ତୃତୀୟ ଲହର ଚିନ୍ତା: ସଂକ୍ରମିତ ହୋଇପାରନ୍ତି ରାଜ୍ୟର ୯୨ହଜାର ଶିଶୁ

ଡିସେମ୍ବର ସୁଦ୍ଧା ଇସିଆରପି-୨ କାମ ସାରିବାକୁ ‌ନିର୍ଦେଶ

ଭୁବନେଶ୍ବର: କ‌ରୋନାର ସମ୍ଭାବ୍ୟ ତୃତୀୟ ଲହରରେ ରାଜ୍ୟରେ ପ୍ରାୟ ୯୨ହଜାର ଶିଶୁ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ତୃତୀୟ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କିଛି ମଡେଲ ଓଡ଼ିଶାରେ ତୃତୀୟ ଲହରର ଏତେଟା ପ୍ରଭାବ ପଡ଼ିବ ନାହିଁ ବୋଲି ଆକଳନ କରିଛନ୍ତି। ମାତ୍ର ରାଜ୍ୟ ସରକାର ସମୁଦାୟ ସଂକ୍ରମଣର ୧୨ ପ୍ରତିଶତ ଶିଶୁମାନେ ସଂକ୍ରମିତ ହେବେ ବୋଲି ପୂର୍ବାନୁମାନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ କୋଭିଡ ପ୍ରତିକ୍ରିୟା ଯୋଜନା ବା ଏନ୍‌ସିଆର୍‌ପି-୨କୁ ମଞ୍ଜୁରୀ ମିଳିଥିବା ବେ‌ଳେ ଆସନ୍ତା ଡିସେମ୍ବର ସୁଦ୍ଧା କାମ ଶେଷ କରିବା ଲାଗି ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗରୁ ନିର୍ଦେଶ ଦିଆଯାଇଛି। ଇସିଆରପି-୨ରେ ଡାଏଗ୍ନୋଷ୍ଟିକ, ଟେଲିମେଡିସିନ୍, ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତ, କୋଭିଡ କେୟାର ସେଣ୍ଟର, ଶିଶୁଙ୍କ ପାଇଁ ଆଇସିୟୁ ଓ ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି। ଆର୍‌ଟି-ପିସିଆ ଓ ରାପିଡ ଆଣ୍ଟିଜେନ୍ କିଟ୍‌ ବାବଦରେ ୯୪୯୩.୩୮ଲକ୍ଷ ଖର୍ଚ୍ଚ ହେବ। ଏହାସହ ଆର୍‌ଟି-ପିସିଆର୍‌ ଲ୍ୟାବ୍ ପ୍ରତିଷ୍ଠା ପାଇଁ ସମୁଦାୟ ୫୮୪.୩୪ ଲକ୍ଷ ଖର୍ଚ ହେବ। ଯଦି ଆବଶ୍ୟକ ପଡ଼େ ତାହାଲେ ଅତିରିକ୍ତ ଖର୍ଚ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି/ଅନ୍ୟ ଉତ୍ସରୁ ଭରଣା କରାଯିବ।

ସେହିପରି ତୃତୀୟ ଲହରର ମୁକାବିଲା ଯୋଜନାରେ ଔଷଧ ପାଇଁ ୩୦ କୋଟି ମଞ୍ଜୁର ହୋଇଛି। ବରଗଡ଼, ରାୟଗଡ଼ାରେ ୩୨ ଶଯ୍ୟା ବିଶିଷ୍ଟ ଶିଶୁ ୟୁନିଟ୍‌ ପ୍ରତିଷ୍ଠା କରାଯିବ ବୋଲି ଜଣାପଡ଼ିଛି। ଏଥିରେ ୨୦ ଆକ୍ସିଜେନ୍ ଶଯ୍ୟା, ୮ ଏଚ୍‌ଡିୟୁ ଓ ୪ ଆଇସିୟୁ ଶଯ୍ୟା ରହିବ। ସେହିପରି ୨୬ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪୨ଶଯ୍ୟା ବିଶିଷ୍ଟ ଶିଶୁ ୟୁନିଟ୍‌ ଓ ୪ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳ‌ୟରେ ଶିଶୁଙ୍କ ପାଇଁ ୨୦ଟି ଶଯ୍ୟା ରହିବ। ରାଜ୍ୟରେ ୨୮ଟି ଫିଲ୍‌ଡ ହସ୍ପିଟାଲ ପ୍ରତିଷ୍ଠା କରାଯିବା ଲାଗି ମଞ୍ଜୁରୀ ମିଳିଛି। ଏଥିପାଇଁ ୧୭,୬୦୦ଲକ୍ଷ ଟଙ୍କା ଖର୍ଚ କରାଯିବ। ଏଥିପାଇଁ ଜିଲ୍ଲାସ୍ତରରେ ୮-୯ହଜାର ବର୍ଗ ଫୁଟ୍‌ର ମୁକ୍ତ ଜାଗା ଚିହ୍ନଟ କରିବା ଲାଗି ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ଆସନ୍ତା ୯ମାସ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ଅତିକମ୍‌ରେ ଗୋଟିଏ ଏଏଲଏସ ଆମ୍ବୁଲାନସ ରହିବ। ୨୯୯ ବିଏଲଏସ ଆମ୍ବୁଲାନ୍‌ସକୁ ଏଏଲ୍‌ଏସ୍‌ରେ ସାମିଲ କରାଯିବ।

ସମ୍ବନ୍ଧିତ ଖବର