ଦେବଗଡ଼: ୧୮ ବର୍ଷର ବୈବାହିକ ସଂପର୍କ ପରେ ଜଣେ ମହିଳାଙ୍କ ଅନ୍ୟ ଜଣେ ପୁରୁଷ ସହିତ ସୃଷ୍ଟି ହେଲା ପାପ ସଂପର୍କ। ଏହି ପାପ ସଂପର୍କ ଶେଷରେ କାଳ ହେଲା।  ଏଥିରେ ବଳି ପଡ଼ିଲା ଏକ ଜୀବନ।  ସ୍ବାମୀ-ସ୍ତ୍ରୀର ପବିତ୍ର ସଂପର୍କକୁ ଭୁଲି ପର ପୁରୁଷ ପ୍ରେମରେ ଅନ୍ଧ ହୋଇ ଶେଷରେ ସ୍ବାମୀକୁ ହତ୍ୟା କରିବାର ଯୋଜନା କଲା ସ୍ତ୍ରୀ। ଏଥିରେ ସଫଳ ବି ହେଲା। ସ୍ତ୍ରୀର ଷଡ୍‌ଯନ୍ତ୍ରର ଜାଲରେ ଫସି ପ୍ରାଣ ହରାଇଲେ ସ୍ବାମୀ। ପଥରେ ଛେଚି ବୀଭତ୍ସ ଭାବେ ହତ୍ୟା କଲା ପ୍ରେମିକ। ଏହ‌ି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଥିବା ବେଳେ ପ୍ରେମିକ ଫେରାର ହୋଇଯାଇଛି। ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ଲଇମୁରା ଗ୍ରାମରେ।

Advertisment

ପୁଲିସ ସୂଚନା ଅନୁଯାୟୀ ନଭେମ୍ବର ୧୮ ତାରିଖ ଦିନ ଲଇମୁରା ଗ୍ରାମର ପରମେଶ୍ବର ପାତ୍ର (୪୧)ଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରିଥିଲା ପୁଲିସ। ପରମେଶ୍ବର ନିକଟସ୍ଥ ଗ୍ରାମକୁ ଚେରିମୂଳି ଔଷଧ ଦେବା ପାଇଁ ଯାଇଥିଲେ। ସେହିଦିନଠାରୁ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଏଣେ ତେଣେ ଖୋଜା ଖୋଜି କରିବା ପରେ ବି ତାଙ୍କର କୌଣସ ସନ୍ଧାନ ପାଇ ନଥିଲେ। ତେବେ ତାଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯିବା ପରେ ଦେବଗଡ଼ ଥାନା ପୁଲିସ ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆରମ୍ଭରୁ ପୁଲିସ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ହତ୍ୟାକାଣ୍ଡ ସନ୍ଦେହ କରିଥିଲା।

ଗ୍ରାମବାସୀ ଓ ମୃତକ ପରମେଶ୍ୱରଙ୍କ ଭାଉଜ ନେତ ପାତ୍ରଙ୍କ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ଓ ଷଡ଼୍‌ଯନ୍ତ୍ର ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏଥିରେ ମୃତକଙ୍କ ସ୍ତ୍ରୀ ମମତା (୩୪) ଓ ଉକ୍ତ ଗ୍ରାମର ମମତାଙ୍କ ପ୍ରେମିକ ଏହି ଘଟଣାରେ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ହତ୍ୟାକାରୀ ପ୍ରେମିକ ଫେରାର ଥିବା ବେଳେ ପୁଲିସ ଗୁରୁବାର ମମତାକୁ ଅଟକ ରଖି ପଚରାଉଚାର କରିଥିଲା। ଆଜି ପୁଲିସ ମମତାକୁ କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ, ୧୮ ବର୍ଷ ତଳେ ଲଇମୁରା ଗ୍ରାମର ପରମେଶ୍ୱର ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ତାନମୁରା ଗ୍ରାମର ରାମ ପାତ୍ରଙ୍କ ଝିଅ ମମତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

୨ ବର୍ଷ ପୂର୍ବେ ଉକ୍ତ ଗ୍ରାମର ଡିଲେଶ୍ୱର ହେନବାଗା (୩୫) ନାମକ ଜଣେ ଯୁବକଙ୍କ ସହିତ ମମତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ରହିଥିଲା। ପରମେଶ୍ବରଙ୍କ ପରିବାର ଲୋକ ଏହା ଜାଣିବା ପରେ ଉଭୟଙ୍କୁ ବିରୋଧ କରୁଥିଲେ। ନଭେମ୍ବର ୧୫ ତାରିଖରେ ଡିଲେଶ୍ୱର ନିକଟସ୍ଥ ଗ୍ରାମକୁ ବିଭିନ୍ନ ଆଳ ଦେଖାଇ ଏକ ବାଇକରେ ପରମେଶ୍ୱରକୁ ସାଙ୍ଗରେ ନେଇଥିଲା। ଏକ ଅଜଣା ସ୍ଥାନରେ ପଥରରେ ଛେଚି ହତ୍ୟା କରିବା ସହ ଗାଁଠାରୁ ୧ କିମି ଦୂର ଏକ ଜଙ୍ଗଲ କଡ଼ରେ ଥିବା ଚାଷ ଜମିରେ ମୃତଦେହ ଫିଙ୍ଗି ଦେଇଥିଲା। ୧୮ରେ ପରମେଶ୍ୱରଙ୍କ ମୃତ ଦେହ ଦେଖି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ପଚରାଉଚରା ବେଳେ ମମତା ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସ ଆଗରେ ସବୁ କଥା ସ୍ବୀକାର କରିଥିଲା। ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଲାଠି, ପଥର ଏବଂ ପ୍ଲାଷ୍ଟିକ ଜରି ବ୍ୟାଗ୍‌ ମଧ୍ୟ ଜବତ କରିଛି। ପରମେଶ୍ବର ଓ ମମତାଙ୍କ ଗୋଟିଏ ପୁଅ (୧୬) ଓ ଝିଅ (୧୪) ଅଛନ୍ତି।