କଟକ: ଅଦାଲତଙ୍କ ନିର୍ଦ୍ଦେଶରେ ଜାମିନରେ ଥିବା ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳଙ୍କ କେନ୍ଦ୍ରାପଡ଼ା ଯିବା ଉପରେ କଟକଣା ଉଠିଛି। ଜାମିନରେ ଥିବା ବେଳେ ସାରଥି କେନ୍ଦ୍ରାପଡ଼ା ବା ବାରିମୂଳ ଆଶ୍ରମ ଗସ୍ତ କରି ପାରିବେ ନାହିଁ ବୋଲି ସର୍ତ୍ତ ରହିଥିବା ବେଳେ ଏଥିରେ ସାମାନ୍ୟ କୋହଳ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାରଥିଙ୍କୁ କେନ୍ଦ୍ରାପଡ଼ା ଯିବା ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ଦୁଇ ମାସରେ ଥରେ ସାରଥି କେନ୍ଦ୍ରାପଡ଼ା ଯାଇପାରିବେ। ତେବେ କେନ୍ଦ୍ରାପଡ଼ା ଗସ୍ତ ସମୟରେ ସେ ରାତ୍ରିଯାପନ କରିପାରିବେ ନାହିଁ। ସକାଳ ୫ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସେ କେନ୍ଦ୍ରାପଡ଼ାରେ ଅବସ୍ଥାନ କରିପାରିବେ। କେନ୍ଦ୍ରାପଡ଼ା ଯିବା ପୂର୍ବରୁ ସେ ଅବସ୍ଥାନ କରୁଥିବା ଅଞ୍ଚଳ ସଂପର୍କରେ ସ୍ଥାନୀୟ ଥାନା ଅଧିକାରୀ ଓ ନିମ୍ନ ଅଦାଲତଙ୍କୁ ଅବଗତ କରିବେ। ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ସାରଥିଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏ ନେଇ ସାରଥିଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବାରିମୂଳ ଆଶ୍ରମକୁ ଯିବା ଉପରେ କଟକଣା ପୂର୍ବ ଭଳି ବଳବତ୍ତର ରହିଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭ ଅଗଷ୍ଟ ୪ରେ ହାଇକୋର୍ଟ ମୂଳ କ୍ରାଇମ୍ବ୍ରାଞ୍ଚ ମାମଲାରେ ସାରଥିଙ୍କୁ ଜାମିନ ମଞ୍ଜୁର କରିବା ବେଳେ ୭ଟି ସର୍ତ୍ତ ରଖିଥିଲେ। ଜେଲ୍ରୁ ବାହାରିବା ବେଳେ ସେ କୌଣସି ପ୍ରକାର ଶୋଭାଯାତ୍ରା କରିପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ସାରଥିଙ୍କ କେନ୍ଦ୍ରାପଡ଼ା ତଥା ବାରିମୂଳ ଆଶ୍ରମ ଗସ୍ତ ଉପରେ ଅଙ୍କୁଶ ଜାରି କରାଯାଇଥିଲା। ଯେଉଁଠି ବି ସାରଥି ରୁହନ୍ତୁ ସେ କୌଣସି ପ୍ରକାର ସଭା ସମିତି ଓ ଧାର୍ମିକ ଅନୁଷ୍ଠାନରେ ଉଦ୍ବୋଧନ/ପ୍ରବଚନ ଦେଇ ପାରିବେ ନାହିଁ। ଶ୍ରଦ୍ଧାଳୁ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକାଠି କରି ଉଦ୍ବୋଧନ ଦେଇ ପାରିବେ ନାହିଁ। ଯେଉଁ ସ୍ଥାନରେ ରହିବେ ସେ ସମ୍ପର୍କରେ ତଦନ୍ତକାରୀ କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କୁ ଅବଗତ କରିବେ। ଠିକଣା ଓ ଟେଲିଫୋନ୍ ନମ୍ବର ସିଲ୍ କଭରରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ଅଦାଲତରେ ମାମଲା ଶୁଣାଣି ବେଳେ ଆବଶ୍ୟକ ପଡ଼ିଲେ ବ୍ୟକ୍ତିଗତ ଭାବେ ହାଜର ହେବେ।
ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ। ଯଦି କୌଣସି ସର୍ତ୍ତର ଖିଲାପ କରନ୍ତି ତେବେ ତାଙ୍କ ଜାମିନ ରଦ୍ଦ କରାଯିବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ୨୦୨୧ ଫେବ୍ରୁଆରି ୧୫ରେ ହାଇକୋର୍ଟ ସାରଥିଙ୍କୁ ପ୍ରବଚନ ପାଇଁ ଅନୁମତି ଦେଇଥିଲେ। ୨୦୧୭ ଅଗଷ୍ଟ ୪ର ନିର୍ଦ୍ଦେଶରେ ଥିବା ଏ ସମ୍ପର୍କିତ ସର୍ତ୍ତକୁ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ହାଇକୋର୍ଟ ୨୦୨୧ ଜୁଲାଇ ୧ରୁ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବାଧିକ ୨ଶହ ଲୋକଙ୍କ ଉପସ୍ଥିତିରେ ସେ ପ୍ରବଚନ ଦେଇ ପାରିବେ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ପୁଣି ସାରଥି କେତେକ ଜାମିନ ସର୍ତ୍ତ କୋହଳ ପାଇଁ ସାନି ଅନ୍ତରୀଣ ଆବେଦନ ଦାୟର କରିଥିଲେ। ଅସୁସ୍ଥ ଭାଇଙ୍କୁ ସାକ୍ଷାତ ଲାଗି କେନ୍ଦ୍ରାପଡ଼ା ଯିବାକୁ ଅନୁମତି ପ୍ରଦାନ କରାଯାଉ ବୋଲି ସାରଥିଙ୍କ ତରଫରୁ ଦର୍ଶାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୫ ଅଗଷ୍ଟ ୮ରେ ସାରଥିଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା। ବିବାଦୀୟ ଡାକ୍ତର ଛାତ୍ରୀଙ୍କ ମାମଲାରେ ସାରଥିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମ୍ବ୍ରାଞ୍ଚ ମାମଲାରେ ୨୦୧୭ ଅଗଷ୍ଟ ୪ରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ ଅଦାଲତରେ ବିଚାରାଧୀନ ମାମଲାରେ ସାରଥିଙ୍କୁ ୨୦୧୯ ଜୁଲାଇ ୨୨ରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।