ପାଟଣାଗଡ଼: ମିନିଟ୍ରକ୍ (ଓଆର୍ ୦୩ ଏଫ୍ ୧୧୩୧) ଧକ୍କାରେ ଶୁକ୍ରବାର ପାଟଣାଗଡ଼ ଜବାହରଲାଲ କଲେଜର ଯୁକ୍ତତିନି ଇଂରାଜୀ ସମ୍ମାନ ଶେଷବର୍ଷ ଛାତ୍ରୀ ସ୍ମିତା ଶୁଭଦର୍ଶିନୀ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଶନିବାର କଲେଜ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ପରେ ଉପଜିଲ୍ଲାପାଳ, ଏସ୍ଡିପିଓ ଓ ବିଧାୟକଙ୍କୁ ୯ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା।
କଲେଜ ପରିସରରେ ଅଧ୍ୟକ୍ଷା ଆୟେଶା ବାନୁଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ଶୋକସଭାରେ ପରିଚାଳାନା ପରିଷଦ ସଭାପତି ସତ୍ୟପ୍ରିୟ ଖୁଣ୍ଟିଆ, ଯୁକ୍ତଦୁଇ ବିଭାଗ ଅଧ୍ୟକ୍ଷା କୃଷ୍ଣପ୍ରିୟା ହୋତାଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତଥିଲେ। ପରେ କଲେଜ ପରିସରରୁ ଏକ ଶୋଭାଯାତ୍ରା ପାଇଁ ଆୟୋଜନ କରାଯାଉଥିଲା। ଖବର ପାଇ ଏସ୍ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ତହସିଲଦାର ଲକ୍ଷ୍ମଣ ମାଝୀ, ଥାନାଧିକାରୀ ଅନନ୍ତ ପ୍ରଧାନ ସେଠାରେ ପହଞ୍ଚିଥିଲେ। ପରେ ବିଧାୟକ ସରୋଜ ମେହେର ମଧ୍ୟ ପହଞ୍ଚିଥିଲେ। ସେଠାରେ ଛାତ୍ରଛାତ୍ରୀଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ କଲେଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ସ୍ପିଡ୍ବ୍ରେକର୍ କରାଯିବା, କଲେଜ ଫାଟକ ସଂଲଗ୍ନ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଯିବା, ଫାଟକ ସମ୍ମୁଖ ରାସ୍ତାରେ ଜେବ୍ରାକ୍ରସିଂ ଚିହ୍ନ ଓ ସ୍ପିଡଲିମିଟର ଏକ ସାଇନବୋର୍ଡ ଦେବା, ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ କର୍ମଚାରୀ ମୁତୟନ କରାଯିବା ଆଦି ରହିଛି। ଦାବିପତ୍ର ପାଇବା ପରେ ମୃତ ଛାତ୍ରୀଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଓ ବିଧାୟକଙ୍କ ତରଫରୁ ୧୦ ହଜାର ଟଙ୍କା କଲେଜ ଅଧ୍ୟକ୍ଷାଙ୍କ ଜରିଆରେ ଦିଆଯାଇଥିଲା।
ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ଚାଳକ କାର୍ତ୍ତିକ ବଗର୍ତ୍ତି(୨୬)କୁ ପୁଲିସ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଉକ୍ତ ମିନିଟ୍ରକ୍ର ମାଲିକ ପାଟଣାଗଡ଼ ଥାନା ନିକଟରେ ରହୁଥିବା ବ୍ୟବସାୟୀ କେଶବ ଛାପଡ଼ିଆଙ୍କ ବୋଲି ଜଣାପଡ଼ିଛି। ପୁଲିସ କେବଳ ଡ୍ରାଇଭିଂ ଲାଇସେନ୍ସ ଓ ଆର୍ସି ବୁକ୍ ଗାଡ଼ି ଚାଳକଙ୍କ ପାଖରୁ ଜବତ କରିଥିବା କହିଛି। ଅନ୍ୟପକ୍ଷରେ ଉକ୍ତ ଗାଡ଼ିର ଫିଟ୍ନେସ୍, ବୀମା, ପ୍ରଦୂଷଣ ପ୍ରମାଣପତ୍ର ଆଦି ନଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। ତେଣୁ ପୁଲିସ ରଫାଦଫା ଉଦ୍ୟମ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି।