ଚିନ୍ତା ବଢ଼ାଇଲାଣି ଧିମା ଟିକାକରଣ

ଭୁବନେଶ୍ୱର : ରାଜ୍ୟରେ କରୋନା ଟିକାକରଣ ସଂପୂର୍ଣ୍ଣ ଧିମେଇ ଯାଇଛି। ରାଜ୍ୟର ଅଧା ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟ ସରକାର ଦୈନିକ ଯେତିକି ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତା’ଠାରୁ ଯଥେଷ୍ଟ କମ୍ ସଂଖ୍ୟକ ଟିକାକରଣ ହେଉଛି। ଟିକାର ଅଭାବ ନ ଥିବା ସତ୍ତ୍ବେ ଟିକାକରଣ ଧିମେଇ ଯିବା ପ୍ରଶାସନ ପାଇଁ ଏକ ନୂଆ ଆହ୍ବାନ ସୃଷ୍ଟି କରିଛି। ଗୋଟିଏ ପଟେ ରାଜ୍ୟରେ ଦୈନିକ ସଂକ୍ରମଣ ପୁଣିଥରେ ୫ଶହ ପାର୍ କରିଥିବା ବେଳେ ଟିକାକରଣ ଧିମେଇ ଯିବା ଚିନ୍ତାର କାରଣ ପାଲଟିଛି।

ରାଜ୍ୟରେ ୩.୧ କୋଟି ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୨.୪୬ କୋଟିରୁ ଅଧିକ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ନିକଟରେ ଉଭୟ ଡୋଜ୍ ଟିକାକରଣ କୋଟିଏ ଟପିଛି। ଏଥିରେ ପ୍ରମୁଖ ଜିଲ୍ଳା ଭାବେ ଉଭା ହେଉଛନ୍ତି ଖୋର୍ଧା ଓ ଗଞ୍ଜାମ। ଖୋର୍ଧାରେ ୭୧ ଓ ଗଞ୍ଜାମରେ ୭୦ ପ୍ରତିଶତ ଯୋଗ୍ୟ ହିତାଧିକାରୀ ଉଭୟ ଡୋଜ୍ ଟିକା ନେଇ ସାରିଲେଣି। ଏହା ପଛକୁ କଟକରେ ୪୮.୬, ସମ୍ବଲପୁର ୪୮, ପୁରୀ ୪୪, ସୁନ୍ଦରଗଡ଼ ୪୧.୭ ଓ ବାଲେଶ୍ବରରେ ୪୦ ପ୍ରତିଶତ ହିତାଧିକାରୀ ଉଭୟ ଡୋଜ୍ ଟିକା ନେଇ ସାରିଲେଣି। ୧୦ଟି ଜିଲ୍ଳାରେ ୩୦ ପ୍ରତିଶତରୁ କମ୍ ଟିକାକରଣ ହୋଇଛି। ତେବେ ରାଜ୍ୟର ଟିକାକରଣ ହାରଠାରୁ କମ୍ ଟିକାକରଣ ହୋଇଥିବା ଜିଲ୍ଲାମାନଙ୍କ ଭିତରେ ଦେବଗଡ଼, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ରାୟଗଡ଼ା, କଳାହାଣ୍ଡି ଓ ମାଲକାନଗିରି ରହିଛି। କେବଳ ଜିଲ୍ଲା ନୁହେଁ, ରାଜ୍ୟର ୫ଟି ମ୍ୟୁନିସିପାଲଟିରୁ ୨ଟି ମ୍ୟୁନିସିପାଲଟିକୁ ବାଦ୍ ଦେଲେ ଅନ୍ୟ ସ୍ଥାନରେ ଟିକାକରଣ କମ୍ ରହିଛି। ଭୁବନେଶ୍ବର, ବ୍ରହ୍ମପୁର ମ୍ୟୁନିସିପାଲଟିରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକାକରଣ ଶତ ପ୍ରତିଶତ ହୋଇଥି‌ବା ବେଳେ କଟକ, ରାଉରକେଲା ଓ ସମ୍ବଲପୁରରେ ଏହା ସମ୍ଭବ ହୋଇପାରି ନାହିଁ।

ଅପରପକ୍ଷରେ ରାଜ୍ୟର ୩୫୪୦ ଗ୍ରାମରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏସବୁ ସଫଳତା ସତ୍ତ୍ବେ ରାଜ୍ୟରେ ଏବେ ବି ୨୪ଲକ୍ଷ ହିତାଧିକାରୀ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ନ ଥିବା ଜଣାପଡ଼ିଛି। ଲଗାତାର ଭାବେ ସେମାନଙ୍କୁ ମେସେଜ୍ ପଠାଯାଉଥିବା ସ୍ବାସ୍ଥ୍ୟ ବିଭାଗ ଦାବି କରୁଥିଲେ ହେଁ, ଲୋକମାନେ ଟିକା ନେବାକୁ ଆସୁ ନାହାନ୍ତି। ଯାହାଫଳରେ ଦିନକୁ ଦିନ ଏହି ସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି। ନବରଙ୍ଗପୁର, ଗଜପତି, ବଲାଙ୍ଗୀର, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକାକରଣ ନୈରାଶ୍ୟଜନକ ରହିଛି। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ପାର୍ବଣ ଓ ବର୍ଷା ପାଇଁ ଟିକାକରଣ ଧିମେଇ ଯାଇଛି। ଖୁବଶୀଘ୍ର ଟିକାକରଣ ନିଜର ପୂର୍ବ ସ୍ଥିତିକୁ ଫେରିବ ବୋଲି ଆଶା କରାଯାଉଛି। ଦ୍ବିତୀୟ ଡୋଜ୍ ଟିକା ନେଇ ନ ଥିବ‌ା ଲୋକମାନେ ଯେପରି ଟିକା ନେବେ ସେଥିପାଇଁ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀଙ୍କୁ ଦାୟିତ୍ବ ଦିଆଯାଇଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ବୁଧବାର ଦିନ ରାଜ୍ୟରେ ୧ଲକ୍ଷ ୯୬ହଜାର ୬୯୨ଡୋଜ୍ ଟିକା ଦିଆଯାଇଛି। ଏଥିରେ ଯୁବ ବର୍ଗରେ ୭୬,୨୫୦ ପ୍ରଥମ, ୫୭,୯୯୭ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୩୪,୬୧୮ ପ୍ରଥମ ଓ ୨୭,୨୧୯ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୩କୋଟି ୪୮ଲକ୍ଷ ୩୮ହଜାର ୧୮୩ ଡୋଜ୍ ଟିକା ଦିଆଗଲାଣି। ରାଜ୍ୟରେ ବର୍ତମାନ ସୁଦ୍ଧା ୨୨ଲକ୍ଷରୁ ଅଧିକ ଟିକା ମହଜୁଦ ରହିଛି ସୂଚନା ମିଳିଛି।

ସମ୍ବନ୍ଧିତ ଖବର