କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ପ୍ରଶ୍ନପତ୍ର ତ୍ରୁଟି ସଂପର୍କରେ ତର୍ଜମା କରାଯିବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏକ କଣ୍ଡକ୍ଟିଂ ବୋର୍ଡ ଗଠନ କରାଯିବ। ଏଥିରେ ବୋର୍ଡର ବିଭିନ୍ନ ଉଚ୍ଚସ୍ତରୀୟ କମିଟି ସଦସ୍ୟଙ୍କ ସମେତ ବିଷୟ ବିଶାରଦମାନେ ରହିବେ। କମିଟି ରିପୋର୍ଟ ଆଧାରରେ ଓଟିଇଟି ପରୀକ୍ଷା ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ‘ଆନ୍ସର କି’କୁ ଚାଲେଞ୍ଜ କରି ୫ଶହ ଟଙ୍କା ଲେଖାଏ ଦାଖଲ କରିଥିବା ପରୀକ୍ଷାର୍ଥୀ ସେମାନଙ୍କ ଦେୟ ଫେରି ପାରିବେ। ବିନା ଦେୟରେ ‘ଆନ୍ସର କି’କୁ ଚାଲେଞ୍ଜ କରିଥିବା ପରୀକ୍ଷାର୍ଥୀଙ୍କ ଆଦେବନକୁ ଗ୍ରହଣ କରାଯିବ। ଓଟିଇଟି ପ୍ରସଙ୍ଗକୁ ନେଇ ଆଜି ଭୁବନେଶ୍ବରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏହା ସହିତ ଆସନ୍ତା ନଭେମ୍ବର ୨୦ ସୁଦ୍ଧା ଓଟିଇଟି ପରୀକ୍ଷାଫଳ ପ୍ରକାଶ କରାଯିବା ନେଇ ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଓଟିଇଟି ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗକୁ ନେଇ ସୋମବାର ଅପରାହ୍ନରେ ଭୁବନେଶ୍ବରରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ, ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସଂପାଦକ ରାମାଶିଷ ହାଜରା, ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ସମେତ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଓଟିଇଟି ପରୀକ୍ଷାର୍ଥୀମାନେ କରିଥିବା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ପ୍ରଶ୍ନପତ୍ରରେ ତ୍ରୁଟି ଅଛି କି ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ବୋର୍ଡର କାର୍ଯ୍ୟନିର୍ବାହୀ କମିଟି, ପରୀକ୍ଷା କମିଟି, ଶିକ୍ଷା କମିଟିର ବରିଷ୍ଠ ସଭ୍ୟଙ୍କ ସମେତ ବିଭିନ୍ନ ବିଭାଗର ବିଷୟ ବିଶାରଦ ମାନେ ରହିବେ। ଏହି କମିଟି ଚୂଡାନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ପୂର୍ବରୁ ଯେଉଁ ପରୀକ୍ଷାର୍ଥୀମାନେ ବୋର୍ଡ ଦ୍ବାରା ୱେବ୍ସାଇଟରେ ଛଡା ଯାଇଥିବା ‘ଆନ୍ସର କି’କୁ ଚାଲେଞ୍ଜ୍ କରି ୫ଶହ ଟଙ୍କା ଲେଖାଏ ଦାଖଲ କରିଥିଲେ, ସେମାନଙ୍କୁ ତାହା ଫେରସ୍ତ କରାଯିବ। ଏହି ପ୍ରସଙ୍ଗରେ ବିନା ଦେୟର ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ କଥା ବିଚାର କରାଯିବ ବୋଲି ମନ୍ତ୍ରୀ କହିଥିଲେ। ସବୁ ସମସ୍ୟାର ସମାଧାନ କରାଯାଇ ଆସନ୍ତା ନଭେମ୍ବର ୨୦ ତାରିଖ ସୁଦ୍ଧା ଓଟିଇଟି ପରୀକ୍ଷାଫଳ ପ୍ରକାଶ କରାଯିବାକୁ ମନ୍ତ୍ରୀ ଶ୍ରୀ ଦାସ ବୋର୍ଡ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।