ସ୍ବେରେଜ ଲାଇନ ଚ୍ୟାମ୍ବର ପୋତି କଂକ୍ରିଟ ରାସ୍ତା ନିର୍ମାଣ

ରାଉରକେଲା : ସ୍ମାର୍ଟସିଟି ଗୋଟିଏ ପରେ ଗୋଟିଏ ପୁରସ୍କାର ପାଉଛି। କେଉଁ ଆଧାରରେ ଏସବୁ ପୁରସ୍କାର ପାଉଛି, ତା’ ତଦନ୍ତ ସାପେକ୍ଷ। କାରଣ ସହରର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଏହି କଥା ଆମେ କହୁ ନାହୁଁ, କଲୋନି ଠାରୁ ବସ୍ତି ଯାଏଁ ଚାଲିଥିବା ରାସ୍ତା କାମରୁ ସ୍ପଷ୍ଟ ବାରି ହୋଇପଡୁଛି। ବିକାଶମୂଳକ ପ୍ରକଳ୍ପ ନାଁରେ ବ୍ୟାପକ୍‌ ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। କେବଳ ରାଉରକେଲା ସ୍ମାର୍ଟସିଟି ନୁହେଁ ମହାନଗର ନିଗମ (ଆର୍‌ଏମ୍‌ସି) ମଧ୍ୟ ସେହି ସମାନ ସ୍ଥିତି। କାମ ନାଁରେ କେବଳ ଠିକାଦାର ପୋଷା ଚାଲିଛି। ୩୪୦ କୋଟିର ସ୍ବେରେଜ ପ୍ରକଳ୍ପ କାମ ସରିନି। ଚ୍ୟାମ୍ବରରୁ ଘରକୁ ପାଇପ ସଂଯୋଗ ହୋଇ ନାହିଁ। ସେହି ରାସ୍ତାରେ ଚାଲିଛି କଂକ୍ରିଟ କାମ। ଠିକାଦାର ସ୍ବେରେଜ ଚାମ୍ବରଗୁଡ଼ିକୁ ପୋତି ନିର୍ମାଣ କରୁଛନ୍ତି କଂକ୍ରିଟ ରାସ୍ତା। ଠିକାଦାରଙ୍କ ଏଭଳି କାମକୁ ସ୍ଥାନୀୟ ଲୋକ କଡା ବିରୋଧ କରିଛନ୍ତି। ଫଳ କିନ୍ତୁ ଶୂନ୍‌। ଏମିତି ସ୍ଥିତି ଉପୁଜିଛି ଟିମ୍ବର କଲୋନିରେ।

ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି ଆର୍‌ଏମ୍‌ସିର କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ ପଣ୍ଡା କହିଛନ୍ତି, ସବୁ କିଛି ଠିକ୍‌ ଠାକ୍‌ ଚାଲିଛି। ଚାମ୍ବରଗୁଡ଼ିକୁ ଉପରକୁ ଯାଇଛି। ଠିକାଦାରଙ୍କୁ ଏଥିପ୍ରତି ନଜର ରଖିବାକୁ ତାଗିଦ କରାଯାଇଛି। କିନ୍ତୁ ଚାମ୍ବର ଉପରେ ନିର୍ମାଣ ‌ହେଉଥିବା କଂକ୍ରିଟ ରାସ୍ତା ଜଳ ଜଳ ହୋଇ ଦିଶୁଛି। ଗତ ପ୍ରାୟ ସାଢ଼େ ୩ ବର୍ଷ ପୂର୍ବେ କଲୋନିର ସମସ୍ତ ବସ୍ତିକୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା। ଏବେ ପୁଣି ପ୍ରାୟ ୮୨ ଲକ୍ଷ ଟଙ୍କା ବ୍ୟୟରେ ପଟନା ଖଟାଲରୁ ଆରମ୍ଭ କରି ବୈଷ୍ଣୋଦେବୀ ମନ୍ଦିର ଛକ, ନେପାଳି ବସ୍ତି, ଫ୍ରେଣ୍ଡସ୍‌ କ୍ଲବ, ମୁକ୍ତେଶ୍ବର ମନ୍ଦିର ଛକ, ଯୁଗ ନିର୍ମାଣ ସ୍କୁଲ ପଡ଼ିଆରୁ ସୁବର୍ଣ୍ଣେସ୍ୱର ମନ୍ଦିର ପାହାଡ ତଥା ବିଏସ୍‌ଏନ୍‌ଏଲ୍‌ ଛକ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ହେଉଛି। ପଟନା ଖଟାଲରୁ ହରିହରନାଥ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ କାମ ଶେଷ ହୋଇଛି। ନିମ୍ନମାନର କାମ ହେଉଥିବାରୁ ଖଟାଲ ନିକଟରେ ରାସ୍ତାରୁ କଂକ୍ରିଟ ଉଠିଗଲାଣି। ହରିହରନାଥ ମନ୍ଦିରରୁ ବୈଷ୍ଣୋଦେବୀ ମନ୍ଦିର ପର୍ଯ୍ୟନ୍ତ କାମ ଚାଲିଛି। କିଛି ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ସ୍ୱରେଜ ଚାମ୍ବରଗୁଡ଼ିକୁ ପୋତି ଦିଆଯାଉଛି। କେବଳ ଏତିକି ନୁହେଁ କେଉଁଠି ଦୁଇ ଇଞ୍ଚ ତ ଅନ୍ୟ କେଉଁଠି ତିନି ଇଞ୍ଚ କଂକ୍ରିଟ ଢ଼ଳେଇ କରାଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି। ତେବେ ଠିକା ସଂସ୍ଥାର ଏଭଳି ନିମ୍ନମାନ କାମର ସଠିକ୍‌ ତଦାରଖ କରିବା ସହ ସ୍ବେରେଜ ଚାମ୍ବର ଉପରେ କଂକ୍ରିଟ କାମକୁ ତୁରନ୍ତ ବନ୍ଦ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର