ଚିନ୍ତା ବଢ଼ାଇଛି ଆର୍‌ଏମ୍‌ସିର ହୋଲ୍‌ଡିଂ ଟିକସ ଆଦାୟ

୧୭,୦୦୦ ଘରୁ ଟାର୍ଗେଟ ୬ କୋଟି

ରାଉରକେଲା : ଲୋକଙ୍କୁ ମୌଳିକ ସେବା ଦେବାରେ ବିଫଳ ହୋଇଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)। ବସ୍ତିବାସିନ୍ଦାଙ୍କୁ ଏଯାଏ ମିଳିଲାନି ମୌଳିକ ସୁବିଧା। ସ୍ମାର୍ଟ ସିଟି ବିକାଶ ମୂଳକ କାର୍ଯ୍ୟରେ ଚାଲିଛି ବ୍ୟାପକ ହରିଲୁଟ୍‌। ରାସ୍ତା ଘାଟ ମରାମତି ଓ ସମ୍ପ୍ରସାରଣ ନାଁରେ ଖୋଲାମେଲା କରି ଛାଡି ଦିଆଯାଇଛି। ମାସ ମାସ ଧରି ଧୂଳିଧୂଆଁରେ ହନ୍ତସନ୍ତ ହେଉଛନ୍ତି ସହରବାସୀ। ଏନ୍‌ଜିଟିର, ପ୍ରଦୂଷଣ ବିଭାଗର ମାର୍ଗଦର୍ଶିକାକୁ କଡାକଡ଼ି ଭାବେ ପାଳନ କରାଯାଉନି। କରୋନା ଭଳି ଜଟିଳ ସମୟରେ ଲୋକଙ୍କୁ ସରକାରୀ ସହୟତା ପରିବର୍ତ୍ତେ ଜୋରଜବରଦସ୍ତ ହୋଲ୍‌ଡିଂ ଟିକସ ଆଦାୟ ଜନସାଧାରଣଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି।

ସେପଟେ ହୋଲ୍‌ଡିଂ ଟିକସ ଆଦାୟକୁ ନେଇ ତେଜୁଛି ବିବାଦ। ବଢ଼ୁଛି ଜନ ଆକ୍ରୋଶ। କରୋନା ଭଳି ଜଟିଳ ସମୟରେ ହୋଲ୍‌ଡିଂ ଟିକସ ଆଦାୟକୁ କଡ଼ା ବିରୋଧ କରିଛନ୍ତି ରାଜନୈତିକ ଦଳ, ବୁଦ୍ଧିଜୀବୀ ଓ ଜନସାଧାରଣ। ଯଦି ରାଜଧାନୀ ଭୁବନେଶ୍ବରରେ ବର୍ଦ୍ଧିତ ହୋଲ୍‌ଡିଂ ଟିକସକୁ ସ୍ଥଗିତ ରଖାଯାଇ ପାରିଲ, ରାଉରକେଲା ସହରରେ କାହିଁକି ନୁହେଁ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। କରୋନା ଭଳି ଜଟିଳ ସମୟରେ କର୍ମସଂସ୍ଥା ହରାଇଥିବା ଲୋକଙ୍କୁ ସରକାରୀ ସହାୟତା ଦେବା ପରିବର୍ତ୍ତେ ମାଇକ୍‌ ପ୍ରଚାର କରି ହୋଲ୍‌ଡିଂ ଟିକସ ଦାଖଲ କରିବାକୁ ଚେତାବନି ଦେବା। ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଲ୍‌ଡିଂ ଟିକସ ଜମା ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଟାର୍ଗେଟ ଆଦାୟ ନାଁରେ ସହରବାସୀଙ୍କ ଠାରୁ ଜୋରଜବଦସ୍ତ ହୋଲ୍‌ଡିଂ ଟିକସ ଆଦାୟକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଜନସାଧାରଣ। ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ପରିସ୍ଥିତିରେ ଆର୍‌ଏମ୍‌ସି ଏଭଳି ନିଷ୍ପତ୍ତିରୁ ନ ଓହରିଲେ ଆଗାମି ଦିନରେ ଜନ ଆନ୍ତୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଉଭୟ ଜିଲ୍ଲା ବିଜେପି ଓ କଂଗ୍ରେସ।

ସୂଚନାଯୋଗ୍ୟ, ଆର୍‌ଏମ୍‌ସି ଅଧୀନରେ ମୋଟ ୩୩ଟି ୱାର୍ଡ ରହିଛି। ୬ଟି ୱାର୍ଡ ଯଥା ୧୦, ୧୧, ୧୨, ୨୫,୨୬ ଓ ୨୭ ୱାର୍ଡକୁ ଛାଡି ଦେଲେ ଅନ୍ୟ ସମସ୍ତ ୱାର୍ଡରୁ ହୋଲ୍‌ଡିଂ ଟିକସ ଆଦାୟ କରାଯାଉଛି। ମୋଟ ଘର ସଂଖ୍ୟା ରହିଛି ପ୍ରାୟ ୧୭ ହଜାରରୁ ଅଧିକ। ବର୍ଷକୁ ପ୍ରାୟ ୬ କୋଟି ଅଧିକ ଟଙ୍କାର ଟିକସ ଆଦାୟ ‌ହେଉଛି।

ସହରବାସୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯାଉ
‌ସହରବାସୀଙ୍କୁ ସେବା ଯୋଗାଇ ଦେବାରେ ହୋଲ୍‌ଡିଂ ଟ୍ୟାକ୍ସର ଆବଶ୍ୟକତା ରହିଛି। କିନ୍ତୁ କେତେ ପରିମାଣରେ ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ ହେବା କଥା ନିର୍ଦ୍ଧାରଣ ପୂର୍ବରୁ ସହରବାସୀଙ୍କ ମତାମତ ଲୋନାଯିବା କଥା। ମୋ ମତରେ ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ କରାଯିବା ପୂର୍ବରୁ ସହରବାସୀଙ୍କ ଆଲୋଚନା କରାଯାଉ। ସେମାନଙ୍କ ମତାମତ ଗ୍ରହଣ କରାଯାଉ। ତା’ ପରେ ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ କରାଗଲେ ଭଲ ହୁଅନ୍ତା।
ସାରଦା ପ୍ରସାଦ ନାୟକ, ବିଧାୟକ ରାଉରକେଲା।

ସହରବାସୀଙ୍କ ପାଇଁ ବୋଝ
ରାଉରକେଲା ମହାନଗର ନିଗମ ଯେଉଁ ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ କରୁଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ସ୍ମାର୍ଟ ସିଟିର ଯେତିକି ଟଙ୍କା ଆସୁଛି, ତାହା ଠିକ୍‌ ଭାବେ ବିନିଯୋଗ ହେଉ ନାହିଁ। ଏନ୍‌ଜିଟିର ମାର୍ଗଦର୍ଶିକାକୁ ଆର୍‌ଏମ୍‌ସି ଆଦୌ ପାଳନ କରୁ ନାହିଁ। ସହରରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ୁଛି। ବସ୍ତିବାସିନ୍ଦାଙ୍କୁ ମୌଳିକ ସୁବିଧା ମିଳୁନି। ଭୁବନେଶ୍ବରରେ ହୋଲ୍‌ଡିଂ ଟ୍ୟାକ୍ସ ବନ୍ଦ ହୋଇଛି, ରାଉରକେଲାରେ ଜୋରଜବଦସ୍ତ ଆଦାୟ କରାଯାଉଛି। କରୋନା ଭଳି ଜଟିଳ ସମୟରେ ଆର୍‌ଏମ୍‌ସିର ଏଭଳି ଜୁଲୁମ୍‌ ଆଦୌ ଯୁକ୍ତିଯୁକ୍ତ ନୁହେଁ। ଏହା ବିରୋଧରେ ଜନ ଆନ୍ଦୋଳନ କରାଯିବ ବୋଲି, ଏଥିରେ ଦ୍ବିମତ ନାହିଁ। ଏଥିପାଇଁ ଯେଉଁ ଅପ୍ରୀତିକର ସ୍ଥିତି ଉପୁଜିଯିବ ସେଥିପାଇଁ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଦାୟୀ ରହିବେ।
ବିଷ୍ଣୁ ମହାନ୍ତି, ସର୍ବଭାରତୀୟ ଉପସଭାପତି, ସିଆଇଟିୟୁ।

କର ଆଦାୟ ଭଲ ପରମ୍ପରା ନୁହେଁ
ଗଣତନ୍ତ୍ରଣ ମାଲିକ ହେଉଛି ଜନସାଧାରଣ। ଜୋରଜବରଦସ୍ତ ଆଦାୟ ହେବା ଅନୁଚିତ। କର ଆଦାୟ ଆଦୌ ଭଲ ପରମ୍ପରା ନୁହେଁ। ତେଣୁ ସହରବାସୀଙ୍କ ସହ ବୈଠକ କରାଯାଉ। ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରି ସେମାନଙ୍କ ମତାମତ ଲୋଡାଯାଉ। ହୋଲ୍‌ଡିଂ ଟ୍ୟାକ୍ସ ସଂକ୍ରାନ୍ତରେ ବିସ୍ତୃତ ଭାବେ ବୁଝାଯାଉ। ତା’ ପରେ ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ କରାଗଲେ ପ୍ରତିବାଦର ସ୍ବର ଉଠାନ୍ତା ‌ନାହିଁ।
ଭବେଶ ଚନ୍ଦ୍ର ସାହୁ, ବୁଦ୍ଧିଜୀବୀ, ରାଉରକେଲା।

ସହରବାସୀଙ୍କ ଉପରେ ଅତ୍ୟାଚାର କରାଯାଉଛି
୨୦୧୯ରେ ସହରବାସୀ ହୋଲ୍‌ଡିଂ ଟିକସ୍‌କୁ ଦୃଢ଼ ବିରୋଧ କରିଥିଲେ। କରୋନା ମାଡରେ ସହରବାସୀଙ୍କ ଆର୍ଥିକ ସ୍ଥିତି ସମ୍ପୂ୍ର୍ଣ୍ଣ ଦୋହଲି ଯାଇଛି। ଏଭଳି ସମୟରେ ‌ହୋଲ୍‌ଡିଂ ଟିକସ ଆଦାୟ ‘ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି।’ ପ୍ରଥମେ ସହରବାସୀଙ୍କୁ ଉପଯୁକ୍ତ ସେବା ଦିଅନ୍ତୁ। ତା’ ପରେ ହୋଲ୍‌ଡିଂ ଟିକସ୍‌ କଥା ଚିନ୍ତା କରନ୍ତୁ। ରାଉରକେଲା ବିଧାୟକ ପ୍ରତିବାଦ କରିବା ଦରକାର। ବିଧାୟକଙ୍କ ନୀରବତା ପରୋକ୍ଷରେ ହୋଲ୍‌ଡିଂ ଟିକସ ଆଦାୟକୁ ପ୍ରୋତ୍ସାହିତ କରୁଛି। ପୂର୍ବରୁ ଆମ ଦଳ କଡା ବିରୋଧ କରି ଆସିଥଲା। ଆଗାମି ଦିନରେ ମଧ୍ୟ ଆନ୍ଦୋଳନ ଆହୁରି ଜୋରଦାର କରିବ।
ନିହାର ରାୟ, ବରିଷ୍ଠ ବିଜେପି ନେତା, ରାଉରକେଲା।

ଆନ୍ଦୋଳନକୁ ଓହ୍ଲାଇବାକୁ
ହୋଲ୍‌ଡିଂ ଟିକସ୍‌ ମନଇଚ୍ଛା ବୃଦ୍ଧି କରାଯାଇଛି। କରୋନା ସମୟରେ ଆଦୌ ଠିକ୍‌ ନୁହେଁ। ଯେଉଁ ସମୟରେ ଲୋକଙ୍କୁ ସରକାରୀ ସହାୟତାର ଆବଶ୍ୟକତା ରହିଛି। ହୋଲ୍‌ଡିଂ ଟିକସ ବୃଦ୍ଧି ନ କରି, ଯାହା ପୂର୍ବରୁ ଆଦାୟ ହେଉଥିଲା ଅନ୍ତତଃପକ୍ଷେ ପରିସ୍ଥିତି ଠିକ୍‌ ହେବା ପର୍ଯ୍ୟନ୍ତ ସେହିଁଠି ଆଦାୟ ହେବା ଦରକାର। ଲୋକଙ୍କୁ ସେବା ଓ ସୁବିଧା ଯୋଗାଇ ଦେବାକୁ ଟିକସ ଆଦାୟ ହୋଇଥାଏ। ବର୍ତ୍ତମାନ ଆବର୍ଜନା ସଂଗ୍ରହ ନାଁରେ ଗୋଟିଏ ଟିକସ ଆଦାୟ କରାଯାଉଛି। ଏଥିରୁ ନିବୃତ୍ତ ରୁହନ୍ତୁ। ନ ହେଲେ ଜିଲ୍ଲା କଂଗ୍ରେସ ବ୍ୟାପକ ଜନ ଆନ୍ଦୋଳନ କରିବ।
ବିରେନ ସେନାପତି,ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି, ରାଉରକେଲା।

କରୋନା ସମୟରେ ହୋଲ୍‌ଡିଂ ଟିକସ ବନ୍ଦ ରହୁ
ହୋଲ୍‌ଡିଂ ଟିକସ ଆଦାୟ ହେବା ଦରକାର ନାହିଁ। ବିଶେଷ କରି କରୋନା ଭଳି କଠିନ ସମୟରେ ସମ୍ପୂର୍ଣ୍ଣ ସ୍ଥଗିତ ରଖିବା ଦରକାର। କରୋନାରେ ଅନେକଙ୍କ ଚାକିରି ଯାଇଛି। ବହୁତ ଲୋକଙ୍କର ବେପାର ବୁଡିଛି। ଆର୍ଥିକ ସ୍ଥିତି ବିଗିଡି ଯାଇଛି। ଲୋକଙ୍କୁ ସହାୟତା କରିବା ପରିବର୍ତ୍ତେ ହୋଲ୍‌ଡିଂ ଟିକସ ଆଦାୟକୁ ଗୁରୁତ୍ବ ଦେବା ନିନ୍ଦାଜନକ କଥା। ଏଭଳି ସମୟରେ ହୋଲ୍‌ଡିଂ ଟିକସ ଆଦାୟ ଦୁର୍ଭାଗ୍ୟଜନକ। ଏଭଳି ବ୍ୟବସ୍ଥା ଅଦୌ ଠିକ୍‌ ନୁହେଁ। ଏହାକୁ ଆମ ଦଳ ପକ୍ଷରୁ କଡା ବିରୋଧ କରୁଛୁ। ଦରକାର ପଡ଼ିଲେ ଆନ୍ଦୋଳନକୁ ଓହ୍ଲାଇବୁ।
ବିନୟ ତିୱାରୀ, ଆମ୍‌ ଆଦ୍‌ମି ପାର୍ଟି, ରାଉରକେଲା।

ସମ୍ବନ୍ଧିତ ଖବର