ରାଜ୍ୟରେ ନିଶାସେବନ ବଢ଼ୁଥିବାରୁ ବିରୋଧୀ ସଭ୍ୟଙ୍କ ଉଦ୍‌ବେଗ: ପରିବାର ଉଜୁଡ଼ୁଛି, ସାମାଜିକ ବିଲକ୍ଷଣ ବଢ଼ୁଛି

ଭୁବନେଶ୍ବର : ସରକାର ଘରେ ଘରେ ପିଇବା ପାଣି ଦେଇପାରିଲେ ନାହିଁ। କିନ୍ତୁ ଗଳି ଗଳିରେ ମଦ ପହଞ୍ଚାଇଦେଲେଣି। ମଦ ଯୋଗୁ ସଂସାର ଉଚ୍ଛନ୍ନ ହୋଇଯାଉଛି। ପରିବାରରେ ଆଉ ଶାନ୍ତି ନାହିଁ। ସାମାଜିକ ବିଲକ୍ଷଣ ବଢ଼ିବାରେ ଲାଗିଛି। ଦୁଷ୍କର୍ମ, ହତ୍ୟାକାଣ୍ଡ, ଦୁର୍ଘଟଣା ଆଦି ପଛରେ ମୂଳ କାରଣ ମଦ୍ୟପାନ। ଗରିବ, ଖଟିଖିଆ ଲୋକଙ୍କୁ ମଦ ପିଆଇ ସରକାର ମାରୁଛନ୍ତି। ‌କେ‌ତେ ମା’, ଭଉଣୀଙ୍କୁ ବିଧବା ସଜାଇସାରିଲେଣି। ଆଜି ବିଧାନସଭାରେ ଏମିତି ରାଜ୍ୟ ସରକାରଙ୍କ ଉପରେ ଆରୋପ ଲଗାଇଥିଲେ ବିରୋଧୀ ଦଳ ସଭ୍ୟମାନେ। କିଛି ରାଜସ୍ବ ପାଇଁ ସରକାର ଜାଣିଶୁଣି ରାଜ୍ୟକୁ ନିଶାମୁକ୍ତ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ।

ବୁଧବାର ଦିନ ବିଜେପି ପକ୍ଷରୁ ‘ନିଶାଦ୍ରବ୍ୟ, ମଦରେ ବୁଡ଼ିଛି ସାରା ଓଡ଼ିଶା, ଗରିବ ମହିଳାମାନଙ୍କ କିଏ ହେବ ସାହାଭରସା’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ଏହା ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ନିଶା ସେବନ କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ଅଛି। ଓଡ଼ିଶା ସରକାର ଗାନ୍ଧୀଜୀଙ୍କ ମୂଲ୍ୟବୋଧ ଓ ଆଦର୍ଶ କଥା ସବୁବେଳେ କହୁଛନ୍ତି। ‘ଅହିଂସା’କୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସଂକଳ୍ପ ଆଗତ କରିଥିଲେ। ତାହାକୁ ସର୍ବସମ୍ମତିକ୍ରମେ ସମର୍ଥନ କରାଯାଇଥିଲା। କିନ୍ତୁ ବାସ୍ତବତା ଭିନ୍ନ। ନିଶାର ପ୍ରଚାର ପ୍ରସାରରେ ସରକାର କିଛି ହେଳା କରୁ ନାହାନ୍ତି। ଏପରି ଦୋମୁହାଁ ନୀତି ସରକାରଙ୍କ ଅସଲ ଚେହେରା ଧରା ପକାଇଦେଉଛି। ମଦ, ଗଞ୍ଜେଇ ଚୋରାଚାଲାଣ ବେଧଡ଼କ ଭାବେ ବଢ଼ିଚାଲିଛି। ବ୍ରାଉନ୍ ସୁଗାର କାରବାର ଅଭାବନୀୟ ଭାବେ ବଢ଼ିଚାଲିଛି। ରାଜ୍ୟରେ ଅଧିକ ମଦ ବିକ୍ରି ପାଇଁ ଦୋକାନୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଅବକାରୀ ଶୁଳ୍କ ହ୍ରାସ କରାଯାଇ ମଦକୁ ପ୍ରୋତ୍ସାହନ ଦିଆଯାଉଛି। ମଦ ପାଇଁ କେତେ ପରିବାର ଉଜୁଡ଼ିଗଲାଣି। ରାଜ୍ୟରେ ଅଧିକାଂଶ ଧର୍ଷଣ, ହତ୍ୟାକାଣ୍ଡ ଓ ଦୁର୍ଘଟଣାର ମୁଖ୍ୟ କାରଣ ହୋଇଛି ମଦ।

ମଦ କାରବାରରେ ସରକାରଙ୍କୁ ଦୋମୁହାଁ ନୀତିକୁ ବିରୋଧୀଙ୍କ ସମାଲୋଚନା
ଚୋରା ନିଶା କାରବାରକୁ ରୋକିବାକୁ ସରକାର ପଦକ୍ଷେପ ନେଉଛନ୍ତି: ଶାସକ ଦଳ

Amar Ujala

ବିଜେପି ସଭ୍ୟ ସନାତନ ବିଜୁଳି କହିଲେ, ସ୍କୁଲ୍,କଲେଜ ପରି ଜନଗହଳିପୂର୍ଣ୍ଣ ସ୍ଥାନରେ ମଦ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଉଛନ୍ତି। ରାଜ୍ୟରେ ଜାତୀୟ ହାର ଠାରୁ ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା ଅଧିକ। ବିହାରରେ ଯଦି ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ଆଇନ ହେଉଛି, ଓଡ଼ିଶାରେ କାହିଁକି ହୋଇପାରିବନି? ବିଜେପି ସଭ୍ୟ କୁସୁମ ଟେଟେ କହିଲେ, ଏବେ ଯୁଆଡ଼େ ଗଲେ ମହିଳାମାନେ ନିଶା ଦ୍ରବ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ନିଶା ରୋକିବାକୁ ଆମକୁ ଅନୁରୋଧ କରୁଛନ୍ତି। କିନ୍ତୁ ଆମ ପାଖରେ ଉତ୍ତର ନାହିଁ। ଏ ସରକାର ଗାଁ ଗାଁରେ ପିଇବା ପାଣି ଦେଇପାରୁନାହାନ୍ତି, କିନ୍ତୁ ଗଳି ଗଳିରେ ମଦ ଦେବାରେ ହେଳା କରୁନାହାନ୍ତି। ନିଶା ପାଇଁ ପାରିବାରିକ ସ୍ଥିତି ଉଜୁଡ଼ିଗଲାଣି। ପରିବାର ଭିତରେ ହତ୍ୟାକାଣ୍ଡ ଘଟୁଛି। ସଂସାର ବୁଡ଼ିଯାଉଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଅବକାରୀ ବିଭାଗ ଉପରୁ ତଳ ଯାଏ ଦୁର୍ନୀତିରେ ବୁଡ଼ିରହିଛି। ମଦ କାରବାର ଏତେ ଜୋର୍‌ ବଢ଼ୁଛି ଯେ ତାହାକୁ ଧରିବା ପାଇଁ ଓ ମାଫିଆଙ୍କୁ ଦଣ୍ଡ ଦେବା ପାଇଁ ଏ ବିଭାଗରେ କର୍ମଚାରୀ ନାହାନ୍ତି। ବହୁ ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବାଡ଼େଇ ଭାଙ୍ଗୁଥିବାର ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସୁଛି। ଏହାର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ମୁଁ ବ୍ୟକ୍ତିଗତ ଭାବେ ଅନୁସନ୍ଧାନ କରିଥିଲି। ଅନୁସନ୍ଧାନରୁ ଜାଣିଲି ଯେ ବେଆଇନ ମଦ କାରବାର କରୁଥିବା ଲୋକ ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ଭାଙ୍ଗିବା ପାଇଁ କିଛି ସ୍ବୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହଯୋଗ କରୁଛନ୍ତି। ପୁଲିସ ଏହା ଜାଣି ମଧ୍ୟ କିଛି କରୁନି। ଫଳ ହେଉଛି, ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ ହେଉଛି ଓ ଚୋରା ମଦ କାରବାର ଚାଲୁଛି। ବେଆଇନ ନିଶା କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

NCR News

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ଅବିଭକ୍ତ ‌କୋରାପୁଟ ଜିଲ୍ଲାରେ ଗଞ୍ଜେଇ କାରବାର ବଢ଼ୁଛି। ଜୟପୁର ବିଜେଡିର ବହୁ ନେତା ଓ କର୍ମୀ ଗିରଫ ହେଉଛନ୍ତି। କିନ୍ତୁ ଚାର୍ଜସିଟ୍‌ ଦାଖଲ ହେଉ ନ ଥିବାରୁ ସେମାନେ ଜାମିନ୍‌ରେ ଆସୁଛନ୍ତି। ସେହି ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ଦେଖିବାକୁ ମିଳୁଛି। ସରକାର ଅବକାରୀ କାରବାରରୁ କିଛି ରାଜସ୍ବ ପାଉଛନ୍ତି ସତ। କିନ୍ତୁ ସେହି ଟଙ୍କା ପାଇଁ ସରକାର ଇଜ୍ଜତ ବିକୁଛନ୍ତି। ଗରିବ, ଖଟିଖିଆ ଲୋକଙ୍କୁ ମଦ ପିଆଇ ମାରୁଛନ୍ତି। ଆଦିବାସୀ ଗାଁରେ ବିଧବାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଜେଡି ସରକାର ଓ ଅବକାରୀ ଅଧୀକ୍ଷକମାନେ ମଦ ବେପାରୀ ଓ ମଦୁଆଙ୍କ ସହ ଅଛନ୍ତି। ଲୋକଙ୍କୁ ମାରିବାର ସମସ୍ତ ବ୍ୟବସ୍ଥା କରୁଛନ୍ତି।

ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ଶାସକ ଦଳର ସଭ୍ୟମାନେ। ଶାସକ ଦଳ ସଭ୍ୟ ଶଶିଭୂଷଣ ବେହେରା ଯୁକ୍ତି ବାଢ଼ିଥିଲେ, ସମ୍ପୂର୍ଣ୍ଣ ନିଶା ନିବାରଣ ଗୋଟିଏ ରାଜ୍ୟରେ ସମ୍ଭବ ନୁହେଁ। ସାରା ଭାରତରେ ଏଥି ପାଇଁ ନିଶା କାରବାର ବନ୍ଦ କରିବାକୁ ପଡ଼ିବ। ନଚେତ ଅନ୍ୟ ରାଜ୍ୟରୁ ଅପମିଶ୍ରିତ ମଦ ଆସିବ ଓ ତାକୁ ପିଇ ଲୋକ ମରିବେ। ୭/୮ ହଜାର କୋଟିର ରାଜସ୍ବ ପାଇଁ ସରକାର ମଦ ଲାଇସେନ୍ସ ଦେଉନାହାନ୍ତି। କେବଳ ଅପମିଶ୍ରିତ ମଦକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛନ୍ତି। ପ୍ରଫୁଲ୍ଲ ସାମଲ କହିଥିଲେ, ବେଆଇନ ମଦ କାରବାରକୁ ରୋକିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ରମେଶ ବେହେରା କହିଥିଲେ, ମାଦକ ଦ୍ରବ୍ୟରୁ ରାଜସ୍ବ ଆଦାୟ ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଶାସକ ଦଳ ସଭ୍ୟ ସ୍ବରୂପ ଦାସ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର