ଧର୍ମଶାଳା: ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ୮୮ଲକ୍ଷ ୩୬ ହଜାର ବ୍ୟୟ ଅଟକଳରେ ଗାନ୍ଧୀଛକ ଠାରୁ ପାଟପୁର ରାସ୍ତା ଭାୟା ନୂଆପଡ଼ା, କଣ୍ଟାବଣିଆ ଓ ହରଦେଇପୁର ଗାଁରେ କଂକ୍ରିଟ୍ ରାସ୍ତା ନିର୍ମାଣ ହେଉଛି। ତେବେ ଗାଁର ପୁରୁଣା କଂକ୍ରିଟ୍ ରାସ୍ତା ଉପରେ କଂକ୍ରିଟ୍ ହେଉଥିବାରୁ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଛି। ନିୟମାନୁସାରେ, ପୁରୁଣା କଂକ୍ରିଟ୍ ରାସ୍ତାକୁ ଧୋଇ ସଫା କରିବା ପରେ ଖଣ୍ତିଆ ଖାବରା ରାସ୍ତାରେ ବାଲି ପକାଇ ସମତୁଲ କରିବା ଓ ସଂଯୋଗସ୍ଥଳରେ ସୋଲ ଦେବା କଥା। ପ୍ରାୟ ୪କୋଟି ଟଙ୍କାର ଏହି ପ୍ରକଳ୍ପରେ ଲୁହାଛଡ଼ ବିଛାଇ କାମ କରିବା କଥା। ହେଲେ ରାସ୍ତାରେ ଲୁହାଛଡ଼ କିମ୍ବା ସୋଲ ଦିଆଯାଉନାହିଁ। ରାସ୍ତା ନିର୍ମାଣରେ ଶସ୍ତା ସିମେଣ୍ଟ ଓ ଚିପ୍ସ ବ୍ୟବହାର କରାଯାଉଛି। ଏବେ ଖରାମାସରେ ନୂତନ କଂକ୍ରିଟ୍ ରାସ୍ତାରେ ଅତି କମ୍‌ରେ ୭ ଦିନ ପାଣି ଦିଆଯିବା କଥା।

Advertisment

ହେଲେ ଉକ୍ତ ରାସ୍ତାରେ ଆବଶ୍ୟକ ମୁତାବକ ପାଣି ଦିଆଯାଉନଥିବା ଅଭିଯୋଗରେ ଦର୍ଶାଯାଇଛି। ସେହିପରି କାମ ପୂର୍ବରୁ ସୂଚନାଫଳକ ଲଗାଯିବା କଥା। ଠିକାଦାର ଏହାକୁ ଗୁରୁତ୍ବ ଦେଉନାହାନ୍ତି। କାମ ସମୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହୁନଥିବା ଅଭିଯୋଗ ହୋଇଛି। ଠିକାଦାର ନିଜ ଇଛାରେ ନିମ୍ନମାନର କାମ କରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଗତବର୍ଷ ଡିସେମ୍ବର ୨୪ ତାରିଖରେ ଉକ୍ତ ରାସ୍ତାର ଶିଳାନ୍ୟାସ କରିଥିଲେ। ଠିକାଦାରଙ୍କ ଏହି ମନମାନି ପ୍ରତି ମନ୍ତ୍ରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।