ଭୁବନେଶ୍ୱର : ଓମିକ୍ରନ୍ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥିରେ ଓମିକ୍ରନ୍ ଆକ୍ରାନ୍ତ ଦେଶରୁ ଫେରୁଥିବା ଲୋକଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ରାଜ୍ୟକୁ ପ୍ରାୟ ୪୦୦ରୁ ଅଧିକ ଲୋକ ବିଦେଶରୁ ଫେରିଥିଲେ ହେଁ ବହୁ ଲୋକଙ୍କୁ ଠାବ କରିହେଉନି। ତେଣୁ ଯେଉଁଠି ସ୍ଥାନୀୟ ଲୋକ ବିଦେଶ ଫେରନ୍ତାଙ୍କ ବିଷୟରେ ଜାଣୁଛନ୍ତି ସେମାନେ ତୁରନ୍ତ ସ୍ଥାନୀୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଅନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ନିୟମିତ ଭାବେ ବାହାର ଦେଶରୁ ଆସୁଥିବା ଲୋକଙ୍କ ବିଷୟରେ ତର୍ଜମା କରାଯାଉଛି। ବିଦେଶରୁ କେତେ ଲୋକ ଆସୁଛନ୍ତି, କେଉଁ କେଉଁ ଜିଲ୍ଲାକୁ ଯାଉଛନ୍ତି ସେହି ଅନୁଯାୟୀ ସବୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଉଛି। ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ସଂଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ସାତ ଦିନ କ୍ୱାରେଣ୍ଟାଇନରେ ରହିବା ପରେ କୋଭିଡ ଲକ୍ଷଣ ଥିଲେ ଅଷ୍ଟମ ଦିନରେ ସେମାନଙ୍କର ଟେଷ୍ଟିଂ କରାଯିବ। ପଜିଟିଭ ବାହାରିଲେ, ଜିନମ ସିକ୍ୱେନ୍ସିଂ କରାଯିବ। ଏବେ ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆମେ ମଧ୍ୟ ବିଦେଶ ଫେରନ୍ତାଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସେମାନଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ପ୍ରଶାସନକୁ ଜଣାନ୍ତୁ। ପହଞ୍ଚିବା ପରେ ୭ଦିନ ସଙ୍ଗରୋଧରେ ରୁହନ୍ତୁ। ଏହାପରେ ୭ଦିନ ନିଜସ୍ବ ଅବଜରଭେସନ୍ରେ ରୁହନ୍ତୁ। ୧୪ଦିନ ଭିତରେ କିଛି କରୋନା ଲକ୍ଷଣ ଦେଖାଗଲେ ତୁରନ୍ତ କୋଭିଡ ପରୀକ୍ଷା କରନ୍ତୁ। କିଛି ଲକ୍ଷଣ ଦେଖାନଗଲେ ଲୋକଙ୍କ ସହ ମିଳାମିଶା କରିପାରିବେ। ଏପର୍ଯ୍ୟନ୍ତ ଆମ ରାଜ୍ୟରେ କୌଣସି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଯାହା ଆମ ପାଇଁ ଆଶ୍ବସ୍ତିର ବିଷୟ ବୋଲି ଡା. ମିଶ୍ର କହିଛନ୍ତି।