ଭୁବନେଶ୍ବର : ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସ୍ବତନ୍ତ୍ର ସଂଖ୍ୟାଲଘୁ କମିସନ୍ ଗଠନ ହୋଇନାହିଁ। ରାଜ୍ୟର କୌଣସି ସଂଖ୍ୟାଲଘୁ ନାଗରିକ ଅତ୍ୟାଚାରର ଶିକାର ହେଲେ ଅଭିଯୋଗ ପାଇଁ ସାମ୍ବିଧାନିକ କାର୍ଯ୍ୟାଳୟଟିଏ ବି କରାଯାଇନାହିଁ। ଏହି ସ୍ଥିତି ଦେଖି ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ସଂଖ୍ୟାଲଘୁ କମିସନ୍ ସଦସ୍ୟା ସୟଦ ସାହେଜାଦି ଉଦ୍ବେଗ ପ୍ରକାଶ କରିବା ସହ ଏଠାରେ କ’ଣ ସଂଖ୍ୟାଲଘୁ ନାଗରିକ ନୁହନ୍ତି କି ବୋଲି ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି, ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୯.୧୨ଲକ୍ଷ ମୁସଲମାନ, ୧୧.୬୨ଲକ୍ଷ ଖ୍ରୀଷ୍ଟୀୟାନଙ୍କ ସହ ଜୈନ ଏବଂ ବୌଦ୍ଧ ଧର୍ମାବଲମ୍ବୀ ରହିଛନ୍ତି। ହଜ୍ କମିଟି, ୱାକଫ୍ ବୋର୍ଡ, ମଦ୍ରାସା ବୋର୍ଡରେ କେହି ସଦସ୍ୟ ନାହାନ୍ତି। ୨୦୧୫ରୁ ହଜ୍ କମିଟି ଅଧ୍ୟକ୍ଷ ଏବଂ ସଦସ୍ୟ, ୨୦୧୮ ମସିହାରୁ ୱାକଫ୍ ବୋର୍ଡରେ କୌଣସି ସଦସ୍ୟଙ୍କ ନିଯୁକ୍ତି ଦିଆଯାଇନାହିଁ। ରାଜ୍ୟରେ ଥିବା ମଦ୍ରାସାରେ ସମୁଦାୟ ୮ହଜାର ବିଦ୍ୟାର୍ଥୀଙ୍କୁ ପଢ଼ାଇବା ପାଇଁ ୧୦୭୬ ଶିକ୍ଷକ/ଶିକ୍ଷୟିତ୍ରୀ ଅଛନ୍ତି। ମାତ୍ର ଏଠାରେ ଥିବା ମଦ୍ରାସା କମିଟି କେବଳ ଜଣେ ସମ୍ପାଦକଙ୍କ ଭରସାରେ ଚାଲିଛି। ଏହାର ସ୍ବତନ୍ତ୍ର କାର୍ଯ୍ୟାଳୟଟିଏ ବି ନାହିଁ। ମଦ୍ରାସାକୁ ନେଇ ମଧ୍ୟ କମିଟି ପାଖରେ କୌଣସି ତଥ୍ୟ ମଧ୍ୟ ନାହିଁ। ସ୍ଥିତି ଏଭଳି ଯେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ପାଇଁ କେବଳ ଗୋଟିଏ ଊର୍ଦ୍ଦୁ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ଏହି ସଂଖ୍ୟା ବୃଦ୍ଧି ପାଇଁ ସୁପାରିସ କରାଯାଇଛି। ୱାକଫ୍ ବୋର୍ଡକୁ ନେଇ ସର୍ଭେ ମଧ୍ୟ ଆଜି ପର୍ଯ୍ୟନ୍ତ ସମାପ୍ତ ହୋଇପାରିନାହିଁ। ଏହାର ଅନେକ ଏକର ଜମିକୁ ବର୍ତ୍ତମାନ ଜବରଦଖଲ କରି ନିଆଯାଇଛି। ସେହିଭଳି ସଂଖ୍ୟାଲଘୁଙ୍କ ବିକାଶ ପାଇଁ ୧୫ ସୂତ୍ରୀ କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ସଂଖ୍ୟାଲଘୁଙ୍କ ପାଇଁ ସ୍ବତନ୍ତ୍ର ବିଭାଗ ନଥିବାରୁ ପ୍ରଧାନମନ୍ତ୍ରୀ ଜନବିକାଶ ଯୋଜନାରେ ଆସିଥିବା ଲକ୍ଷାଧିକ ଟଙ୍କା ଖର୍ଚ ହୋଇନପାରି ଫେରି ଯାଇଛି।
କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ରାଜ୍ୟରେ ୧୫-ସୂତ୍ରୀ ବିକାଶ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ପାଇଁ ରାଜ୍ୟ କିମ୍ବା ଜିଲ୍ଲା ସ୍ତରରେ କୌଣସି କମିଟି ନାହିଁ। ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇ ସେଥିରେ ସ୍ଥାନୀୟ ସାଂସଦ, ବିଧାୟକ, ଏସ୍ପି ଏବଂ ସଂଖ୍ୟାଲଘୁଙ୍କ ମଧ୍ୟରୁ ପ୍ରତିନିଧି ରହିବା ଉଚିତ। ମାତ୍ର ଏହା ନ ଥିବାରୁ ରାଜ୍ୟର ସଂଖ୍ୟାଲଘୁମାନେ ସେମାନଙ୍କ ଅଧିକାର ଏବଂ ଯୋଜନା ସମ୍ପର୍କରେ ଜାଣି ପାରୁନାହାନ୍ତି। ଏପରିକି ସେମାନଙ୍କ ବୈଷୟିକ ଅଭିବୃଦ୍ଧି ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ନାହିଁ।
ସଂଖ୍ୟାଲଘୁ କମିସନ ସଦସ୍ୟା କ୍ଷୋଭ ପ୍ରକାଶ କରି କହିଛନ୍ତି, ତାଙ୍କ ପାହ୍ୟା ମନ୍ତ୍ରୀଙ୍କ ସହ ସମାନ। ମାତ୍ର ତାଙ୍କ ଗସ୍ତ ଅବସରରେ ସରକାରଙ୍କ ପକ୍ଷରୁ ସେଭଳି କୌଣସି ମର୍ଯ୍ୟାଦା ଦିଆଯାଇନାହିଁ। ତାଙ୍କ ଗସ୍ତରେ ବିଭିନ୍ନ ଧାର୍ମିକ ନେତାଙ୍କ ସହ ବୈଠକ କରିଥିଲେ। ଏହି ଅବସରରେ କନ୍ଧମାଳ ଦଙ୍ଗାପୀଡ଼ିତ ଠିକ୍ ଭାବେ କ୍ଷତିପୂରଣ ପାଇ ନଥିବା ନେଇ ଅଭିଯୋଗ କରିଥିଲେ। ଏହାକୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ ଠିକ୍ ଭାବେ କ୍ଷତିପୂରଣ ଟଙ୍କା ଦିଆଯାଇଥିବା କୁହାଯାଇଥିଲା। ଶୁକ୍ରବାର ସେ ରାଜ୍ୟପାଳଙ୍କୁ ଦେଖା କରିବେ। ରାଜ୍ୟରେ ସଂଖ୍ୟାଲଘୁ କମିସନ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରିବେ ବୋଲି ଜଣାଇଛନ୍ତି।