ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ସ୍ଥିତି ବେକାବୁ: ଗାଁ ମୁହାଁ ପ୍ରବାସୀ, ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା

୪୮ ଘଣ୍ଟାରେ ୪୫ ହଜାର ପଜିଟିଭ୍‌ ଚିହ୍ନଟ
ରାସ୍ତାଘାଟ ମୁକୁଳା, ଗଳାବାଟରେ ଅବାଧ ଯାତାୟାତ

ଜଳେଶ୍ବର : ଦେଶରେ ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ଯାଇଥିବାବେଳେ ଗତ ୩/୪ ଦିନ ହେଲା କୋଲକାତାରେ ରହୁଥିବା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ଲୋକମାନେ ବସ୍‌, ଟ୍ରେନ୍‌ରେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ତେବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କୌଣସି ସରକାରୀ କଟକଣା ନ ଥିବାରୁ ଆଗାମୀ ଦିନରେ ବାଲେଶ୍ବର ସମେତ ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସବୁଠାରୁ ବଡ଼କଥା ହେଉଛି, ପଶ୍ଚିମବଙ୍ଗର ୯୦ଟି ଗାଁ ସୀମା ଓଡ଼ିଶାକୁ ଲାଗିରହିଛି। ଅନୁରୂପ ଭାବେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର, ଭୋଗରାଇର ୮୨ଟି ଗାଁ ପଡ଼ୋଶୀ ପଶ୍ଚିମବଙ୍ଗକୁ ଲାଗି ରହିଥିବାବେଳେ ଏହିସବୁ ଗାଁଗୁଡ଼ିକରୁ ପ୍ରତିଦିନ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଏବଂ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଲୋକେ ଅବାଧରେ ଯାତାୟାତ କରୁଛନ୍ତି। ବିଶେଷକରି ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଫେରି ବ୍ୟବସାୟ ପାଇଁ ପଶ୍ଚିମବଙ୍ଗରୁ ବହୁସଂଖ୍ୟାରେ ବ୍ୟବସାୟୀ ଆସୁଥିବା ବେଳେ ସେମାନଙ୍କ ଉପରେ କୌଣସି କଟକଣା ନାହିଁ। ଏହି କାରଣରୁ ୨୦୨୦ ଓ ୨୦୨୧ରେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବା ସହ ଅନେକ ଲୋକ ମୃତ୍ୟୁବରଣ ମଧ୍ୟ କରିଥିଲେ। ମକର ସଂକ୍ରାନ୍ତିରେ ପଶ୍ଚିମବଙ୍ଗରେ ବିଖ୍ୟାତ ଗଙ୍ଗାସ୍ନାନ ମେଳା ହେଉଥିବା ବେଳେ ଏହି ମେଳାକୁ ଯିବା ପାଇଁ ଓଡ଼ିଶାର ସୀମାନ୍ତ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଗୋଡ଼ କାଢ଼ି ବସିଛନ୍ତି। ସୀମା ଗଳାବାଟଗୁଡ଼ିକୁ ଏବେଠୁ ଅବରୋଧ ନ କଲେ ଏବଂ ସତର୍କ ଦୃଷ୍ଟି ନ ରଖିଲେ ଆଗାମୀ ଦିନରେ କୋଭିଡ୍‌ ଓ ଓମିକ୍ରନ୍‌ ସଂକ୍ରମଣ ଆହୁରି ଭୟଙ୍କର ରୂପ ନେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେଣୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯିବା ସହ ଗମନାଗମନ ପାଇଁ ଉଦ୍ଦିଷ୍ଟ ରାସ୍ତାଗୁଡିକୁ ସିଲ୍ କରିବା ପାଇଁ ଜନସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର