ସମ୍ବଲପୁର : ସ୍ବାସ୍ଥ୍ୟବୀମା ପାଇଁ ଗୁରୁବାର ଦିନ ବିଷ(କୀଟନାଶକ) ବୋତଲ ଧରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁଯୁମୁରା ଅଂଚଳର ଚାଷୀମାନେ ଧାରଣା ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ୨୦୧୮ ମସିହାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଂଚଳର ଚାଷୀମାନଙ୍କୁ ମରୁଡ଼ି ଯୋଗୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଥିଲା। ଅନ୍ୟ ଅଂଚଳର ଚାଷୀମାନଙ୍କୁ ବୀମା ରାଶି ମିଳିଥିଲେହେଁ ଯୁଯୁମୁରା ବ୍ଲକ ଲିପିଣ୍ଡା, ଗଡ଼ଲୋଇସିଂ, କେଶପାଲି ଆଦି ୪ଟି ଅଂଚଳର ଚାଷୀମାନେ ଏଥିରୁ ବଂଚିତ ହୋଇଥିଲେ। ବୀମାରାଶି ପାଇଁ ଏସବୁ ପଞ୍ଚାୟତର ଚାଷୀମାନେ ଅନେକ ଥର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜପଥ ବି ଅବରୋଧ କରିଛନ୍ତି। ପ୍ରତିଶ୍ରୁତି ମିଳିଥିଲେହେଁ ସେମାନଙ୍କୁ ବୀମାରାଶି ମିଳିପାରି ନାହିଁ। ଗୁରୁବାର ଦିନ ଯୁଯୁମୁରା ବ୍ଲକ୍ ପାଇଁ ସମ୍ବଲପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ସସ୍ମିତା ଦେହୁରୀ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶ୍ବିନୀ କୁମୁରା ପ୍ରମୁଖଙ୍କ ନେତୃତ୍ବରେ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନେ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପହଂଚି ଥିଲେ। ତେବେ, ସେମାନଙ୍କୁ ଜିଲ୍ଲା ମୁଖ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବାକୁ ପରାମର୍ଶ ଦିଆଯାଇଥିଲା। ସେଠାରେ ଚାଷୀମାନେ ବୀମାରାଶି ଦାବିରେ କୀଟନାଶକ ବୋତଲ ଧରି ଧାରଣାରେ ବସିଥିଲେ। ବୀମାରାଶି ପ୍ରଦାନ କରାନଗଲେ କୀଟନାଶକ ପାନ କରି ଜୀବନ ହାରିବାକୁ ଚେତାବନୀ ଦେଇଥିଲେ।
ତେବେ, ପୁଲିସ ଚାଷୀମାନଙ୍କ ହାତରୁ କୀଟନାଶକ ବୋତଲ ଛଡ଼ାଇ ଆଣିଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା। ତେବେ, ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।