ଗିଲାଜୁଡ଼ିରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣାଧୀନ

ଗାନ୍ଧିଛକ : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ ଗିଲାଜୁଡ଼ି ଓ ଆମ୍ବକୁଡୁଚି ଗାଁରେ ଠାକୁରଙ୍କ ପ୍ରସାଦ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୂଚନା ମୁତାବକ, ଶୁକ୍ରବାର ଗିଲାଜୁଡ଼ି ଗାଁରେ ଭଗବତୀଙ୍କ ପୂଜା ସରିବା ପରେ ଗିଲାଜୁଡ଼ି ଓ ଆମ୍ବକୁଡୁଚି ଗ୍ରାମର ବହୁ ଲୋକ ପ୍ରସାଦ ସେବନ କରିଥିଲେ। ରାତି ପ୍ରାୟ ୮ଟା ବେଳକୁ ଗିଲାଜୁଡ଼ି ଗ୍ରାମର କିଛି ଛୋଟ ପିଲା ଓ ଅନ୍ୟମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଚିକିତ୍ସା ପାଇଁ ପ୍ରଥମେ ସେମାନଙ୍କୁ ପାଉଁଶକୁଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ରାତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଗିଲାଜୁଡ଼ି ଗାଁକୁ ଏକ ଡାକ୍ତରୀ ଦଳ ଯାଇ ୨୦ ଜଣଙ୍କର ଚିକିତ୍ସା କରିଥିଲେ। ସେହିପରି ପାଉଁଶକୁଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୮ ଜଣ ଓ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୨ ଜଣ ଚିକିତ୍ସିତ ହୋଇଥିଲେ। ବସ୍ତା ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ଡା. ଦେବବ୍ରତ ଜେନା, ଡାକ୍ତର ଅରୁଣ ଭୂୟାଁଙ୍କ ସହ ବାଲେଶ୍ବରରୁ ଯାଇଥିବା ମେଡିକାଲ ଟିମ୍ ଆକ୍ରାନ୍ତଙ୍କ ଚିକିତ୍ସା କରିଥିଲେ ଏବଂ ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦେବ କହିଛନ୍ତି।

ସମ୍ବନ୍ଧିତ ଖବର