୪ ଜିଲ୍ଲାରେ ସଂକ୍ରମଣ ଚିନ୍ତା

ଦୈନିକ ସଂକ୍ରମଣର ୪୬% ଆକ୍ରାନ୍ତ, ୩୬୫୦ ପଜିଟିଭ୍, ୪୪ ମୃତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ୩ ହଜାର ଉପରେ ଜାରି ରହିଛି। ଯଦିଓ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଛି, ତଥାପି ଏହା ନିୟନ୍ତ୍ରଣରେ ରହିଛି। ହେଲେ ୪ଟି ଜିଲ୍ଲା ସରକାରଙ୍କ ପାଇଁ ଏବେ ବି ଚିନ୍ତାର କାରଣ ପାଲଟିଛନ୍ତି। ଗତ ୨୪ ଘଣ୍ଟାରେ ଯେତିକି ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ତାହାର ୪୬ ପ୍ରତିଶତ ରୋଗୀ ବାଲେଶ୍ବର, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସଂକ୍ରମଣ ହାର ତୁଳନାରେ ଏହି ୪ ଜିଲ୍ଲାରେ ସଂକ୍ରମଣ ହାର ଯଥେଷ୍ଟ ଅଧିକ ରହିଛି।

ରାଜ୍ୟର ସଂକ୍ରମଣ ହାର ଗତ ଦୁଇ ଦିନ ହେବ ୫ପ୍ରତିଶତ ଉପରେ ରହିଛି। ଦୁଇଦିନ ଧରି ଏହା ୫ପ୍ରତିଶତ ତଳେ ରହିଥିଲା। ଗତ ୨୪ ଘଣ୍ଟାରେ ରାଜ୍ୟର ସଂକ୍ରମଣ ହାର ୫.୨୫ ପ୍ରତିଶତ ଥିବାବେଳେ ଯାଜପୁରରେ ସର୍ବାଧିକ ୧୩.୯ ପ୍ରତିଶତ ରହିଛି। ଖୋର୍ଦ୍ଧାରେ ୧୦, ପୁରୀ ୮.୬, ବାଲେଶ୍ବରରେ ୮.୫ ଓ ନୟାଗଡ଼ରେ ୮.୨ ପ୍ରତିଶତ ରହିଛି। ଏହା ତୁଳନାରେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୫ ପ୍ରତିଶତରୁ କମ୍ ରହିଛି। ବିଶେଷକରି ବଲାଙ୍ଗୀର, ଝାରସୁଗୁଡ଼ା, ଗଜପତି ଓ ଗଞ୍ଜାମରେ ଜିଲ୍ଲାରେ ସଂକ୍ରମଣ ହାର ୧ ପ୍ରତିଶତରୁ ମଧ୍ୟ କମ୍ ରହିଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ଖୋର୍ଦ୍ଧା, କଟକ, ବାଲେଶ୍ବର, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା ଅଧିକ ରହିଛି। ପ୍ରାଶାସନିକ ସ୍ତରରେ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ କଟକଣା ଜାରି ରହିଥିବାବେଳେ ସର୍ଭେଲାନ୍‌ସ ଜାରି ରହିଛି। ରାଜ୍ୟରେ ସଂକ୍ରମଣ ହାର ନିୟନ୍ତ୍ରଣରେ ରହିଛି। ତେଣୁ ଖୁବ୍‌ଶୀଘ୍ର ଏହା କମିବ ବୋଲି ଆଶା କରାଯାଉଛି। ଯେହେତୁ ଭୂତାଣୁ ବଞ୍ଚିବାକୁ ଚେଷ୍ଟା କରୁଛି, ସେଥିପାଇଁ ମ୍ୟୁଟେସନ୍‌ ହେବାସହିତ ଭାରିଏଣ୍ଟ ବି ବଦଳିବ। ତେଣୁ ସଂକ୍ରମଣ ଚେନ୍ ଭାଙ୍ଗିବା ସହିତ ସତର୍କ ରହିବାକୁ ହେବ ବୋଲି ଡା. ମିଶ୍ର କହିଛନ୍ତି।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୪ଜଣ ଚିହ୍ନଟ ହୋଇଛନ୍ତି। କଟକ ୪୮୫, ଯାଜପୁର ୩୩୨, ବାଲେଶ୍ବର ୨୭୮, ପୁରୀ ୧୮୭, ଭଦ୍ରକ ୧୭୦, ମୟୂରଭଞ୍ଜ ୧୪୫, ଜଗତସିଂହପୁର ୧୩୮, ନୟାଗଡ଼ ୧୨୨, ଅନୁଗୁଳ ୧୧୨, ଢେଙ୍କାନାଳ ୧୧୦, କେନ୍ଦ୍ରାପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ ୧୦୬ ଲେଖାଏ,କୋରାପୁଟ ୧୦୪ ଓ ଷ୍ଟେଟ୍‌ ପୁଲରୁ ୮୯ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୧୫ଟି ଜିଲ୍ଲାରେ ସଂକ୍ରମଣ ଶହେ ତଳେ ରେକର୍ଡ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୯୦ହଜାର ୫୯୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୪୪ଜଣ କରୋନାରେ ପ୍ରାଣ ହରାଇଥିବା‌ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଖୋର୍ଦ୍ଧାରୁ ସର୍ବାଧିକ ୯ଜଣ ମୃତକ ରହିଛନ୍ତି। ଏହାବାଦ୍ ବରଗଡ଼, କଟକରୁ ୫ ଲେଖାଏଁ, ପୁରୀ, ଅନୁଗୁଳରେ ୪ ଲେଖାଏଁ, ଗଞ୍ଜାମ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ୩ ଲେଖାଏଁ, ସମ୍ବଲପୁର, ନୟାଗଡ଼‌ରେ ୨ ଲେଖାଏଁ, ଭଦ୍ରକ, ବୌଦ୍ଧ, ‌ଢେଙ୍କାନାଳ, ମାଲକାନଗିରିରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୩୭୬୧ରେ ପହଞ୍ଚିଛି।

ଚଳିତ ମାସ ଆରମ୍ଭରୁ ରାଜ୍ୟରେ ଲଗାତାର ଭାବେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିଲା। ମାତ୍ର ଆଜି ସଂକ୍ରମିତଙ୍କ ତୁଳନାରେ କମ୍ ସଂଖ୍ୟକ ରୋଗୀ ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୩୪୮୬ ରୋଗୀ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୫୬ହଜାର ୪୯୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦,୨୮୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର