ଭୁବନେଶ୍ବର : ମହାନଦୀ ଟ୍ରିବ୍ୟୁନାଲ ଓ ମହାନଦୀର ଭବିଷ୍ୟତ ବିଷୟକୁ ନେଇ ରବିବାର ଦିନ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସିୱାଇଏସ୍‌ଡିଠାରେ ଅନୁଷ୍ଠିତ ଏହି ବୈଠକରେ ମହାନଦୀର ସାମ୍ପ୍ରତିକ ପରିସ୍ଥିତି, ସଙ୍କଟର ଅନୁଧ୍ୟାନ ଓ ସମାଧାନ ପାଇଁ ‘ମହାନଦୀ ଜନ ଆୟୋଗ’ ଗଠନ ଲାଗି ପ୍ରସ୍ତାବ ପାରିତ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଅରବିନ୍ଦ ବେହେରା, ଜଗଦାନନ୍ଦ, ଭଗବାନ ପ୍ରକାଶ ଓ ପ୍ରଫେସର ଶିଶିରକାନ୍ତ ବେହେରାଙ୍କୁ ଏହାର ସଦସ୍ୟ ରଖାଯାଇଛି। ପରବର୍ତ୍ତୀ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କୁ ଏଥିରେ ସାମିଲ କରାଯିବ।

Advertisment

ମହାନଦୀ ପାଇଁ ହେବାକୁ ଥିବା ମହାଲଢ଼େଇ ପାଇଁ ଏକ ‘ଟର୍ମସ୍ ଅଫ ରେଫରେନ୍ସ’ ପ୍ରସ୍ତୁତ ହେବ। ଗଙ୍ଗା ପରି ମହାନଦୀର ପ୍ରାକୃତିକ ପ୍ରବାହ ବା ଇ-ଫ୍ଲୋ ନିର୍ଦ୍ଧାରଣ ଏହି ଆୟୋଗର ପ୍ରଥମ କାମ ରହିବ। ଆସନ୍ତା ୧୦ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ଓଡ଼ିଶା ପାର୍ଶ୍ବ ମହାନଦୀ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ତେଣୁ ସେହି ଦିନ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏକ ଗଣ ସତ୍ୟାଗ୍ରହ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ସମ୍ଭବ ହେଲେ ଟ୍ରିବ୍ୟୁନାଲର ଅଧ୍ୟକ୍ଷଙ୍କୁ ଭେଟି ଏକ ଦାବିପତ୍ର ମଧ୍ୟ ଦିଆଯିବ। ଏଥିସହ ମହାନଦୀ କୂଳେ କୂଳେ ନଦୀ ଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

publive-image

ନିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ଭଗବାନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଜଳ ପୁରୁଷ ଭାବେ ପରିଚିତ ରାଜେନ୍ଦ୍ର ସିଂହ ଯୋଗଦେଇ କହିଲେ ଟ୍ରିବ୍ୟୁନାଲ ଦ୍ୱାରା ମହାନଦୀ ସମସ୍ୟାର ସମାଧାନ ନ ଖୋଜି ଆପୋଷ ଆଲୋଚନା ପାଇଁ କ୍ଷେତ୍ର ପ୍ରସ୍ତୁତ ହେବା ଦରକାର। ଏଥିପାଇଁ ଛତିଶଗଡ଼ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିବା ଉଚିତ। ଆବଶ୍ୟକ ପଡ଼ିଲେ ଏଥିପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ରହିଛି ବୋଲି ସେ ମତପ୍ରକାଶ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ ଯୋଗଦେଇ କହିଲେ ନଦୀ ଓ ପାଣି ଆଜି କର୍ପୋରେଟ ହାତକୁ ଚାଲିଯାଉଛି। ଏହାର ସୁରକ୍ଷା ଲାଗି ନାଗରିକ ସମାଜ ଆଗେଇ ଆସିବା ଦରକାର। ଆଗାମୀ ଦିନରେ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସମସ୍ତେ ସାହାଯ୍ୟ ଓ ସହଯୋଗ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅରବିନ୍ଦ ବେହେରା, ଜଗଦାନନ୍ଦ, ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରଫେସର ଶିଶିରକାନ୍ତ ବେହେରା, ସିପିଆଇ(ଏମ୍) ନେତା ସୁରେଶ ପାଣିଗ୍ରାହୀ, ସିପିଆଇ(ଏମ୍‌ଏଲ୍‌) ନେତା ଅଶୋକ ପ୍ରଧାନ, ସମାଜବାଦୀ ପାର୍ଟି ନେତା ସୁଦର୍ଶନ ପ୍ରଧାନ, ଏନ୍‌ସିପି ନେତା ବିକ୍ରମ ପ୍ରଧାନ, ଦୟା ବଞ୍ଚାଅ ଆନ୍ଦୋଳନର ସଚ୍ଚିକାନ୍ତ ପ୍ରଧାନ, ଧନୁଆ ଆନ୍ଦୋଳନର ନିରଦ ଖୁଣ୍ଟିଆ, ପ୍ରାଚୀ ଆନ୍ଦୋଳନର ଅଶ୍ୱିନୀ ମହାପାତ୍ର, ଚିଲିକା ବଞ୍ଚାଅ ଆନ୍ଦୋଳନର ବିଷ୍ଣୁପ୍ରିୟା ସ୍ୱାଇଁ, ପରେଶ ଜାଲି, ସାଳନ୍ଦୀ ଆନ୍ଦୋଳନର ପ୍ରତାପ ପାଢୀ, ବ୍ରାହ୍ମଣୀ ଆନ୍ଦୋଳନର ଅକ୍ଷୟ ଜେନା, ଭିଟାମାଟି ସୁରକ୍ଷା ଆନ୍ଦୋଳନର ଅରୁଣ ଜେନା, ମାନବାଧିକାର କର୍ମୀ ମନୋଜ ଜେନା, ପ୍ରମୋଦ ରାୟ, ଅର୍ଜୁନ ଚରଣ ସାମନ୍ତରାୟ, ମହାନଦୀ ବଞ୍ଚାଅ ଆନ୍ଦୋଳନର ନେତା ବିଜୟ ପ୍ରଧାନ, ପ୍ରଭାସିନୀ ରାଉତ ପ୍ରମୁଖ ଆଲୋଚନାଚକ୍ରରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅତିଥିମାନେ ଏକ ଫୁଲ କୁଣ୍ଡରେ ମହାନଦୀ ପାଣି ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।