ଅଭିନେତା ମିହିର ଦାସଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଆଜି ଅପରାହ୍‌ଣରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହେଇଥିଲା। ମିହିର ଦାସଙ୍କ ପରଲୋକରେ ରାଜ୍ୟ ପଲ୍ଲୀରୁ ସହର ପର୍ଯ୍ୟନ୍ତ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ମିହିର ଦାସଙ୍କ ବିୟୋଗରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।

ଓଡ଼ିଆ ସିନେଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକଟ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଜଣାଇଛନ୍ତି। ସ୍ବର୍ଗତ ଦାସ ଜଣେ ଶୀର୍ଷ ସ୍ତରର କଳାକାର ଭାବେ ନିଜର ଅନନ୍ୟ ଅଭିନୟ କଳା ପାଇଁ ସବୁରି ହୃଦୟରେ ରହିବେ ବୋଲି ମାନ୍ୟବର ରାଜ୍ୟପାଳ ପ୍ରକାଶ କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନା୍ୟକ କହିଛନ୍ତି, ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କହିଛନ୍ତି, ଓଡ଼ିଶା ସିନେ ଜଗତର ସ୍ବନାମଧନ୍ୟ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ଜଣେ କଳାକାର ଭାବରେ ନୁହେଁ ବରଂ ତାଙ୍କ ସହ ମୋର ସମ୍ପର୍କ ବଡ଼ ଭାଇ ଭଳି ଥିଲା । ସେ ଆମ ଗହଣରେ ଆଜି ନାହାନ୍ତି, ଏ ଖବରକୁ ମୁଁ ବିଶ୍ୱାସ କରିପାରୁନାହିଁ । ନିଜର ଉତ୍କର୍ଷ ଅଭିନୟ ତଥା ସବୁ ଭୂମିକାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସେ କୋଟି କୋଟି ଓଡ଼ିଆ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ସିନେ ଜଗତରେ ଏକ ସୁବର୍ଣ୍ଣ ଯୁଗର ସୂର୍ଯ୍ୟାସ୍ତ ହେଲା । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । ଏତଦ୍‌ ବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ଜବତର ଅନ୍ୟାନ୍ୟ କଳାକାର ମଧ୍ୟ ମିହିରଙ୍କୁ ମନେ ପକାଉଛନ୍ତି।

ଏଥିସହ ବିଭିନ୍ନ ଚଳଚ୍ଚିତ୍ରରେ ମିହିର ଦାସଙ୍କ ସହ କାର୍ଯ୍ୟ କରିଥିବା ବହୁ କଳାକାର, ନିର୍ଦ୍ଦେଶକ ଏବଂ ଟେକନିସିଆନ୍ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ମିହିର ଦାସ କଟକର ଏକ ଘରୋଇ ହସ୍ପିଟାଲରେ ଆଜିି ଅପରାହ୍‌ଣରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।  କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ।

ସମ୍ବନ୍ଧିତ ଖବର