୧୯ବର୍ଷରୁ କମ୍ ଗର୍ଭବତୀଙ୍କ ସଂଖ୍ୟାକୁ ଫାଙ୍କି ଦେଲେ

ଭୁବନେଶ୍ବର : ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜ୍ୟ‌ରେ ଗତ ୧୦ବର୍ଷରେ ୧୯ବର୍ଷରୁ କମ୍ କେତେଜଣ କିଶୋରୀ/ନାବାଳିକା ମାତୃତ୍ବ ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ‘ମମତା’ ଯୋଜନାରୁ ବଞ୍ଚିତ ହୋଇଛନ୍ତି ତାହାର ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଉତ୍ତରରେ କେତେ ଜଣ ଗର୍ଭବତୀ ହୋଇଛନ୍ତି ତାହାର ତଥ୍ୟ ଦେଇନାହାନ୍ତି।

ଶ୍ରୀମତୀ ହେମ୍ବ୍ରମ୍ କହିଛନ୍ତି, ‘ମମତା’ ଗାଇଡଲାଇନ୍ ଅନୁଯାୟୀ କେବଳ ୧୯ବର୍ଷ ବା ତା’ଠାରୁ ଅଧିକ ବୟସର ଗର୍ଭବତୀ ମହିଳାମାନେ ହିଁ ମମତା ଯୋଜନାରେ ସାମିଲ ହୋଇପାରିବେ। ତେଣୁ ୧୯ବର୍ଷ ବୟସ ପୂର୍ବରୁ ମାତୃତ୍ବ ଲାଭ କରିଥିବା ମହିଳା ଏହି ବିଭାଗର ଅଅନ୍ୟ ଯୋଜନା ମାଧ୍ୟମରେ ଉପକୃତ ହୋଇଥାନ୍ତି। ଅଙ୍ଗନବାଡ଼ିକର୍ମୀ ଗର୍ଭାବସ୍ଥାରେ ଯତ୍ନ ଓ ସୁଷମ ଖାଦ୍ୟର ଗୁରୁତ୍ବ ବିଷୟରେ ଗର୍ଭବତୀ ମହିଳାଙ୍କୁ ପରାମର୍ଶ ଦେଇଥାନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ପରିପୂରକ ପୁଷ୍ଟି ଯୋଜନାରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଟିଏଚ୍‌ଆର ଛତୁଆ(ମାସକୁ ୪.୯ କେଜି) ଅଣ୍ଡା(ମାସକୁ ୧୨ଟି), ଲଡ଼ୁ, ଶୁଖିଲା ରାସନ ଇତ୍ୟାଦି ଯୋଗାଇ ଦିଆଯାଉଛି। ଯେଉଁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ମାସକୁ ଅତିରିକ୍ତ ଳଡ଼ୁ ପ୍ରଦାନ କରାଯାଉଛି। ସମସ୍ତ ଗର୍ଭବତୀ ମହିଳାଙ୍କୁ ଆଇଏଫ୍‌ଏ ଓ କ୍ୟାଲସିୟମ ବଟିକା ଗ୍ରହଣ ନିମନ୍ତେ ଅଙ୍ଗନବାଡ଼ି କର୍ମୀ ପ୍ରୋତ୍ସାହିତ କରିଥାନ୍ତି। ପ୍ରସବ ପରବର୍ତୀ ଗୃହ ପରିଦର୍ଶନ ଦ୍ବାରା ମା’ ଓ ଶିଶୁର ସୁସ୍ଥତାକୁ ସୁନିଶ୍ଚିତ କରନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର