ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ମିଳିତ ମଞ୍ଚ ସୋମବାର ଦିନ ଓପିଟିସିଏଲ୍‌ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି। ସଂଘର ଅଭିଯୋଗ ଅନୁଯାୟୀ, ଓପିଟିସିଏଲ୍‌, ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ତଥା ବିଶେଷକରି ଆଇଟିଆଇ ଶ୍ରମିକମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଛି। କୁଶଳୀ ଆଇଟିଆଇ କର୍ମଚାରୀମାନଙ୍କୁ ଓପିଟିସିଏଲ୍ ଅର୍ଦ୍ଧ-କୁଶଳୀ ଶ୍ରେଣୀରେ ନିଯୁକ୍ତି ଦେଇ ବର୍ଷବର୍ଷ ଧରି ରଖି ଆସୁଛି। ସେମାନଙ୍କୁ ପଦୋନ୍ନତି ମଧ୍ୟ ଦିଆଯାଉନାହିଁ। ସେହିପରି ନୂତନ ମଜୁରି ନିର୍ଦ୍ଧାରଣ ପାଇଁ ବର୍ତ୍ତମାନ ଓପିଟିସିଏଲ୍‌ରେ ତିନି ପର୍ଯ୍ୟାୟ ଆଲୋଚନା ସରିଥିବା ବେଳେ କର୍ମଚାରୀ ତଥା ଆଗଧାଡ଼ିର ମହାସଂଘକୁ ଅନ୍ଧାରରେ ରଖି କର୍ତ୍ତୃପକ୍ଷ ପୁଣିଥରେ ଚଞ୍ଚକତା ପୂର୍ବକ କ୍ୟାଡର୍‌ ପୁନର୍ଗଠନ କରିଛନ୍ତି। ଏମିତି କରି ୯୫ ଭାଗ ଆଇଟିଆଇ କର୍ମଚାରୀଙ୍କୁ ସାରା ଚାକିରି ଜୀବନରେ ସର୍ବୋଚ୍ଚ ମାତ୍ର ୨୮୩୦ ଗ୍ରେଡ୍‌-ପେ’ରେ ରଖିବା ପାଇଁ ଅଫିସ ବିଜ୍ଞପ୍ତି ବାହାର କରିଛନ୍ତି। ଓପିଟିସିଏଲ୍‌ରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀମାନଙ୍କ ଦରମା ଓଡ଼ିଶା ସରକାରଙ୍କ ଗ୍ରେଡ୍‌-ପେ’ ସହ ସମକକ୍ଷ କରିବା, ଟେକ୍ନିସିଆନ୍ (ସି) ପାଇଁ ୨୮୩୦, ଟେକ୍ନିସିଆନ୍‌ (ବି) ପାଇଁ ୪୨୦୦ ଏବଂ ଟେକ୍ନିସିଆନ୍ (ଏ) ପାଇଁ ୪୬୦୦ ଗ୍ରେଡ୍‌-ପେ’ କରିବାକୁ ମିଳିତ ମଞ୍ଚରେ ଥିବା ଦୁଇ ମହାସଂଘ ଦାବି କରି ଆସୁଛନ୍ତି। ମାତ୍ର ଓପିଟିସିଏଲ୍ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସମସ୍ତ କର୍ମଚାରୀ ବିଶେଷ କରି ଆଇଟିଆଇ ଶ୍ରମିକମାନଙ୍କୁ ଠକି ଚାଲିଛନ୍ତି। ତେଣୁ ସେମାନଙ୍କ ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଂଘ ଚେତାବନୀ ଦେଇଛି।

Advertisment

ଏହି ଧାରଣାରେ ବିଦ୍ୟୁତ ଉତ୍ପାଦକ, ବିଦ୍ୟୁତ ସଂଚାରଣ ଓ ବିଦ୍ୟୁତ୍‌ ବିତରଣ କମ୍ପାନିର ୧୫୦୦ରୁ ଉର୍ଦ୍ଧ୍ଵ ସ୍ଥାୟୀ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀଙ୍କ ସମେତ ମିଳିତ ମଞ୍ଚର ଆବାହକ ଅମର କୁମର ପ୍ରତାପସିଂ, ସହଆବାହକ ସତ୍ୟବ୍ରତ ପରିଡ଼ା, ଯୁବ ଶ୍ରମିକ ସାଥୀ ମହରଞ୍ଜନ ବିଶ୍ବାଳ, ବିଶୁଦ୍ଧାନନ୍ଦ ପରିଜା, ବିଜୟ ଭୁଜବଳ, ଅରବିନ୍ଦ ଛତ୍ରିଆ, ଧନଞ୍ଜୟ ପରିଡା, ପ୍ରିୟବ୍ରତ ନାୟକ, ଜ୍ଞାନ ରଞ୍ଜନ ଭୋଇ, ତାପସ ରଞ୍ଜନ ନାଥ, ମନୋରଞ୍ଜନ ବିଶ୍ବାଳ, ପ୍ରଭାକର ଶତପଥୀ, ବିସ୍ମୟ ହୋତା, ଜ୍ଞାନରଂଜନ ରାଉତ, ଦେବାଶିଷ ପ୍ରଧାନ, ମଳୟ ରଞ୍ଜନ ପାତ୍ର, ଗଗନ ବିହାରୀ ଲେଙ୍କା, ଶିବପ୍ରସାଦ ଲେଙ୍କା, ତାପସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।