ଭୁବନେଶ୍ବର: ସ୍କୁଲ୍ ରୂପାନ୍ତରଣ ନାମରେ କାନ୍ଥରେ ରଙ୍ଗ ବୋଳିଦିଆଯାଉଛି। କିନ୍ତୁ ଶିକ୍ଷକ ପଦବି ଖାଲି ପଡ଼ିଛି। ଇଣ୍ଟର୍ନେଟ୍ ସଂଯୋଗ ନାହିଁ। ବିଜୁଳି ବି ନାହିଁ। କେବଳ ରଙ୍ଗ ବୋଳିଦେଲେ ଗୁଣାତ୍ମକ ଶିକ୍ଷା ମିଳିବନି। ଆଜି ବିଧାନସଭାରେ ଏମିତି ଭାବେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ବିରୋଧୀ ଦଳ। କିନ୍ତୁ ସ୍କୁଲ୍ରେ ଉତ୍ତମ ବାତାବରଣ ପାଇଁ ରୂପାନ୍ତରଣ କାର୍ଯ୍ୟ ଯଥାର୍ଥ ବୋଲି ଶାସକ ଦଳ ସଭ୍ୟ ଯୁକ୍ତି ବାଢ଼ିଥିଲେ। ଆଜି ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ‘ଗୁଣାତ୍ମକ ମାନ ନାହିଁ, ଧନ୍ୟ ସରକାରୀ ଶିକ୍ଷା ବ୍ୟବସ୍ଥା। ରୂପାନ୍ତରଣ ନାମରେ ଚମକୁଛି କିଛି ସ୍କୁଲ୍, ଆଉ ଭିତ୍ତିଭୂମି ଫମ୍ପା।’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ଶିକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ନାହିଁ। ଗୁଣାତ୍ମକ ମାନ ହ୍ରାସ ପାଉଛି। ୫-ଟି ଅଭିଯାନରେ ସ୍କୁଲ୍ ରୂପାନ୍ତରଣ ନାମରେ ରଙ୍ଗ ବୋଳାଯାଉଛି। ଶାସକ ଦଳର କର୍ମୀଙ୍କୁ କାମ ବଣ୍ଟାଯାଉଛି। କିନ୍ତୁ ଏବେ ରାଜ୍ୟରେ ମାତ୍ର ୬% ସ୍କୁଲ୍ରେ ଇଣ୍ଟର୍ନେଟ୍ ସଂଯୋଗ ଅଛି। ୩୮% ସ୍କୁଲ୍ରେ ବିଜୁଳି ସଂଯୋଗ ଅଛି। କରୋନା ପରେ ୨୦ ଲକ୍ଷ ପିଲା ପାଠ ଛାଡ଼ିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ନାହିଁ। ବହୁ ସ୍କୁଲ୍ ଏବେ ବି ଗୋଟିଏ ଦୁଇଟି ଶ୍ରେଣୀ ଗୃହରେ ଚାଲିଛି। କିଛି ସ୍କୁଲ୍ ଜରାଜୀର୍ଣ୍ଣ ହୋଇ ପଡ଼ିଛି। ୬୦ ହଜାରରୁ ଅଧିକ ପଦବି ଖାଲି ପଡ଼ିଥିଲେ ବି ଗଣଶିକ୍ଷା ବିଭାଗ ଶୋଇଛି। ବିଜେପି ସଭ୍ୟ ସୁବାସ ପାଣିଗ୍ରାହୀ ଅଭିଯୋଗ କରିଥିଲେ ଯେ ଓଡ଼ିଶାକୁ ମୁର୍ଖ ରାଜ୍ୟରେ ପରିଣତ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଶିକ୍ଷାର ବିକାଶ ପାଇଁ ଠୋସ୍ ପଦକ୍ଷେପ ନିଆଯାଉନି। ନବଚରଣ ମାଝୀ ମଧ୍ୟ ସ୍କୁଲ୍ଗୁଡ଼ିକରେ ଭିତ୍ତିଭୂମି ଠିକ୍ ନ ଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ।
ସ୍କୁଲ୍ରେ ଉତ୍ତମ ବାତାବରଣ ପାଇଁ ରୂପାନ୍ତରଣ ଯଥାର୍ଥ: ଶାସକ ଦଳ
ରୂପାନ୍ତରଣ ସହ ଗୁଣାତ୍ମକ ଶିକ୍ଷା ପ୍ରତି ଧ୍ୟାନ ଦିଆଯାଉଛି: ଗଣଶିକ୍ଷା ମନ୍ତ୍ରୀ
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ, ସରକାରୀ ସ୍କୁଲ୍ରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ପୁଣି ଜିଲ୍ଲା ବାହାରର ଶିକ୍ଷକ ନିଯୁକ୍ତି ଦିଆଯାଉଥିବାରୁ ଶିକ୍ଷାଦାନ ବେଳେ ଭାଷା ସମସ୍ୟା ସୃଷ୍ଟି ହେଉଛି। ଏ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ। ରୂପାନ୍ତରଣ ନାମରେ ସ୍କୁଲ୍ କାନ୍ଥରେ ରଙ୍ଗ ଦିଆଯାଉଛି। କିନ୍ତୁ ଅନ୍ୟାନ୍ୟ ଭିତ୍ତିଭୂମି ନାହିଁ। ୬୦ ହଜାରରୁ ଅଧିକ ଶିକ୍ଷକ ଦରକାର ଥିଲା ବେଳେ ନିଯୁକ୍ତ ହେଉଛନ୍ତି ମାତ୍ର ୬ ହଜାର। ଶିଶୁମନ୍ଦିରଗୁଡ଼ିକ ଭଲ ଫଳାଫଳ କରୁଥିଲା ବେଳେ ସରକାରୀ ସ୍କୁଲ୍ରେ ତାହା ହେଉନାହିଁ। ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିଗଲାଣି। ସରକାରଙ୍କ ନିଷ୍ଠା ନାହିଁ କି ଆନ୍ତରିକତା ନାହିଁ। କଂଗ୍ରେସ ସଭ୍ୟ ଅଧିରାଜ ପାଣିଗ୍ରାହୀ ମଧ୍ୟ ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।
ଶାସକ ଦଳ ପକ୍ଷରୁ ବରିଷ୍ଠ ସଭ୍ୟ ଅମର ଶତପଥୀ କହିଥିଲେ, ସ୍କୁଲ୍ଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟାରେ ସ୍କୁଲ୍ର ସୌନ୍ଦର୍ଯ୍ୟକରଣ କରାଯାଉଛି। ଫଳରେ ସେଠାରେ ଉତ୍ତମ ବାତାବରଣ ସୃଷ୍ଟି ହେଉଛି। ଗୁଣାତ୍ମକ ଶିକ୍ଷା ସହ ଆଦୌ ସାଲିସ କରାଯାଉନି। ଛାତ୍ରଛାତ୍ରୀ ଏବେ ଘରୋଇ ସ୍କୁଲ୍ରୁ ମୁହଁ ଫେରାଇ ସରକାରୀ ସ୍କୁଲ୍କୁ ଯାଉଥିବା ଦେଖାଯାଉଛି। ଶିକ୍ଷକ ପଦବି ପୂରଣ ପାଇଁ ସରକାର ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି। ଶାସକ ଦଳ ସଭ୍ୟ ଧ୍ରୁବ ସାହୁ, ଦେବେଶ ଆଚାର୍ଯ୍ୟ ଓ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ସ୍କୁଲ୍ ରୂପାନ୍ତରଣ ପ୍ରକ୍ରିୟାକୁ ଯଥାର୍ଥ ବୋଲି ଯୁକ୍ତି ବାଢ଼ିଥିଲେ।
ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ ଯେ ରାଜ୍ୟରେ ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତୀକରଣ ପାଇଁ ସରକାରୀ ସ୍କୁଲ୍ଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୧୨ ହଜାର ୪୮୨ଟି ବିଭିନ୍ନ ସରଞ୍ଚନା ଭିତ୍ତିଭୂମି ନିମନ୍ତେ ୬୨୬୭ କୋଟି ୩୮ ଲକ୍ଷ ୫୭ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୧୨,୪୬୬ଟି ସ୍କୁଲ ପାଇଁ ୩୧୯ କୋଟି ୧୬ ଲକ୍ଷ ୫୮ ହଜାର ଟଙ୍କା ମଞ୍ଜୁରି ଲାଭ କରିଛି। ୧୮୬୭ଟି ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ଲାଗି ୧୪ ଲକ୍ଷ ୭୯ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୫୧୨ ହାଇସ୍କୁଲ୍ରେ ଅତିରିକ୍ତ ଶ୍ରେଣୀ ଗୃହ, ପାଠାଗାର, ବିଜ୍ଞାନ ଲାବ୍, ଶୌଚାଳୟ , ବିଦ୍ୟୁତୀକରଣ ଓ ଆସବାବପତ୍ର ପାଇଁ ୪୩୨ କୋଟି ୮ ଲକ୍ଷ ୮୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ୮ଟି ବ୍ଲକର ଏକ ହଜାର ୧୪୬ଟି ହାଇସ୍କୁଲ୍କୁ ରୂପାନ୍ତରିତ କରିବା ପାଇଁ ୬୮୭ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଡ୍ରପ୍ଆଉଟ ରୋକିବା ପାଇଁ ସରକାର ସ୍ମାର୍ଟ ସ୍କୁଲ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀତାର ସ୍ବାକ୍ଷର ବହନ କରିଥିବା ୫-ଟି ବିଦ୍ୟାଳୟ ରୂପାନ୍ତରଣ ଯୋଜନାର ପ୍ରତିଫଳନ ସ୍ବରୂପ ଓଡ଼ିଶା ଆଜି ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଆଦି ରାଜ୍ୟକୁ ପଛରେ ପକାଇପାରିଛି। ରୂପାନ୍ତରଣ ସହ ସବୁ ସରକାରୀ ହାଇସ୍କୁଲ୍ର ୧୧,୩୩୯ଟି ଶିକ୍ଷକ ପଦବି ପୂରଣ କରିବା ପାଇଁ ୨୦୨୧ ମସିହା ଅଗଷ୍ଟରେ ବିଜ୍ଞାପନ ପ୍ରକାଶ ପାଇଥିଲା। ତାହା ମଧ୍ୟରୁ ୬,୧୩୧ଟି ଶିକ୍ଷକ ପଦବି ୨୦୨୧ ମସିହା ଡିସେମ୍ବର ମାସରେ ପୂରଣ କରାଯାଇଥିଲା। ଅନ୍ୟ ପଦବିରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଗୁଣାତ୍ମକ ଶିକ୍ଷାର ବିକାଶ ଓ ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ଆଖି ଆଗରେ ରଖି ଶିକ୍ଷକମାନଙ୍କ ତାଲିମ ନିମନ୍ତେ ପଦକ୍ଷେପମାନ ନିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/assembly-ff.jpeg)