ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଓ ମଞ୍ଚର ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର, ମେଗା ଧାରାବାହିକ ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଦୁଃଖଦ ବିୟୋଗ ବିଷୟରେ ଅବଗତ ହୋଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି।
ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି, ରାଇମୋହନଙ୍କ ନିଚ୍ଛକ ଅଭିନୟ ପାଇଁ ଓଡ଼ିଶାବାସୀଙ୍କ ନିକଟରେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ l ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ଶକ୍ତ ଧକ୍କା ସଦୃଶ। ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ତାଙ୍କର ଅମର ଆତ୍ମାର ସଦ୍ଗତିଃ ନିମନ୍ତେ କାମନା କରୁଛି ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି, ରାଇମୋହନ ପରିଡ଼ାଙ୍କ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ। ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ। ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ। ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ମୋ ସମବେଦନା ଜଣାଉଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ଲୋକପ୍ରିୟ କଳାକାର ତଥା ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତରେ ତାଙ୍କର ଜୀବନ୍ତ ଓ ବିରଳ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଓଡ଼ିଶା ସିନେ ଓ ଯାତ୍ରା ଜଗତରେ ତାଙ୍କ ଭଳି ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କ ମୃତ୍ୟୁକୁ ବିଶ୍ୱାସ କରି ହେଉନାହିଁ । ଅଭିନୟ କ୍ଷେତ୍ରରେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସ୍ୱତନ୍ତ୍ର ସ୍ଥାନ କେହି ନେଇପାରିବେ ନାହିଁ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଲୋକପ୍ରିୟ ଓଡ଼ିଆ ଅଭିନେତା ରାଇମୋହନ ପରିଡାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ ବୋଲି କହିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ।
ତାଙ୍କର ଅଭିନୟ ପାଇଁ ରାୟପରିଡ଼ା ସବୁଦିନ ପାଇଁ ମନେ ରହିବେ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତାଙ୍କର ମୃତ୍ୟୁ ଆଘାତ ଦେଇଛି ବୋଲି ସେ କହିଛନ୍ତି।
ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ନିର୍ଦ୍ଦେଶକ ଚଣ୍ଡୀ ପରିଜା କହିଛନ୍ତି, ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହିଁ। ସେ ଜଣେ ବହୁତ ଭଲ ଲୋକ ବୋଲି ସେ କହିଛନ୍ତି। ରାଇମୋହନ ଭାଇ ଏମିତି କାହିକି କଲେ କିଛି ଜଣାପଡୁନାହିଁ। ଅଭିନୟ ଜଗତର ପ୍ରତିଟି ସ୍ଥାନରେ ସେ ନିଜର ଛାପ ଛାଡ଼ିଯାଇଛନ୍ତି ବୋଲି ଅଭିନେତ୍ରୀ ଉଷଶ୍ରୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ରାଇମୋହନ ପରିଡ଼ାଙ୍କର ମୃତଦେହ ଆଜି ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପ୍ରାଚୀବିହାରସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଛି। ସେ ୧୯୬୩ ମସିହା ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଅଭିନେତା ହେବାର ସ୍ବପ୍ନରେ ବିଭୋର ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/87f5f87b-c393-4fb1-ae05-b935c920ccd7.jpg)