ଭୁବନେଶ୍ବର: ପଶ୍ଚିମବଙ୍ଗ ପୁରୁଲିଆର ବିପ୍ଳବ ପାଲ। ୧୦ ବର୍ଷୀୟ ପୁତୁରା ସୁମନ ପାଲକୁ ଖୋଜିଖୋଜି ନୟାନ୍ତ ହୋଇଗଲେଣି। କିନ୍ତୁ କେଉଁଠି ତାଙ୍କର ପତ୍ତା ମିଳୁନି। ଦୁର୍ଘଟଣାସ୍ଥଳ ବାଲେଶ୍ବର ଜିଲ୍ଲାର ବାହାନଗାଠାରୁ ଆରମ୍ଭ କରି ସହର ମୁଖ୍ୟସ୍ଥାନ, ଜଳେଶ୍ବର, କଟକ, ଭୁବନେଶ୍ବର; ଯେଉଁଠି ବି ଟ୍ରେନ୍ ଦୁର୍ଘଟଣାରେ ଆହତ-ମୃତକଙ୍କୁ ରଖାଯାଇଛି ବୋଲି ଖବର ପାଇଛନ୍ତି, ସେଠାକୁ ଦୌଡ଼ୁଛନ୍ତି। କିନ୍ତୁ ସବୁଠି ତାଙ୍କୁ ନିରାଶାର ମୁହଁ ଦେଖିବାକୁ ପଡ଼ୁଛି। ଓଡ଼ିଶାକୁ ଆସିଥିବା ପଶ୍ଚିମବଙ୍ଗ ପ୍ରଶାସନିକ ଟିମର ମଧ୍ୟ ସହାୟତା ଲୋଡ଼ିଛନ୍ତି। ବିପ୍ଳବଙ୍କ ସୂଚନାନୁସାରେ, ଭାଉଜ ଚଞ୍ଚଲ ପାଲ ଟ୍ୟୁମର୍ ଚିକିତ୍ସା ପାଇଁ ଚେନ୍ନାଇରୁ ହମସଫର୍ ଏକ୍ସପ୍ରେସ୍ରେ ଖଡ଼ଗପୁରକୁ ଫେରୁଥିଲେ। ସାଙ୍ଗରେ ଥିଲେ ପୁତୁରା ସୁମନ ଏବଂ ଚଞ୍ଚଲଙ୍କ ଭାଇ ସଞ୍ଜୟ କୁମ୍ଭକାର। ଦୁର୍ଘଟଣାରେ ସଞ୍ଜୟଙ୍କ ମୃତ୍ୟୁ ହୋଇସାରିଛି। ଶବକୁ ସେମାନେ ଚିହ୍ନଟ କରି ସାରିଛନ୍ତି।
ଆହତ ଚଞ୍ଚଲ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସୁମନର କ’ଣ ହେଲା, କିଛି ଜଣାପଡ଼ୁନି ବୋଲି ସେ କହିଛନ୍ତି। ୫୨ବର୍ଷୀୟ ଅହମ୍ମଦ ବାଦଲି ଶେଖଙ୍କ ବି ସେଇ ସମାନ ଅବସ୍ଥା। ନିଜର ୨୦ ବର୍ଷୀୟ ଭେଣ୍ଡିଆ ପୁଅ ଆବାସୁଦ୍ଦିନର ଫଟୋ ଏବଂ ଆଧାରକାର୍ଡ ଧରି ସେ ବିଭିନ୍ନ ସ୍ଥାନ ଘୂରି ବୁଲୁଛନ୍ତି। ଦୁର୍ଘଟଣା ଖବର ପାଇବା ପରେ ପୁଅର ମୋବାଇଲକୁ ଫୋନ କରିଥିଲେ। ଦୁଇ ଦିନ ଧରି ରିଙ୍ଗ୍ ହେଲା ସିନା, ହେଲେ କେହି ଉଠାଇଲେ ନାହିଁ। ଆଜିଠାରୁ ଆଉ ଫୋନ୍ ରିଙ୍ଗ୍ ବି ହେଉନି। ତେଣୁ ସମୟ ଗଡ଼ିବା ସହ ପୁଅ ଚିନ୍ତା ତାଙ୍କୁ ଅଥୟ କରୁଛି। ତା’ର କିଛି ହୋଇଗଲେ, ୬ ମାସର ଶିଶୁ ବାପଛେଉଣ୍ଡ ହୋଇଯିବ ଓ ତାଙ୍କ ପରିବାର ସର୍ବସ୍ବାନ୍ତ ହୋଇଯିବ ବୋଲି କହିଛନ୍ତି ବାଦଲି। ବାଦଲିଙ୍କ ସୂଚନାନୁସାରେ, ତାଙ୍କ ପୁଅଙ୍କ ସମେତ ସମୁଦାୟ ୭ଜଣ ଏକାସହିତ ଇଦ୍ ପାଳନ ପାଇଁ ଘରକୁ ଆସି ନିଜ କାର୍ଯ୍ୟକ୍ଷେତ୍ର ଚେନ୍ନାଇକୁ ଯାଉଥିଲେ। ୭ଜଣଙ୍କ ମଧ୍ୟରୁ କେବଳ ୨ଜଣ ଅର୍ଥାତ ସନୱାର ହସନ ମୁଲ୍ଲା, ମଇଉଦ୍ଦିନ ଶେଖଙ୍କ ମୃତ ଶରୀର ମିଳିଛି। କିନ୍ତୁ ଜମାଲୁଦ୍ଦିନ ଶେଖ(୩୨), ଇବ୍ରାହିମ ଶେଖ(୩୨), ସଜ୍ଜଦ ଶେଖ(୨୬) ଏବଂ ମୁନା ଶେଖ(୨୮)ଙ୍କ ପତ୍ତା ମିଳୁ ନାହିଁ। ମୁଜାଫରନଗରରୁ ଚେନ୍ନାଇ ଯାଇଥିବା ୭ ଜଣିଆ ଶ୍ରମିକ ଦଳଙ୍କ ମଧ୍ୟରୁ ମଧ୍ୟ ୪ଜଣଙ୍କ ପତ୍ତା ମିଳି ନାହିଁ।
୧୦ ବର୍ଷର ପୁତୁରାର ଫଟୋ ଘୂରି ବୁଲୁଛନ୍ତି ଦାଦା
ନିଖୋଜ ମଧ୍ୟରେ ଅନେକ ପ୍ରବାସୀ ଶ୍ରମିକ ଦଳ
ସହର ପରେ ସହର ବୁଲୁଛନ୍ତି, କେଉଁଠି ମିଳୁନାହାନ୍ତି
ମମତା କହିଲେ ପଶ୍ଚିମବଙ୍ଗର ୧୮୨ ନିଖୋଜ ଅଛନ୍ତି
ରାଜ୍ୟ ସରକାର ନିରବ, ରେଳ ମନ୍ତ୍ରାଳୟ ବି ଚୁପ୍
କେବଳ ସୁମନ କି ଆବାସୁଦ୍ଦିନ୍ ନୁହେଁ, ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଅନେକ ବ୍ୟକ୍ତିଙ୍କ ପତ୍ତା ମିଳୁନାହିଁ। ସମ୍ପର୍କୀୟମାନେ ସେମାନଙ୍କ ଫଟୋ ଧରି ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନାକୁ ଘୂରି ବୁଲୁଛନ୍ତି। ଅସହାୟ ଏବଂ ନିରାଶ ହୋଇ ଶବ ଗୃହ ସମ୍ମୁଖରେ ଥିବା ହେଲ୍ପ-ଡେସ୍କରେ ମଧ୍ୟ ଦେଖାଉଛନ୍ତି। ଶବ ସଂରକ୍ଷିତ ସ୍ଥାନରେ ଗୋଟିଏ ପରେ ଗୋଟିଏ ମରଶରୀରର ମୁହଁ ଉପରୁ ଲୁଗା ଖୋଲି ଦେଖୁଛନ୍ତି। ହେଲେ ସବୁଠି ଖାଲି ନିରାଶା।
ସବୁଠାରୁ ବଡ଼ କଥା ହେଲା, ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଟ୍ରେନରେ ସଂରକ୍ଷିତ ବଗିର ଯାତ୍ରୀଙ୍କ ସଂଖ୍ୟା ପ୍ରଶାସନ ଜାଣିପାରିଛି। ହେଲେ ଆହୁରି ଅନେକ ସଂଖ୍ୟାରେ ଯାତ୍ରୀ ଅଛନ୍ତି, ଯେଉଁମାନେ ଅଣସଂରକ୍ଷିତ ଟିକେଟରେ ଯାତ୍ରା କରିଛନ୍ତି। ସେମାନଙ୍କ ଖୋଜଖବର ପ୍ରଶାସନ ପାଖରେ ନାହିଁ। ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି, ତାହା ମଧ୍ୟ ଏଯାଏ କେହି ସ୍ପଷ୍ଟ କରୁନାହାନ୍ତି। ନା ଓଡ଼ିଶା ସରକାର ନା ରେଳବାଇ କର୍ତ୍ତୃପକ୍ଷ ଏହାକୁ ନେଇ ଖଏଙଇ ଏସଓପି ମଧ୍ୟ ଜାରି କରିନାହାନ୍ତି। ଫଳରେ ବର୍ତ୍ତମାନ ସ୍ଥିତିରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ନେଇ ପ୍ରଶାସନ ଗମ୍ଭୀର ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏହି ପ୍ରସଙ୍ଗଟି ଆହୁରି ଜଟିଳ ହେବାର କାରଣ ହେଉଛି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମାନ ଅଭିଯୋଗ ଆଣିଲେଣି। ମମତା ଅଭିଯୋଗ କରିଛନ୍ତି ଯେ ଏହି ରେଳ ଦୁର୍ଘଟଣାରେ କେବଳ ପଶ୍ଚିମବଙ୍ଗର ୬୧ ଜଣଙ୍କର ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗର ୧୮୨ ଲୋକ ଏବେ ବି ନିଖୋଜ ଅଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଯଦି କେବଳ ପଶ୍ଚିମବଙ୍ଗର ସ୍ଥିତି ଏମିତି, ତେବେ ଅନ୍ୟ ରାଜ୍ୟର ସ୍ଥିତି କଣ ହୋଇଥିବ, ଏକଥା ଅନୁମାନ କରାଯାଇପାରେ।