ଜରୁରୀ ପରିସ୍ଥିତିକୁ ଲୋକେ ସହଜରେ ଭୁଲିବେ ନାହିଁ

ଜରୁରୀ ପରିସ୍ଥିତି ରାଜବନ୍ଦୀ ସମ୍ମିଳନୀ

ଭୁବନେଶ୍ୱର : ଜରୁରୀ ପରିସ୍ଥିତି ରାଜବନ୍ଦୀ ଅଭିଯାନ ଓ ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ ଆଜି ଜରୁରୀ ପରିସ୍ଥିତି ରାଜବନ୍ଦୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଷବୟସ୍ତୁ ରହିଥିଲା ‘ଜୟପ୍ରକାଶଙ୍କ ସଂପୂର୍ଣ୍ଣକ୍ରାନ୍ତି ପାଇଁ ନବବାବୁଙ୍କ ଅବଦାନ ଓ ଜରୁରୀ ପରିସ୍ଥିତି ରାଜବନ୍ଦୀଙ୍କୁ ସ୍ୱତନ୍ତ୍ରତା ସେନାନୀ ମାନ୍ୟତା ଦେବା’। ସମ୍ମିଳନୀର ସଭାପତି ରାଜେନ୍ଦ୍ର ପ୍ରସାଦ ସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ।

ଏଥିରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ କହିଲେ, ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର ଓ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ବିରୋଧରେ ଲୋକନାୟକ ଜୟପ୍ରକାଶ ଓ ନବକୃଷ୍ଣ ଚୌଧୁରୀ ଆନ୍ଦୋଳନର ଡାକରା ଦେଇଥିଲେ। ରାଜ୍ୟର ୨ଶହରୁ ଅଧିକ ଲୋକ ରାଜବନ୍ଦୀ ହୋଇଥିଲେ। ତେବେ ଏହି ରାଜବନ୍ଦୀମାନଙ୍କୁ ସରକାରୀ ସୁବିଧା ସୁଯୋଗ ସହ ସମ୍ମାନଜନକ ମାସିକ ଭତ୍ତା ପ୍ରଦାନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ବେହେରା କହିଥିଲେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମଧ୍ୟ ଏହି ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେ, ସ୍ୱାଧୀନତା ପୂର୍ବରୁ ଜେଲ୍‌ ଯାଇଥିବା ଲୋକଙ୍କୁ ସ୍ୱାଧୀନତା ପରେ ଜରୁରୀ ପରିସ୍ଥିତିରେ ଜେଲ୍‌ ଯିବାକୁ ପଡ଼ିଥିଲା। ଜରୁରୀ ପରିସ୍ଥିତି ଲୋକତନ୍ତ୍ର ପ୍ରତି କୁଠାରଘାତ ଥିଲା। ଯାହାକୁ ଲୋକମାନେ ସହଜରେ ଭୁଲିବେ ନାହିଁ। ଯଦି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ୱୀକୃତି ଦିଆଯାଇଛି ତେବେ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମରେ ଜେଲ ଯାଇଥିବା ସଂଗ୍ରାମୀମାନଙ୍କୁ ସ୍ୱୀକୃତି ଦିଆଯିବାରେ କୌଣସି ଅସୁବିଧା ନାହିଁ ବୋଲି ଶ୍ରୀ ଶତପଥୀ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ବିଧାୟକ ପ୍ରଭାତ ତ୍ରିପାଠୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ବିଧାୟକ ଅଜୟ ଜେନା, କିଶୋର ଦାସ, ସଚ୍ଚିଦାନନ୍ଦ ଦଲାଲ ଓ ଅରୁଣ ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ରାଜବନ୍ଦୀଙ୍କୁ ମାସିକ ଭତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବହନ କ୍ଷେତ୍ରରେ ସବୁପ୍ରକାର ସୁବିଧା, ରେଳ ଓ ବିମାନ ଯାତ୍ରରେ ରିହାତି ଦେବା ଉପରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯିବା ସହିତ ଏକ କମିଟି ଗଠନ କରିବା ଉପରେ ନିଷ୍ପତ୍ତି ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜବନ୍ଦୀ ରମେଶ ଅଲ୍ଲୀ ବେଶାନ୍ତ, ଚିତ୍ତରଂଜନ ମହାନ୍ତି, ବିଷ୍ଣୁପଦରଜ ମହାନ୍ତି, ପ୍ରିୟବ୍ରତ ରଥ, ସୀତାରାମ ଶତପଥୀ, ସୁଶୀଲ କୁମାର ଜୈନ, ଶରତ ଚନ୍ଦ୍ର ବେହେରା, ପ୍ରଦୀପ ବାନପ୍ରସ୍ଥି, ସୁବାସ ଗନ୍ତାୟତ, ହୃଷୀକେଶ ରଥ, କୃଷ୍ଣ ଜଗଦ୍ଦେବ, ଭାରତ ଭୂଷଣ ଠାକୁର, ରମେଶ ଚନ୍ଦ୍ର ସାହୁ, ରାଧାକାନ୍ତ ବହିଦାର ଓ ସୁଶୀଲ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର