍ୟେକ ଇଣ୍ଟର‌୍‌ନେଟ୍‌ ବ୍ୟବହାରକାରୀଙ୍କ କମ୍ପ୍ୟୁଟର, ମୋବାଇଲ୍‌ ବା ଟାବ୍‌ଲେଟ୍‌ରେ ମଧ୍ୟ ସ୍ବତନ୍ତ୍ର ନମ୍ବର ଥାଏ। ତାକୁ ଆଇପି ଆଡ୍ରେସ୍‌ କୁହାଯାଏ। ଇଣ୍ଟର‌୍‌ନେଟ୍‌ ସର୍ଭିସ ପ୍ରୋଭାଇଡର‌୍‌ଙ୍କ ପକ୍ଷରୁ ଗ୍ରାହକଙ୍କୁ ଏହି ନମ୍ବର ଯୋଗାଇ ଦିଆଯାଏ। ଏହି ଆଡ୍ରେସ୍‌ରୁ ହିଁ ଜଣେ ଗ୍ରାହକ କେଉଁ ଦେଶର ଏବ˚ ତାଙ୍କ ସମ୍ପୂର୍ଣ୍ଣ ଠିକଣା ଜଣା ପଡ଼ିଯାଏ। ଏମିତିକି ଗ୍ରାହକ ରହୁଥିବା ଅଞ୍ଚଳର ଦ୍ରାଘିମା ଓ ଅକ୍ଷା˚ଶ ମଧ୍ୟ ଚିହ୍ନଟ କରାଯାଇପାରେ। ଯଦ୍ବାରା କୌଣସି ସାଇବର‌୍‌ ଅପରାଧୀ କମ୍ପ୍ୟୁଟର‌୍‌ରେ ଅନ୍‌ଲାଇନ୍‌ରେ କୌଣସି ଅପରାଧ ଘଟାଇଲେ ପୁଲିସ ଉକ୍ତ କମ୍ପ୍ୟୁଟରକୁ ଆଇପି ଆଡ୍ରେସ୍‌ ମାଧ୍ୟମରେ ସହଜରେ ଠାବ କରିପାରେ।

କାହିଁକି ହେଉଛି ଆଇପି ଆଡ୍ରେସ ମାସ୍କି˚?
ଇଣ୍ଟର‌୍‌ନେଟ୍‌ ସର୍ଭିସ ପ୍ରୋଭାଇଡର‌୍‌ ଗ୍ରାହକଙ୍କୁ ଦୁଇ ପ୍ରକାର ଆଇପି ଆଡ୍ରେସ୍‌ ଯୋଗାଇଥାନ୍ତି। ଷ୍ଟାଟିକ୍‌ ଏବ˚ ଡାଇନାମିକ ଆଇପି। ଷ୍ଟାଟିକ୍‌ ଆଇପି ସହଜରେ ମାସ୍କି˚ କରାଯାଇପାରିବ ନାହିଁ। କିନ୍ତୁ ଅଧିକା˚ଶ ଇଣ୍ଟର‌୍‌ନେଟ୍‌ ସର୍ଭିସ ପ୍ରୋଭାଇଡ୍‌ ଗ୍ରାହକଙ୍କୁ ଡାଇନାମିକ୍‌ ଆଇପି ଦେଉଥିବାରୁ, ଏହାକୁ ଅନ୍‌ଲାଇନ୍‌ରେ ସାଇବର ଅପରାଧୀମାନେ ସହଜରେ ମାସ୍କି˚ କରିପାରୁଛନ୍ତି। ସର୍ଭିସ୍‌ ପ୍ରୋଭାଇଡର‌୍‌ ପ୍ରଦାନ କରିଥିବା ନିଜର ମୂଳ ଆଇପି ଆଡ୍ରେସକୁ ଅପରାଧୀମାନେ ମାସ୍କି˚ ବା ଘୋଡ଼ାଇ ଅନ୍ୟ ଦେଶର ଜାଲ୍‌ ଆଇପି ଆଡ୍ରେସ ମାଧ୍ୟମରେ କରୁଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର