କଟକ : ଦେଶର ଅଦାଲତି ବ୍ୟବସ୍ଥାରେ ପ୍ରଯୁକ୍ତିବିଜ୍ଞାନ ଓ କୌଶଳର ବିକାଶ ସହିତ ପେପରଲେସ୍ ଓ ଭର୍ଚୁଆଲ କୋର୍ଟର ଯୁଗ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟ ଇ-କୋର୍ଟସ୍ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୭ ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଭାରତୀୟ ବିଚାରବିଭାଗକୁ ସଂପୂର୍ଣ୍ଣ ଡିଜିଟାଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ପାହାଳଠାରେ ପୂର୍ବାଞ୍ଚଳ ରାଜ୍ୟ ଗୁଡିକର କେନ୍ଦ୍ର ସରକାରଙ୍କ କାଉନସେଲ ମାନଙ୍କ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍‌ଜୁ ଏହା କହିଛନ୍ତି। ଶ୍ରୀ ରିଜ୍‌ଜୁ କହିଛନ୍ତି ଯେ ଦେଶର ସବୁ ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ପ୍ରସଂଗ ନେଇ ନିକଟରେ ସବୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖା ଯାଇଛି। ସଧାରଣ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଉଛି। ଏ କ୍ଷେତ୍ରରେ ଓଡ଼ିଶା ହାଇକୋର୍ଟର ପଦକ୍ଷେପକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି।

Advertisment

ସବୁ ଅଞ୍ଚଳକୁ ଭର୍ଚୁଆଲ୍ ସଂଯୋଗ ହେଇଗଲେ ସ୍ବତନ୍ତ୍ର ବେଞ୍ଚ ଦାବି ପ୍ରାସଙ୍ଗିକତା ହରାଇବ

ମନ୍ତ୍ରୀ ଶ୍ରୀ ରିଜ୍‌ଜୁ କହିଛନ୍ତି ଯେ ବହୁ ସ୍ଥାନରେ ହାଇକୋର୍ଟର ବେଞ୍ଚ ଓ ସର୍କିଟ ବେଞ୍ଚ ନେଇ ଦାବି ହେଉଛି। କିନ୍ତୁ ହାଇକୋର୍ଟ ବେଞ୍ଚ ବିବାଦର ସମାଧାନ ହେଉଛି ପ୍ରଯୁକ୍ତିବିଜ୍ଞାନ ଓ କୌଶଳ। ଥରେ ସବୁ ସ୍ଥାନକୁ ଭର୍ଚୁଆଲ ସଂଯୋଗ ହୋଇଗଲେ ହାଇକୋର୍ଟ ବେଞ୍ଚ ଦାବିର ଆଉ ପ୍ରାସଙ୍ଗିକତା ରହିବ ନାହିଁ। ନିମ୍ନ ଅଦାଲତ ଗୁଡିକର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବାରୋପ କରି ଆଇନମନ୍ତ୍ରୀ କହିଥିଲେ ଯେ ଦେଶରେ ପ୍ରାୟ ୪ କୋଟି ୯୦ ଲକ୍ଷ ମାମଲା ବିଚାରାଧୀନ ରହିଛି। ଏଥି ମଧ୍ୟରୁ ପ୍ରାୟ ୭୦ ହଜାର ମାମଲା ସୁପ୍ରିମକୋର୍ଟରେ ଓ ମାତ୍ର ୧୦ ପ୍ରତିଶତ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଅବଶିଷ୍ଟ ମାମଲା ବିଭିନ୍ନ ନିମ୍ନ ଅଦାଲତରେ ବିଚାରାଧୀନ ରହିଛି। ନିମ୍ନ ଅଦାଳତ ଗୁଡିକର ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ସାଧାରଣ ଲୋକ ପ୍ରଥମେ ନିମ୍ନ ଅଦାଲତକୁ ଯାଉଥିବାରୁ ସେଠାରେ କେବଳ ବିଚାରପତି ନୁହେଁ ଆଇନଜୀବୀ ଓ ମହକିଲଙ୍କ ପାଇଁ ମଧ୍ୟ ପୃଥକ କୋଠରୀ ବ୍ୟବସ୍ଥା ହେବା ଆବଶ୍ୟକ। ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟଏଲେଟ ଓ ଅନ୍ୟାନ୍ୟ ବ୍ୟବସ୍ଥା ନିମ୍ନ ଅଦାଲତ ପରିସରରେ କରାଯିବା ଆବଶ୍ୟକ। ସେହିଭଳି ଭାବେ ବିଭିନ୍ନ ହାଇକୋର୍ଟରେ ସ୍ଥାନୀୟ ମାତୃଭାଷାରେ ମାମଲାର ବିଚାରପ୍ରକ୍ରିୟା ସପକ୍ଷରେ କେନ୍ଦ୍ର ଆଇନମନ୍ତ୍ରୀ ମତ ଦେଇଥିଲେ। ମାତୃଭାଷା ବ୍ୟବହାର ହେଲେ ଅଦାଲତି ପ୍ରକ୍ରିୟା ଓ ରାୟ ସଂକ୍ରାନ୍ତରେ ସାଧାରଣ ଲୋକ ଅବଗତ ହୋଇ ପାରିବେ। ବହୁ ପୁରୁଣା ଆଇନକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବ ରହିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବି.ଭି.ନାଗରତ୍ନା ଯୋଗ ଦେଇ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଭାରତ ଇତିହାସର ସବୁଠାରୁ ଶ୍ରେଷ୍ଠ ଅଧ୍ୟାୟ ହେଉଛି ଅଶୋକଙ୍କ ଶାସନ। ଅଶୋକଙ୍କ ଶାସନ କାଳରେ ଥିବା ଧର୍ମ ନୀତି ଉପରେ ସେ ଆଲୋକପାତ କରିଥିଲେ। ଏଥ ସହିତ ଓଡ଼ିଶାର ସଂସ୍କୃତି, ମନ୍ଦିର, ହସ୍ତତନ୍ତ, ହସ୍ତକଳା, ଶାସ୍ତ୍ରୀୟ ନୃତ୍ୟ, ସଂଗୀତକୁ ସେ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ସଲିସିଟର ଜେନେରାଲ ତୁଷାର ମେହେତା, ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର, ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଉଦବୋଧନ ଦେଇଥିଲେ। ଡେପୁଟି ସଲିସିଟର ଜେନେରାଲ ପ୍ରସନ୍ନ କୁମାର ପାଢୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଦ୍ବିତୀୟ, ତୃତୀୟ ଓ ଉଦଯାପନୀ ଅଧିବେଶନରେ ଓଡ଼ିଶା ହାଇକୋର୍ଟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ, ଗୌହାଟୀ ହାଇକୋର୍ଟ ବିଚାରପତି ଜଷ୍ଟିସ କେ.ଆର.ସୁରାନା, ଜଷ୍ଟିସ ଏ.ଏମ.ବୁଜୋର ବରୁଆ, ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୟ କୁମାର ମିଶ୍ର, ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ, ମେଘାଳୟ, ତ୍ରିପୁରା, ସିକ୍କିମ, ଆଣ୍ଡାମାନ ନିକୋବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀମାନେ ଯୋଗ ଦେଇଥିଲେ। ପ୍ରଥମ ଥର ପାଇଁ ପୂର୍ବାଞ୍ଚଳ ରାଜ୍ୟ ଗୁଡିକର କେନ୍ଦ୍ର ସରକାରଙ୍କ କାଉନସେଲ ମାନଙ୍କ ସମ୍ମିଳନୀ ଆୟୋଜନ କରାଯାଇଛି।