ସୌମ୍ୟରଂଜନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଆଶୁ ଆରୋଗ୍ୟ ଓ ସୁସ୍ବାସ୍ଥ୍ୟ କାମନା କଲେ

ଭୁବନେଶ୍ୱର: ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ସହିତ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାୟକ ସୌମ୍ୟରଂଜନ ଖୁବ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ‘ଆମ ଦଳର ନେତା ସୌମ୍ୟରଂଜନ ପଟ୍ଟନାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣି ମୁଁ ଚିନ୍ତିତ। ସ୍ବାସ୍ଥ୍ୟାବସ୍ଥା ଜାଣିବା ଲାଗି ମୁଁ ତାଙ୍କ ସହ କଥା ହୋଇଛି। ମୁଁ ତାଙ୍କର ଆଶୁ ଆରୋଗ୍ୟ ଓ ସୁସ୍ବାସ୍ଥ୍ୟ କ‌ାମନା କରୁଛି।’

କରୋନା ପଜିଟିଭ ଚିହ୍ନଟ ହେବା ନେଇ ବିଧାୟକ ଶ୍ରୀ ପଟ୍ଟନାୟକ ଆଜି ନିଜେ ଟୁଇଟ୍‌ କରି ସୂଚନା ଦେଇଥିଲେ। ଏହାପରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୌମ୍ୟରଂଜନଙ୍କ ଆଶୁ ଆରୋଗ୍ୟ କାମନା କରି ଟୁଇଟ୍‌ କରିଛନ୍ତି।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି, ‘ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ପଜିଟିଭ୍‌ ହୋଇଥିବା ଜାଣିବାକୁ ପାଇଲି । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।’

ସେହିପରି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟୁଇଟ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଖୁବ୍‌ ଶୀଘ୍ର ସୌମ୍ୟରଂଜନଙ୍କୁ ସୁସ୍ଥ କରି ଦିଅନ୍ତୁ ବୋଲି କାମନା କରିଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସଂପାଦକ ସଂଜୟ ଦାସବର୍ମା ମଧ୍ୟ ଶ୍ରୀ ପଟ୍ଟନାୟକ କରୋନା ମୁକ୍ତ ହୁଅନ୍ତୁ ବୋଲି ନିଜ ବାର୍ତ୍ତାରେ ଜଣାଇଛନ୍ତି।

ଏଥିସହିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ଛାତ୍ର, ସର୍ବୋପରି ପୁରୀ ‘ସମ୍ବାଦ’ ପରିବାର ସଦସ୍ୟମାନେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ଆଶୁ ଆରୋଗ୍ୟ କାମନା କରି ଶ୍ରୀମନ୍ଦିର ସିଂହଦ୍ୱାରରେ ଅଖଣ୍ଡ ଦୀପ ଜାଳିଛନ୍ତି। ଏଥିସହ କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ପୀଠ ଏବଂ  ଖଣ୍ଡପଡ଼ାର ବଜରଙ୍ଗୀ ମନ୍ଦିରରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇ ସମୂହ ଦୀପ ଦାନ କରାଯାଇଛି।

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟୁଇଟ୍‌ କରି ସୌମ୍ୟରଂଜନ କହିଥିଲେ, ‘ମୁଁ ଆଜି କରୋନା ପଜିଟିଭ ହୋଇଥିବା କଥା ଜଣାପଡ଼ିଛି । ମୁଁ ସୁସ୍ଥ ଅଛି । ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନଙ୍କୁ ଡାକ୍ତରୀ ପରାମର୍ଶ ନେବାପାଇଁ ଅନୁରୋଧ କରୁଛି ।

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଟୁଇଟ୍‌ରେ ଲେଖିଛନ୍ତି- ବିଧାୟକ ଶ୍ରୀ ପଟ୍ଟନାୟକ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।

 

ପୂର୍ବତନ ସାଂସଦ ତଥା ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ସଂପାଦକ ତଥାଗତ ଶତପଥୀ ଟୁଇଟ୍‌ କରି ଲେଖିଛନ୍ତି, ସୌମ୍ୟରଂଜନଙ୍କ ଲାଗି ଭଗବାନ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛି ଯେ, ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।

 

ସେହିପରି ସୌମ୍ୟରଂଜନ ପଟ୍ଟନାୟକ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ କାମନା କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର।

 

 

ସମ୍ବନ୍ଧିତ ଖବର