ବ୍ରହ୍ମଗିରି : ବର୍ଷ ବର୍ଷ ଧରି ସମୁଦ୍ର ଉପକୂଳରେ ଏକ ଜାହଜର ବିଶାଳ କଣ୍ଟେନର୍ ବାଲିରେ ପୋତି ହୋଇ ପଡିଛି। ଏଥିରେ ସମୁଦ୍ର ଜୁଆର ମାଡ ହୋଇ ବାଲିବନ୍ତ ଖାଇବାରେ ଲାଗିଛି। ଫଳରେ ଉପକୂଳ ଜନବସତିକୁ ବିପଦ ଆଶଙ୍କା ବଢିଛି। କୃଷ୍ଣପ୍ରସାଦ ବ୍ଲକ୍ ଖିରିସାହି-ରାଜହଂସ ନିକଟରେ ୨୦୧୯ ମସିହାରେ ଏକ ମାଲେସିଆ ଜାହଜ ଦୁର୍ଘଟଣାଗ୍ରସ୍ତ ହୋଇ ଉପକୂଳରେ ଲାଗିଥିଲା। ଜାହଜଟି ଗୋପାଳପୁର ନିକଟରେ ମଝି ସମୁଦ୍ରରେ ଦୁର୍ଘଟଣାର ଶିକାର ହେବା ପରେ ଭାସି ଭାସି ଆସି ଚିଲିକାର ରାଜହଂସ ଓ ଖିରିସାହି ନିକଟ ସମୁଦ୍ର କୂଳରେ ଲାଗିଥିଲା। ଜାହଜରେ ଥିବା ୯ ଜଣ କର୍ମଚାରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ପ୍ରଶାସନ ସେମାନଙ୍କ ଦେଶକୁ ପଠାଇଥିଲା। ସିଙ୍ଗାପୁରରୁ ଚିତା ନାମକ ଏକ ଜାହଜ ଆସି ଏହି ଜାହଜକୁ କୋଲକାତାକୁ ଟାଣି ନେଇଥିଲା। ଜାହଜରେ ଥିବା ତେଲକୁ କାଢି ଉପକୂଳକୁ ଅଣାଯାଇଥିଲା। କିନ୍ତୁ ୩୦ ହଜାର ଟନ୍ ବିଶିଷ୍ଟ ବିଶାଳକାୟ କଣ୍ଟେନର୍କୁ ସମ୍ପୃକ୍ତ ଜାହଜ କମ୍ପାନି ନେଇ ପାରି ନ ଥିଲା। ତୁରନ୍ତ କଣ୍ଟେନର୍କୁ ଉଠାଇ ନେବାକୁ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ କମ୍ପାନିକୁ ନିର୍ଦ୍ଦେଶ ଦେଇଥିଲା। କିଛି ଦିନ ପରେ ସମ୍ପୃକ୍ତ କମ୍ପାନି କଣ୍ଟେନର୍ର କିଛି ଅଂଶ କାଟି ସାତପଡାକୁ ଆଣିଥିଲା। କିନ୍ତୁ କଣ୍ଟେନର୍ର ଅଧାରୁ ଅଧିକ ସମୁଦ୍ର କୂଳ ବାଲିରେ ପୋତି ହୋଇ ରହିଛି।
କଣ୍ଟେନର୍ ବାଲିରେ ପୋତି ହୋଇଯିବା ଫଳରେ ସମୁଦ୍ର ଜୁଆର ଆସି ଉପକୂଳ ବାଲିବନ୍ତରେ ମାଡ ହେଉଛି। ଫଳରେ ବାଲିବନ୍ତ ଧୋଇବାରେ ଲାଗିଛି। ଏଠାରେ ଆଉ ଏକ ପ୍ରାକୃତିକ ମୁହାଣ ଖୋଲିବାର ଆଶଙ୍କା ଦେଖା ଦେଇଛି। ମୁହାଣ ଖୋଲିଲେ ଚିଲିକା ଉପକୂଳରେ ଥିବା କୃଷ୍ଣପ୍ରସାଦ ବ୍ଲକ୍ର ୨୦ରୁ ଅଧିକ ଜନବସତି ଉପରେ ବିପଦ ଆଶଙ୍କା ଦେଖାଦେବ। କେବଳ ଯେ ଜନବସତିକୁ ବିପଦ ଆଶଙ୍କା ରହିଛି ସେକଥା ନୁହେଁ, ବରଂ ଚିଲିକା ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ମଧ୍ୟ ରହିଛି। ଅନ୍ୟପଟେ ଚିଲିକା-ସମୁଦ୍ର ମଝିରେ ରାଜହଂସ ଭଳି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି। ତୁରନ୍ତ ପୋତି ହୋଇ ରହିଥିବା କଣ୍ଟେନର୍କୁ ଉଠାଇ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/container.jpg)