ବରଗଡ଼ : ଚିନ୍ତା ବଢ଼ାଇଲାଣି ଶିଶୁମୃତ୍ୟୁ

ବରଗଡ଼, (ଅଞ୍ଜନ ପ୍ରଧାନ): ବରଗଡ଼ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଉଜୁଡ଼ି ଯାଉଥିବା ନେଇ ପୂର୍ବରୁ ବିଭିନ୍ନ ତଥ୍ୟ ପ୍ରକାଶ ପାଇଛି। ଭିତ୍ତିଭୂମି ସାଙ୍ଗକୁ ଡାକ୍ତର ଅଭାବ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ଅନେକ ବ୍ଲକ୍‌ରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଏଯାଏଁ ନିଯୁକ୍ତି ପାଇନାହାନ୍ତି। ଯାହାର ଫଳ ଏବେ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇ ଦେଲାଣି।

ବରଗଡ଼ ଜିଲ୍ଲାରେ ଶିଶୁମୃତ୍ୟୁ ହାର ଗତବର୍ଷ ତୁଳନାରେ ବଢ଼ିଛି। ୨୦୧୯-୨୦ ମସିହାରେ ଜିଲ୍ଲାରେ ୧୮,୨୭୫ଜଣ ଶିଶୁ ଜନ୍ମ ହୋଇଥିଲେ। ସେହିବର୍ଷ ୪୫୯ଜଣ ନବଜାତକଙ୍କ ମୃତ୍ୟୁ ଘଟିଥିଲା। ଅର୍ଥାତ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରେ ୨୫.୧୨ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍‌ବେଗର କାରଣ ହେଲା ୨୦୨୦-୨୧ ଆର୍ଥିକ ବର୍ଷର ନଭେମ୍ବର ମାସ ଯାଏ ଏହି ହାର ବଢ଼ିଥିବା ପରିଲକ୍ଷିତ ହୋଇଛି। ଏହି ଅବଧି ମଧ୍ୟରେ ୧୬୮୫୨ଜଣ ଶିଶୁଙ୍କ ଜନ୍ମ ହୋଇଛି। ଏଥିରୁ ୩୯୯ଜଣଙ୍କ ମୃତ୍ୟୁ ଘଟିଛି। ପରିସଂଖ୍ୟାନ ଅନୁସାରେ, ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ୨୬.୭୩ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଶୂନ୍‌ରୁ ୩ବର୍ଷ ମଧ୍ୟରେ ଥିବା ୩୫,୦୬୨ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଅଥଚ ମୃତ୍ୟୁହାର ବଢ଼ିବା ଅନେକଙ୍କୁ ବିସ୍ମିତ କରିଛି।

ଜିଲ୍ଲାରେ ଡାକ୍ତର ମରୁଡ଼ିକୁ କେନ୍ଦ୍ର କରି ବାରମ୍ବାର ଆନ୍ଦୋଳନ ହୋଇଛି। କିନ୍ତୁ ଏହାର କୌଣସି ସମାଧାନ ନହୋଇ ସବୁକିଛି ପ୍ରତିଶ୍ରୁତିରେ ରହିଛି। ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୭୩ଟି ବିଶେଷଜ୍ଞ ଡାକ୍ତର ପଦବି ଖାଲି ପଡ଼ିଛି। ୧୪ଟି ଶିଶୁରୋଗ ବିଶେଷଜ୍ଞ ପଦବି ବି। ଯାହାଦ୍ବାରା ଛୋଟ ଶିଶୁଙ୍କୁ ଠିକଣା ସମୟରେ ଉପଚାର ହେଉନଥିବା କୁହାଯାଉଛି।

ଆଶ୍ବସ୍ତିର କଥା ହେଲା, ଜିଲ୍ଲାରେ ମାତୃମୃତ୍ୟୁ ହାର କମିଛି। ୨୦୧୯-୨୦ରେ ୧୮,୨୭୫ଜଣ ପ୍ରସୂତିଙ୍କ ମଧ୍ୟରୁ ୪୫ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୦-୨୧ ଆର୍ଥିକ ବର୍ଷ (ନଭେମ୍ବର ଯାଏ) ୧୬,୮୫୨ ଜଣ ପ୍ରସୂତିଙ୍କ ମଧ୍ୟରୁ ୩୦ଜଣଙ୍କ ମୃତ୍ୟୁ ଘଟଛି। ମୃତ ପ୍ରସୂତି ଏବଂ ନବଜାତକଙ୍କ ମଧ୍ୟରୁ ଅଧିକାଂଶ ଦୁର୍ଗମ ଇଲାକାର ବୋଲି କୁହାଯାଉଛି। ଠିକଣା ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବା ଏବଂ ଚିକିତ୍ସାରେ ବିଳମ୍ବ ଯୋଗୁଁ ମୃତ୍ୟୁହାର ବଢ଼ୁଥିବା ଜଣାପଡ଼ିଛି।

ଗତ ନଭେମ୍ବର ୨୧ ତାରିଖ ଦିନ ଏହି ଉଜୁଡ଼ା ସ୍ବାସ୍ଥ୍ୟସେବାର ଦୁଇଟି ଦୃଶ୍ୟ ବରଗଡ଼ର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଥିଲା। ଜଣେ ପ୍ରସୂତି ଅଟୋ ଭିତରେ ଶିଶୁ ସନ୍ତାନକୁ ଜନ୍ମ ଦେଇଥିଲେ। ଅନ୍ୟ ଜଣେ ପୁରୁଣା ଜିଲ୍ଲା ଡାକ୍ତରଖାନା ପରିସରରେ ବନ୍ଦ ପଡ଼ି ଥିବା ମାତୃ ମଙ୍ଗଳ କେନ୍ଦ୍ର ବାରଣ୍ଡାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଜିଲ୍ଲାରେ ଆବଶ୍ୟକ ସଂଖ୍ୟାରେ ଡାକ୍ତର କିମ୍ବା ସ୍ବାସ୍ଥ୍ୟ କର୍ମଚାରୀ ରହୁନଥିବା କାରଣରୁ ଲୋକଙ୍କ ଜୀବନ ବାଜିରେ ଲାଗିଛି।

ସମ୍ବନ୍ଧିତ ଖବର