ବ୍ରଜରାଜନଗର : ଜାତୀୟ ରାଜପଥ ନଂ ୪୯ର ଇବ୍ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ବରଘାଟ ନିକଟରେ ଗୁରୁବାର ଗଣଧାରଣା ଦିଆଯାଇଥିଲା। ଝାରସୁଗୁଡ଼ା ଜିଲ୍ଲା ଜନସାଧାରଣ ଓ ରାସ୍ତା ବ୍ୟବହାରକାରୀଙ୍କ ପକ୍ଷରୁ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ୨ ଘଣ୍ଟା ଗଣଧାରଣା ଦିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ୨ ତାରିଖରୁ ଇବ୍ ବ୍ରିଜ ମରାମତି କରାଯିବ ବୋଲି ଏନ୍ଏଚ୍ଏଆଇ ପକ୍ଷରୁ ଜାତୀୟ ରାଜପଥ ଡିଭିଜନ ଏଇଇ ଦିଲ୍ଲୀପ ମେହେର ଓ ଏସ୍ଡିଓ ପରଭେଜ ଅକ୍ତର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଇବ୍ ନଦୀ ଉପରେ ଦ୍ୱିତୀୟ ବ୍ରିଜ ନିର୍ମାଣ ପାଇଁ ଡିପିଆର୍ ପ୍ରସ୍ତୁତ ହେଉଥିବା ସୂଚନା ଦେଇଥିଲେ। ପ୍ରଶାସନ ପକ୍ଷରୁ ତହସିଲଦାର ବସନ୍ତ ହାତୀ, ବ୍ରଜରାଜନଗର ଏସ୍ଡିପିଓ ଚିନ୍ତାମଣି ପ୍ରଧାନ ଓ ବ୍ରଜରାଜନଗର ଥାନା ଅଧିକାରୀ ଧବଳେଶ୍ବର ସହି ଉପସ୍ଥିତ ଥିଲେ। ଧାରଣା ସମ୍ପୂର୍ଣ ଶାନ୍ତିପୂର୍ଣ୍ଣ ଥିଲା।
ଜାତୀୟ ରାଜପଥ ନଂ ୪୯ ଇବ୍ ନଦୀର ବରଘାଟ ନିକଟରେ ୧୯୬୩ ମସିହାରେ ଓରିଏଣ୍ଟ କାଗଜ କଳକୁ ବାଉଁଶ ବୋଝେଇ ଟ୍ରକ ପରିବହନ ପାଇଁ ଏକ ବ୍ରିଜ୍ ନିର୍ମାଣ ହୋଇଥିଲା। ସେସମୟର ଏହି ପୋଲରେ ଉପରେ ୧୦ ଟନ ବାଉଁଶ ବୋଝେଇ ଟ୍ରକ ଯାତାୟତ କରୁଥିଲା। ଏବେ ମଲ୍ଟି ଏକ୍ସେଲର ୮୦ ରୁ ୧୦୦ ଟନ୍ କ୍ଷମତା ଥିବା ଭାରୀଯାନ ଏଠାରେ ଥିବା କୋଇଲା ଖଣି, ଓପିଜିସି, ଏନ୍ଟିପିସି, ବେଦାନ୍ତ ଆଲୁମିନିୟମ, ଜିନ୍ଦଲ ଷ୍ଟିଲ, ଭୂଷଣ ଷ୍ଟିଲ, ଟିଆର୍ଏଲ୍କୁ ଚଳାଚଳ କରୁଛି। ବ୍ରିଜ୍ଟି ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟ ସହିତ ଜିଲ୍ଲାର ଅନ୍ୟ ଅଞ୍ଚଳ ଓ ଛତିଶଗଡ଼କୁ ସଂଯୋଗ କରିଥାଏ। ଏହି ବ୍ରିଜ୍ ଉପର ଦେଇ ପ୍ରତିଦିନ ହାରାହାରି ୧୦ ହଜାର ଭାରୀଯାନ ଯାତାୟତ କରୁଛି। ବିଭିନ୍ନ ସମୟରେ ଦ୍ବିତୀୟ ବ୍ରିଜ ନିର୍ମାଣ ପାଇଁ ବିଭିନ୍ନ ଫୋରମରେ ଦାବି ହେଉଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉ ନଥିବା ଦର୍ଶାଯାଇଛି। ଆଜି ଏହି ଧାରଣାରେ ଶୈଳବାଳା ପ୍ରଧାନ, ବିଜୟ ପାଣି, ପ୍ରଣବ ମିଶ୍ର, ବିମଲ ସାହୁ, ଶେଖର ବିଶି, ରଞ୍ଜନ ସାହୁ, ଆଦିତ୍ୟ ପ୍ରଧାନ, ଲୋକନାଥ ସାହୁ, ଭୁବନେଶ୍ୱର ସାହୁ, ସରୋଜ ପ୍ରଧାନ ଆଦି ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/jharusuguda-e.jpg)