ଭୁବନେଶ୍ୱର : ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଏବେ ୨ହଜାର ଉପରେ ସ୍ଥିର ରହିଛି। ହେଲେ ସବୁ ଜିଲ୍ଲା ସବୁଜ ଜୋନ୍‌ରେ ରହିଛି। ଅର୍ଥାତ୍ କୌଣସି ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଏକ ହଜାର ଉପରେ ନାହିଁ। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୯୬୧ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଏହାବାଦ୍ କଟକ ୧୩୭, ସୁନ୍ଦରଗଡ଼ ୧୨୯, ସମ୍ବଲପୁର ୧୧୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଅନ୍ୟ ଜିଲ୍ଲାମାନଙ୍କରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା କମ୍ ରହିଛି।

Advertisment

ତେବେ ଦକ୍ଷିଣ ଆଫ୍ରିକାରେ ଦେଖା ଦେଇଥିବା କୋଭିଡର ନୂଆ ପ୍ରଜାତିକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି। ଏହି ନୂଆ ପ୍ରଜାତି ବି.୧.୧.୫୨୯ ଡେଲ୍‌ଟାଠାରୁ ବି ଅଧିକ ସଂକ୍ରମିତ କରିପାରୁଥିବା କୁହାଯାଉଛି। ଯଦିଓ ଭାରତରେ ଏହି ଭାରିଏଣ୍ଟ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ତଥାପି ଚାରିଆଡ଼େ ଭୟର ବାତାବରଣ ଦେଖିବାକୁ ମିଳିଛି। ଡିଏମ୍‌ଇଟି ପ୍ରଫେସର ଡା.ରମାରମଣ ମହାନ୍ତି କହିଛନ୍ତି ଏହି ନୂଆ ପ୍ରଜାତିର ଭୟାବହତା ଓ ତୀବ୍ରତା ଜଣା ପଡ଼ିନାହିଁ। ଏବେ ଅନ୍ତର୍ଜାତିକ ଗମନାଗମନ ସ୍ବାଭାବିକ ହୋଇଥିବାରୁ ଆମ ଦେଶକୁ ଏହି ପ୍ରଜାତି ଆସିବାର ଆଶଙ୍କା ରହିଛି। ନିର୍ଦେଶାବଳୀ ଅନୁସାରେ ଦକ୍ଷିଣ ଆଫ୍ରିକା, ବୋଟ୍‌ସୱାନା ଓ ହଂକଂରୁ ଆସୁଥିବା ଯାତ୍ରୀମାନଙ୍କୁ ଅତିକମ୍‌ରେ ୧୦ଦିନ ପୃଥକବାସରେ ରହିବାକୁ ହେବ। ଓଡ଼ିଶାର ସ୍ଥିତି ଏବେ ଭଲ ରହିଥିବା ଡା.ମହାନ୍ତି କହିଛନ୍ତି।

ରାଜ୍ୟରେ ଗତ ୨୪ଘଣ୍ଟାରେ ସଂକ୍ରମଣ ୨୧୯କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୯୬, କଟକ ୧୫, ସୁନ୍ଦରଗଡ଼, ସମ୍ବଲପୁର ୧୦ ଲେଖାଏ, ଯାଜପୁର ୯ ଓ ଷ୍ଟେଟ୍‌ ପୁଲରୁ ୨୨ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାସହ ୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆଜି ୨୨୨ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି।