କଟକ : ଆସନ୍ତା ରଥଯାତ୍ରା ସମୟରେ ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ସମୀକ୍ଷା ବୈଠକ ରେଳ ଓ ତଟ ସୁରକ୍ଷାର ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ(ଏଡିଜି) ଡକ୍ଟର ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୁମ୍ଭମେଳା ବେଳେ ଆହ୍ଲାବାଦ ଷ୍ଟେସନ୍ରେ ଘଟିଥିବା ଦଳାଚକଟା ଓ ମୁମ୍ବାଇ ଲୋକାଲ୍ ଟ୍ରେନ୍ରେ ଏକ ଅଘଟଣ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ଏଭଳି ସମ୍ଭାବ୍ୟ ଅଘଟଣକୁ କିଭଳି ରୋକାଯାଇ ପାରିବ, ସେଥିପାଇଁ ପର୍ଯ୍ୟାପ୍ତ ପୁଲିସ ବନ୍ଦୋବସ୍ତ କରିବାକୁ ଡକ୍ଟର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।
ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ଏଥର ବିଗତ ବର୍ଷମାନଙ୍କଠାରୁ ୫ଗୁଣା ଭକ୍ତ ପୁରୀ ଆସିବେ ବୋଲି ଆକଳନ କରାଯାଇଛି। ରଥଯାତ୍ରା ସମୟରେ ଦୈନିକ ୪୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରୀଙ୍କୁ ନେଇ ପୁରୀ ଆସିବ। ଏଥିପାଇଁ ପୁରୀ ଷ୍ଟେସନ୍ରେ ପ୍ରବେଶ ଓ ପ୍ରସ୍ଥାନକୁ ଅଲଗା କରାଯିବ। ଭିଡ଼କୁ ଦୃଷ୍ଟିରେ ରଖି ମାଳତୀପାଟପୁର ରେଳଷ୍ଟେସନ୍ରୁ ଟ୍ରେନ୍ ନିୟନ୍ତ୍ରଣ କରାଯିବ। ଅଘଟଣ ମୁକାବିଲା ପାଇଁ ପୁଲିସ କର୍ମଚାରୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବ। ରଥଯାତ୍ରା ଦିନ ପ୍ରାୟ ଦୁଇଲକ୍ଷ ଯାତ୍ରୀ ପୁରୀ ରେଳଷ୍ଟେସନ ଦେଇ ଯାତାୟାତ କରିବେ ବୋଲି ଆକଳନ କରାଯାଇଛି। ସମନ୍ୱୟ ବୈଠକରେ ରେଳ ସୁରକ୍ଷା ବଳର ଆଇ.ଜି ଯୁଗଳ ଯୋଶୀ, ରେଳବାଇ ଏସ୍.ପି. ସୁନିଲ କୁମାର ଆଚାର୍ଯ୍ୟ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଡକ୍ଟର ଷଡ଼ଙ୍ଗୀ ଓ ଅନ୍ୟ ଅଧିକାରୀମାନେ ପୁରୀ ଓ ମାଳତୀପାଟପୁର ଷ୍ଟେସନ ପରିଦର୍ଶନ କରିବା ସହ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ରାଧାକୃଷ୍ଣ ଶର୍ମା, କେନ୍ଦ୍ରାଞ୍ଚଳ ଆଇ.ଜି. ନରସିଂହ ଭୋଳ ଓ ପୁରୀ ଏସ୍.ପି ଡକ୍ଟର କଓଁର୍ ବିଶାଲ ସିଂଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/railway-station.jpg)