ଭୁବନେଶ୍ୱର : ବିଧାନସଭା ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକମାନେ ଗ୍ରାମାଞ୍ଚଳରେ ଲୋ-ଭୋଲ୍ଟେଜ୍ ଓ ବିଦ୍ୟୁତ କାଟ ସମସ୍ୟା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଏହା ସହ ଗ୍ରାମାଞ୍ଚଳରେ ଟ୍ରାନ୍ସଫର୍ମର ସ୍ଥାପନା ଓ ବିଜୁଳିବତି ସମସ୍ୟା ଉପରେ ସରଗରମ ଆଲେଚନା ହୋଇଥିଲା। ନିଜେ ବାଚସ୍ପତି ଗ୍ରାମାଞ୍ଚଳ ବିଦ୍ୟୁତ ସମସ୍ୟା ସୁଧାର ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବାରୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇବା ରାଜ୍ୟବାସୀଙ୍କର ନ୍ୟାର୍ଯ୍ୟ ଅଧିକାର ବୋଲି ସେ କହିଥିଲେ।
ବାଚସ୍ପତି କହିଥିଲେ ଯେ ବିଗତ ଦିନଗୁଡ଼ିକରେ ବିଭାଗ କ୍ଷତି କରୁଥିଲା। କିନ୍ତୁ ଏ ବର୍ଷ ଦକ୍ଷିଣ ଓଡ଼ିଶା ସମେତ ସବୁ ଅଞ୍ଚଳରେ ଲାଭ ହୋଇଛି। ତେଣୁ ଆଗାମୀ ଦିନରେ ବିଦ୍ୟୁତ ଦେୟ ନିଶ୍ଚିତ ଭାବରେ କମିବ ଏବଂ ରାଜ୍ୟବାସୀ ଉପକୃତ ହେବେ। ସଂପ୍ରତି ୩୩/୧୧ କେଭି କ୍ଷମତାସଂପନ୍ନ ସବ୍ଷ୍ଟେସନ୍ଗୁଡ଼ିକର କେନ୍ଦ୍ରୀୟ ତଦାରଖ କରାଯାଉଛି। ତା’ଠାରୁ କମ୍ ଶକ୍ତିସମ୍ପନ୍ନ ସବ୍ଷ୍ଟେସନ୍ଗୁଡ଼ିକୁ କେନ୍ଦ୍ରୀୟ ତଦାରଖ କରାଯାଇପାରିଲେ ଗ୍ରାମାଞ୍ଚଳ ବିଦ୍ୟୁତ ସମସ୍ୟାର ଆଶୁ ସମାଧାନ କରାଯାଇପାରିବ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଶକ୍ତି ଉତ୍ପାଦନ, ବଣ୍ଟନ, ଉନ୍ନତୀକରଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ପୂର୍ବ ପରି ୪ଟି ସବ୍କମିଟି ତୁରନ୍ତ ଗଠନ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ବିଧାନସଭା ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକ
ଗ୍ରାମାଞ୍ଚଳ ବିଦ୍ୟୁତ ସମସ୍ୟା ସୁଧାର ଉପରେ ବାଚସ୍ପତିଙ୍କ ଗୁରୁତ୍ୱାରୋପ
ଗଠନ ହେବ ୪ ସବ୍କମିଟି
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଅନେକ ସମୟରେ ବିଦ୍ୟୁତ ଯୋଗାଣକୁ ନେଇ ବିଦ୍ୟୁତ ଉତ୍ପାଦନ କରୁଥିବା ଶିଳ୍ପସଂସ୍ଥା ଓ ବିଦ୍ୟୁତ ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଅସମ୍ମତି ଦେଖାଯାଉଛି। ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ଦସ୍ତାବିଜ୍ ସହିତ ବିଦ୍ୟୁତ ଓ ଶକ୍ତି ବିଭାଗ ଉପକମିଟି ନିକଟରେ ଉପସ୍ଥାପନା କରିବାକୁ ସେ କହିଥିଲେ। ଏହା ସହିତ ବିଜୁଳି କାଟ ସମ୍ବନ୍ଧୀୟ ଠିକ୍ ଓ ସବିଶେଷ ତଥ୍ୟ ଉପକମିଟିକୁ ପ୍ରଦାନ କରିବା ପାଇଁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ଲୋକମାନଙ୍କର ସବୁଠାରୁ ଅଧିକ ଆବଶ୍ୟକ ସମୟରେ ବିଦ୍ୟୁତ କାଟ କରିବା ଉଚିତ ନୁହେଁ ବୋଲି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ। ସବୁ ଜିଲ୍ଲାର ମୁଖ୍ୟତଃ ଗ୍ରାମାଞ୍ଚଳରେ ପୂର୍ବ ନିର୍ଦ୍ଧାରିତ ବିଦ୍ୟୁତ ଖୁଣ୍ଟି, ତାର ବିଛାଇବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କେତେଦୂର ଅଗ୍ରଗତି କଲାଣି ସେ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ।
ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ, ରାଜ୍ୟବାସୀଙ୍କ ସହଯୋଗ ଫଳରେ ବିଦ୍ୟୁତ ବିଭାଗ କ୍ଷତିରୁ ଲାଭକୁ ଆସିପାରିଛି। ବିଦ୍ୟୁତ ଓ ଶକ୍ତି କ୍ଷେତ୍ରରେ ଆଖିଦୃଶିଆ ସ୍ଥିରତା ଆସିଛି, ଦୁର୍ଘଟଣା କମିଛି, କର୍ମନିଯୁକ୍ତି ବଢ଼ିଛି, ଏହାର ପ୍ରଶଂସା କରାଯିବା ଉଚିତ । ଏହା ଦ୍ୱାରା କର୍ମଚାରୀ ଏବଂ ସଂସ୍ଥାର କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଥିଲେ, ପାଖାପାଖି ୪୪୦ ମେଗାୱାଟ୍ କ୍ଷମତା ସମ୍ପନ୍ନ ଦର୍ଲିପାଲି ପ୍ରକଳ୍ପରୁ ବିଦ୍ୟୁତ ଉତ୍ପନ୍ନ ନହେବା, ଅନେକ ପ୍ରଚେଷ୍ଟା ସତ୍ତ୍ବେ ସେବା ଅଦଳବଦଳ କରି ବିଦ୍ୟୁତ ସଂଗ୍ରହ କରାଯାଇ ନପାରିବା ଓ ଦୁଇଟି ଶିଳ୍ପସଂସ୍ଥା ପୂର୍ବ ନିର୍ଦ୍ଧାରଣଠାରୁ କମ୍ ବିଦ୍ୟୁତ ପ୍ରଦାନ କରିବା ଯୋଗୁଁ ଅନିଚ୍ଛା ସତ୍ତ୍ବେ ବିଜୁଳି କାଟ କରାଯାଉଥିଲା। ଶକ୍ତି ବିଭାଗର ଉନ୍ନତୀକରଣ ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ପାଖାପାଖି ୫୬୦୦ କୋଟି ଟଙ୍କା ବ୍ୟୟ ଅଟକଳ ନିର୍ଦ୍ଧାରଣ କରାଯାଇଛି। ଓଡ଼ିଶା ସରକାର ଫେଜ୍-୪ରେ ୧୭୯୯.୭୩ କୋଟି ଟଙ୍କା ବ୍ୟୟରେ ଡିସେମ୍ବର ୨୦୨୩ ସୁଦ୍ଧା ୯୯ଟି ୩୩/୧୧ କେଭି ସବ୍ଷ୍ଟେସନ୍ ଓ ସହଯୋଗୀ ତାର ବିଛାଇବା ଏବଂ ୬୪ଟି ୩୩ କେଭି ସହଯୋଗୀ ତାର ବିଛାଇବା କାର୍ଯ୍ୟ ସମାପ୍ତ କରି ଲୋ-ଭୋଲ୍ଟେଜ୍ ସମସ୍ୟା ସମାଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଆଜି ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ବରିଷ୍ଠ ବିଧାୟକ ଅନନ୍ତ ଦାସ, ଶ୍ରୀକାନ୍ତ ସାହୁ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଟାଟା ପାୱାର ଦକ୍ଷିଣ, ଉତ୍ତର, ପଶ୍ଚିମ ଓ ମଧ୍ୟ କର୍ତ୍ତୃପକ୍ଷ, ଓପିଜିସି, ଓଇଆର୍ସି, ଓଏଚ୍ପିସି, ଓପିଟିସିଏଲ୍ ଏବଂ ବିଭାଗୀୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/electricity-ad.jpg)